୩୫୮ ଦିନର ଆନ୍ଦୋଳନ ପରେ ମୁଣ୍ଡ ନୁଆଁଇଲେ ସରକାର : ପ୍ରତ୍ୟାହାର ହେଲା ୩ କୃଷି ଆଇନ

78

-ହାତଯୋଡ଼ି ଦେଶବାସୀଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ
-ସଂଯୁକ୍ତ କିଷାନ ମୋର୍ଚ୍ଚା କହିଲା ଆନ୍ଦୋଳନ ସରିନି
-ଆଇନ ପ୍ରତ୍ୟାହାର ଚାଷୀଙ୍କ ବିଜୟ: ବିରୋଧୀ

ନୂଆଦିଲ୍ଲୀ : ଦୋହଲାଇ ଦେଲା ଚାଷୀ ଆନ୍ଦୋଳନ । ଶେଷରେ ସରକାର ନଇଁଲେ ଏବଂ କୃଷି ଆଇନକୁ ପ୍ରତ୍ୟାହାର କଲେ । ଗୁରୁ ନାନକ ଜୟନ୍ତୀରେ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆନ୍ଦୋଳନରତ ଚାଷୀଙ୍କୁ ଘରକୁ ଫେରିଯିବାକୁ ପ୍ରଧାନମନ୍ତ୍ରୀ କହିବା ସହିତ ଆଗାମୀ ସଂସଦ ଅଧିବେଶନରେ ଆଇନ ପ୍ରତ୍ୟାହାର ନେଇ ସାମ୍ବିଧାନିକ ବ୍ୟବସ୍ଥା ହେବ ବୋଲି କହିଛନ୍ତି । ଏଥିସହ ଦେଶବାସୀଙ୍କୁ ହାତଯୋଡି ମୋଦୀ କ୍ଷମା ମାଗିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଦେଶର ଚାରିଆଡେ କୃଷକମାନେ ଖୁସି ମନାଇବା ସହ ମିଷ୍ଟାନ୍ନ ବାଣ୍ଟିଛନ୍ତି । ସବୁଠାରୁ ଅଧିକ ଖୁସି ଦେଖିବାକୁ ମିଳିଥିଲା ଦିଲ୍ଲୀର ଗାଜିପୁର ସୀମାରେ । ଚାଷୀମାନେ ପରସ୍ପରକୁ ଜଲେବି ଖୁଆଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ମୁଜାଫରନଗରରେ ଚାଷୀମାନେ ନାଚଗୀତ କରିଥିବା ବେଳେ କାନପୁରରେ ବାଣ ଫୁଟାଇ ଉତ୍ସବ ମନାଇଥିଲେ ଚାଷୀ । ପଞ୍ଜାବ ଓ ହରିଆନାରେ ଚାଷୀମାନେ ଖୁସିରେ ନାଚିଥିଲେ ।

ଅନ୍ୟପକ୍ଷରେ ଆନ୍ଦୋଳନ ସରିନି ବୋଲି କହିଛନ୍ତି ଚାଷୀନେତା ରାକେଶ ଟିକାୟତ । ସଂସଦରେ ଆଇନ ପ୍ରତ୍ୟାହାର ଚାଷୀଙ୍କ ବିରୋଧରେ ମାମଲା, ବିଦ୍ୟୁତ୍ ବିଲ୍ ଓ ଏମ୍ଏସ୍ପି ଗ୍ୟାରେଣ୍ଟି ଚାଷୀ ଆନ୍ଦୋଳନର ଅଂଶବିଶେଷ ଥିଲା । ତେଣୁ ସଂସଦରେ ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଟିକାୟତ କହିଛନ୍ତି । ଏହାକୁ ନେଇ ଦେଶର ରାଜନୈତିକ ପାଣିପାଗ ମଧ୍ୟ ଉଷ୍ମ ହେବାରେ ଲାଗିଛି । ଆଗକୁ ୫ ରାଜ୍ୟର ବିଧାନସଭା ନିର୍ବାଚନ ସହ କୃଷି ଆଇନ ପ୍ରତ୍ୟାହାରକୁ ଯୋଡିଛନ୍ତି ବିରୋଧୀ । କିଛି ରାଜନୈତିକ ଦଳ ଚାଷୀଙ୍କ ବିଜୟ ସହ ନିଜକୁ ଯୋଡିବାର ଉଦ୍ୟମ କରିଛନ୍ତି । ସତ୍ୟ, ନ୍ୟାୟ ଓ ଅହିଂସାର ବିଜୟ ହୋଇଥିବା କହିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ମୋଦୀ ସରକାରକୁ କଟାକ୍ଷ କରିବା ସହିତ ଜଣେ ସାଧାରଣ ମଣିଷ କ’ଣ କରିପାରେ କୃଷି ଆଇନ ତାର ଉଦାହରଣ ବୋଲି କହିଛନ୍ତି । କୃଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦେଶର ଅନ୍ନଦାତା ସତ୍ୟାଗ୍ରହ ଦ୍ୱାରା ଅଂହକାରର ମୁଣ୍ଡ ନଇଁଛି ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଟ୍ୱିଟ୍ କରି କହିଛନ୍ତି ।

