ଆଜି ଢେଙ୍କାନାଳ ଓ ଅନୁଗୁଳ ଯିବେ ମୁଖ୍ୟମନ୍ତ୍ରୀ : ଭେଟିଦେବେ ୧୮୦୦ କୋଟି ଟଙ୍କାର ପ୍ରକଳ୍ପ

61

ଢେଙ୍କାନାଳ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରିବେ । ଉଭୟ ଜିଲ୍ଲାର ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ସେ ପ୍ରାୟ ୧୮ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏଥିପାଇଁ ଉଭୟ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ କଡା ସରକ୍ଷା ବଳୟ ସୃଷ୍ଟି କରାଯାଇଥିବା ବେଳେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ବ୍ୟବସ୍ଥା କରାଯାଇଛି । ଅନୁଗୁଳ ଜିଲ୍ଲାର ମୁଖ୍ୟ ଷ୍ଟାଡିୟମ ପଡିଆ ଓ ଢେଙ୍କାନାଳର ମିନି ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ସଭାରେ ଯୋଗଦେଇ ହିତାଧିକାରୀମାନଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ଏହାସହ ଅନୁଗୁଳ ଜିଲ୍ଲାରେ ୯୨୪କୋଟି ଓ ଢେଙ୍କାନାଳ ଜିଲ୍ଲାରେ ୮ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି ।

ଅନୁଗୁଳର କାର୍ଯ୍ୟକ୍ରମ ପରେ ଢେଙ୍କାନାଳ ମିନି ଷ୍ଟାଡିୟମଠାରେ ମଧ୍ୟାହ୍ନ ୧୨ଟା ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ଏଥିରେ ଢେଙ୍କାନଳ ସାଂସଦ ମହେଶ ସାହୁ ଓ ଜିଲ୍ଲାର ବିଧାୟକମାନେ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମ ପାଇଁ ବିଜୁ ଜନତା ଦଳର କର୍ମୀଙ୍କଠାରୁ ଆରମ୍ଭକରି ଜିଲ୍ଲା ପ୍ରଶାସନ ବେଶ ତତ୍ପର ହୋଇପଡିଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଉଭୟ ଜିଲ୍ଲାରେ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଇଛି । ଏପରିକି ସଭାସ୍ଥଳରେ କେବଳ ନିର୍ଦ୍ଦିଷ୍ଟ ସ୍ମାର୍ଟ କାର୍ଡ ପାଇବାକୁ ଥିବା ହିତାଧିକାରୀ, କର୍ମୀ ଓ ସରକାରୀ ଅଧିକାରୀ ଉପସ୍ଥିତ ରହିବେ । କୋଭିଡ କଟକଣା କଡାକଡି କରାଯାଇ ସମସ୍ତଙ୍କର ଆରଟି ପିସିଆର ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ଏପରିକି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ବାରଣ ରହିଥିବାବେଳେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅନୁଗୁଳରେ ୨୪ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଜିଲ୍ଲାର ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୧୩ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏନେଇ ଢେଙ୍କାନାଳ ଏସ୍ପି ପ୍ରକାଶ କରିଛନ୍ତି । ଏହାସହ ବସଷ୍ଟାଣ୍ଡ ଓ ଗଣେଶ ବଜାରଠାରେ ସ୍ୱତନ୍ତ୍ର ବାରିକେଡ୍ କରାଯାଇଛି ।

Comments are closed.