ଏମ୍ସ ଭୁବନେଶ୍ୱରରେ ପେଡିଆଟ୍ରିକସ୍ ସର୍ଜରୀ ସପ୍ତାହ ପାଳିତ

72

ଭୁବନେଶ୍ୱର : ନିଜ ଘର ହେଉଛି ପ୍ରଥମ ସ୍ଥାନ ଯେଉଁଠାରେ ଶିଶୁର ସୁରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ । ମାତ୍ର ଅଧିକାଂଶ ସମୟରେ ପିତାମାତା ଏବଂ ଅଭିଭାବକମାନେ ଛୋଟ ଛୋଟ ଦିଗ ପ୍ରତି ଅବହେଳା କରିଥାଆନ୍ତି । ଯାହାକି ପରବର୍ତୀ ସମୟରେ ଶିଶୁମାନଙ୍କ ପାଇଁ ବିପଦର କାରଣ ପାଲଟିଥାଏ । ସେହିପରି ବାହାରକୁ ବୁଲିଗଲା ବେଳେ ମଧ୍ୟ ଶିଶୁମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ । ଏନେଇ ଛୁଆମାନଙ୍କୁ ସଡ଼କ ସୁରକ୍ଷା, ବିଦ୍ୟାଳୟରେ ନିଜକୁ ସୁରକ୍ଷିତ ରଖିବାର ବିଭିନ୍ନ କଥା ଶିଖେଇବାକୁ ପଡ଼ିଥାଏ । ଏନେଇ ପିତାମାତା ଏବଂ ଅଭିଭାବକଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଶିଶୁ ଶଲ୍ୟ ସପ୍ତାହ ପାଳନ ଅବସରରେ ଆଜି ଏମ୍ସ ଭୁବନେଶ୍ୱରରେ ଶିଶୁ ଶଲ୍ୟ ବିଶେଷଜ୍ଞମାନେ ଉପସ୍ଥିତ ପିତାମାତା ଏବଂ ଅଭିଭାବକଙ୍କୁ ଏନେଇ ବିସ୍ତୃତ ସୂଚନା ଦେବା ସହିତ ସଚେତନତାର ବାର୍ତା ବାଂଟିଛନ୍ତି ।

ଶିଶୁ ଦିବସ ନଭେମ୍ବର ୧୪ରୁ ୨୦ ପର୍ଯ୍ୟନ୍ତ ଚାଲିଥିବା ଶିଶୁ ଶଲ୍ୟ ସପ୍ତାହ ପାଳନ ଅବସରରେ ଆଜି ଏମ୍ସ ଭୁବନେଶ୍ୱର ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଚଳିତ ବର୍ଷର ଥିମ୍ ରହିଛି ଶିଶୁ ସୁରକ୍ଷା । ଏହି ବିଷୟ ଉପରେ ଏମ୍ସ ଭୁବନେଶ୍ୱର ଅଧୀକ୍ଷକ ପ୍ରଫେସର ଡ. ସଚ୍ଚିଦାନନ୍ଦ ମହାନ୍ତି ଯୋଗଦେଇ ସମସ୍ତଙ୍କୁ ଉପାଦେୟ ସଚେତନତାମୂଳକ ବାର୍ତା ଦେଇଥିଲେ । ଏହି ଅବସରରେ ଏମ୍ସ ଭୁବନେଶ୍ୱରରେ ଉପସ୍ଥିତ ଶିଶୁମାନଙ୍କୁ ନେଇ ଏକ କଲର ଫିଲିଙ୍ଗ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶିକା ଡ. ବି ଗୀତାଞ୍ଜଳି ଶିଶୁ ମାନଙ୍କ ସୁରକ୍ଷାକୁ ପିତାମାତା ଏବଂ ଅଭିଭାବକ ବେଶ୍ ଗୁରୁତ୍ୱର ସହିତ ନେବାକୁ ପରାମର୍ଶ ଦେଇଥିଲେ । ବିଭାଗୀୟ ପ୍ରାଧ୍ୟାପକ ପ୍ରଫେସର ଡ. ମନୋଜ କୁମାର ମହାନ୍ତି, ଡ.ଆକାଶ ବିହାରୀ ପତି, ଡ. ସୁବ୍ରତ ସାହୁ, ଡ. ସନ୍ତୋଷ କୁମାର ମହାଳିକ ପ୍ରମୁଖ ଶିଶୁମାନଙ୍କୁ ବିଭିନ୍ନ ବିପଦରୁ ରକ୍ଷା କରିବା ନେଇ ନାନା ଉପାୟ ସମ୍ପର୍କରେ ସୂଚନା ଦେଇଥିଲେ ।ଏହି ଅବସରରେ ବିଭାଗୀୟ ଫାକ୍ଲଟି ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।

Comments are closed.