ଏଥିସହିତ କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କ୍ୟାପଟେନ୍ ଅମରିନ୍ଦର ସିଂଙ୍କଠାରୁ ଆରମ୍ଭ କରି ବହୁ ବିରୋଧୀ ଦଳ ନେତା କଳା କାନୁନ୍ ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏନ୍ଡିଏ ସରକାର ୨୦୨୦ ମସିହାରେ ସଂସଦରେ ବିଲ୍ ପାସ୍ ହେବା ପରେ ମୋହର ମାରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନୂତନ ଚାଷୀ ଆଇନକୁ ନେଇ ଦେଶରେ ଏକ ପ୍ରକାର ଆନ୍ଦୋଳନର ଅଗ୍ନି ଲାଗିଥିଲା । ୩୫୮ ଦିନ ଧରି ଆନ୍ଦୋଳନ ଚଳାଇଥିଲେ ଚାଷୀ । ଏପରିକି ୭୦୦ ଚାଷୀଙ୍କ ଜୀବନ ମଧ୍ୟ ଯାଇଥିଲା । କୃଷି ଆଇନ ପ୍ରତ୍ୟାହାର ନେଇ କୌଣସି ମଧ୍ୟ ସୂଚନା ନଥିବାବେଳେ ଅଚାନକ ଏଭଳି ବଡ଼ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଗୁରୁ ନାନକଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧନ କରିବା ସହ ସମସ୍ତ ଆନ୍ଦୋଳନରତ କୃଷକଙ୍କ ପାଇଁ ଏହି ଘୋଷଣା କରିଥିଲେ ।

ସେ କହିଥିଲେ, କେନ୍ଦ୍ର ସରକାର ନେଇଥିବା ଏକ ବଡ଼ ପଦକ୍ଷେପରେ କେଉଁଠି ନା କେଉଁଠି ତ୍ରୁଟି ରହିଯାଇଛି । ତେଣୁ ଏଭଳି ଏକ ମହତ୍କାଂକ୍ଷା ଆଇନକୁ କେନ୍ଦ୍ର ସରକାର ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି । ମୋର ସମସ୍ତ ଚାଷୀ ବନ୍ଧୁଙ୍କୁ ମିନତି ଆଜିର ଏପରି ପବିତ୍ର ଦିନରେ ଦେଶରୁ ଚାଷୀ ଆଇନ ହଟାଇବା କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ଆପଣମାନେ ନିଜ ନିଜ ଘରକୁ ଫେରି କ୍ଷେତକୁ ଯିବା ପାଇଁ ଅନୁରୋଧ କରିଛନ୍ତି । ଆମ ତପସ୍ୟାରେ କମି ରହିଗଲା । କୃଷକଙ୍କ ସ୍ୱାର୍ଥ ସାଧନରେ ଆଇନରେ ପରିଣତ ହୋଇଥିଲା ତିନୋଟି କୃଷି ଆଇନ । କୃଷକଙ୍କ ଆୟ ବୃଦ୍ଧି, ଏମ୍ଏସ୍ପି ବୃଦ୍ଧି, ବଜାରରେ ଉତ୍ପାଦିତ ଶସ୍ୟର ମୂଲ୍ୟ ବୃଦ୍ଧି କରିବା ସହିତ କୃଷି ଉତ୍ପାଦିତ ପଦାର୍ଥକୁ ବିଶ୍ୱ ବଜାରରେ ପହଞ୍ଚାଇବା ଥିଲା କୃଷି ଆଇନର ଲକ୍ଷ୍ୟ । ସେଥିପାଇଁ କେନ୍ଦ୍ର ସରକାର ଏହି ଐତିହ୍ୟ ବିଲକୁ ସଂସଦରେ ପାରିତ କରିଥିଲେ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ବିଲରେ ପରିଣତ ହୋଇଥିଲା । କିନ୍ତୁ ଏହି ନୂତନ କୃଷି ଆଇନକୁ କୃଷକ ସଂଗଠନଗୁଡ଼ିକ ବିରୋଧ କରିଥିଲେ । ଏମିତିକି ବର୍ଷାଧିକ କାଳ ଆନ୍ଦୋଳନ ଜାରି ରଖିଥିଲେ କୃଷକ ସଂଗଠନ । ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଯାହା କେନ୍ଦ୍ର ସରକାରଙ୍କୁ ଏକପ୍ରକାର ଦ୍ୱିଧାରେ ପକାଇଥିଲା । ତେବେ ଆଜି ଶୀଖ ଧର୍ମଗୁରୁ ନାନକଙ୍କ ଜୟନ୍ତୀରେ ଦେଶକୁ ସମ୍ବୋଧନ କରିବା ନେଇ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ସମସ୍ତ ଚାଷୀଙ୍କ ଆଗରେ ଦୁଃଖ ପ୍ରକାଶ କରିଥିଲେ ଏବଂ ଆନ୍ଦୋଳନରୁ ହଟିବା ପାଇଁ ନିବେଦନ
କରିଥିଲେ । ଆଜି ଭଳି ପବିତ୍ର ଦିବସରେ ସମସ୍ତ ଚାଷୀଭାଇ ନିଜ ନିଜ ଘରକୁ ଫେରିବା ସହ ପୁଣିଥରେ କ୍ଷେତକୁ ଯିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଦଃଖପ୍ରକାଶ କରି କହିଥିଲେ, ତିନି କୃଷି ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହର କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ତେଣୁ ଚଳିତ ମାସରେ ହେବାକୁ ଥିବା ସଂସଦ ଅଧିବେଶନରେ ଏନେଇ ସାମ୍ବିଧାନିକ କାର୍ଯ୍ୟ କରାଯିବ ।

ଚାଷୀଙ୍କ ହିତରେ ବିଜେଡି: ନବୀନ

ବର୍ଷେବ୍ୟାପି କୃଷକ ଆନ୍ଦୋଳନରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ୩ କୃଷି ଆଇନ ପ୍ରତ୍ୟାହାର ପରେ ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେପଟେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ତଥା ଚାଷୀର ସ୍ୱାର୍ଥ ଦୃଷ୍ଟିରୁ ନିଷ୍ପତ୍ତି ନିଆଯାଇଛି । ଯାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଆନ୍ଦୋଳନରତ ·ଷୀଙ୍କ ପାଇଁ ସେ ଖୁସିବ୍ୟକ୍ତ କରିଛନ୍ତି । ଚାଷୀଙ୍କ ପରିବାର ଓ ଚାଷ ଜମି ତାଙ୍କୁ ଅପେକ୍ଷା କରିଛି । ଘରକୁ ଫେରିଲେ ସେମାନେ ସ୍ୱାଗତ କରିବେ ବୋଲି ଟ୍ୱିଟର ଜରିଆରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଏକଥା ମଧ୍ୟ କହିଛନ୍ତି ଓଡ଼ିଶା ସରକାର ସର୍ବଦା ଚାଷୀଙ୍କ ସାଥିରେ । ଚାଷ ଓ ଚାଷୀର ଉନ୍ନତି ଆମ ସରକାରର ପ୍ରଧାନ ଉଦ୍ଦେଶ୍ୟ । ଚାଷୀଙ୍କ ସ୍ୱାର୍ଥକୁ ବିଜେଡି ସବୁବେଳେ ସମର୍ଥନ କରିଆସିଛି ବୋଲି ଟ୍ୱିଟ୍ କରି ନବୀନ କହିଛନ୍ତି ।

Comments are closed.