କନ୍ଧମାଳରେ ଖୁବ୍ଶୀଘ୍ର ମେଡିକାଲ କଲେଜ

72

-ଉପାନ୍ତ ନୁହେଁ ବିକଶିତ କନ୍ଧମାଳ
-ବିଏସ୍କେୱାଇରେ ଯୋଡ଼ିହେଲା ଫୁଲବାଣୀ
-ଉପକୃତ ହେବେ ୧ଲକ୍ଷ ୬୭ହଜାର ହିତାଧିକାରୀ
-୮୪୦କୋଟିର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ଘାଟନ

କନ୍ଧମାଳ : ଫୁଲବାଣୀର ମିନି ଷ୍ଟାଡିୟମରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ନିଜର ତଥା ନିଜ ପରିବାରର ଚିକିତ୍ସା ପାଇଁ ମୋ ରାଜ୍ୟର ଲୋକେ ଆଉ ଜମିବାଡି ବନ୍ଧା ପକାଇବେ ନାହିଁ । ରାଜ୍ୟବାସୀଙ୍କୁ ମାଗଣାରେ ବଡ଼ ବଡ ଡାକ୍ତରଖାନାରେ ସ୍ମାର୍ଟ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ଲକ୍ଷ୍ୟ ଏବଂ ପ୍ରତିବଦ୍ଧତା ନେଇ ଆଗକୁ ବଢୁଥିବା ମୁଖ୍ୟମନ୍ତ୍ରୀ ଆଜି କନ୍ଧମାଳ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସ ଯୋଗେ ଗରିବ ଲୋକେ ଅର୍ଥାଭାବରୁ ଚିକିତ୍ସା କରାଇ ନପାରିବାର ଭୟ ଦୂର ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳ ଯୋଜନା ଏବେ ଗରିବଙ୍କ ମୁହଁରେ ହସ ଫୁଟାଇବା ସହ ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ଗଠନ ଦିଗରେ ଏକ ବଳିଷ୍ଠ ପଦକ୍ଷେପ । ସମସ୍ତଙ୍କର ସମ୍ମାନର ସହିତ ବଞ୍ଚିବାର ଅଧିକାର ଅଛି ଏବଂ ଏହି ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ଅଧିକାରକୁ ସୁନିଶ୍ଚିତ କରିଛି । ସୋମବାର ହେଲିକପ୍ଟର ଯୋଗେ କନ୍ଧମାଳ ଗସ୍ତରେ ଆସି ଫୁଲବାଣୀ ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୁବ୍ଶୀଘ୍ର କନ୍ଧମାଳରେ ମେଡିକାଲ ଏବଂ ବିଦ୍ୟୁତ୍ କେନ୍ଦ୍ର ହେବ ବୋଲି ଘୋଷଣା କରିଛନ୍ତି । ଏଥିସହିତ କନ୍ଧମାଳ ସୁନାର ଭୂମି, ଏ ମାଟିରେ ସୁନା ଫଲେ । କନ୍ଧମାଳ ହଳଦୀ ବିଶ୍ୱରେ ଏକ ନାମୀ ବ୍ରାଣ୍ଡ ଭାବେ ପ୍ରତିଷ୍ଠାଲାଭ କରିଛି । ଇକୋ ଟୁରିଜିମ୍ ପାଇଁ କନ୍ଧମାଳ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ପ୍ରାୟ ୮୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ପୂର୍ବାହ୍ନ ୧୧ଟା୧୫ ମିନିଟରେ ଫୁଲବାଣୀସ୍ଥିତ ଷ୍ଟାଡିୟମରେ ପହଞ୍ଚିଥିଲେ । ଏହି ଯୋଜନାରେ କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକ ଓ ୩ଟି ପୌରାଞ୍ଚଳରେ ୧ଲକ୍ଷ ୬୫ ହଜାର ୯୭ଜଣ ହିତାଧିକାରୀ ସ୍ମାର୍ଟ ସ୍ୱାସ୍ଥ୍ୟସେବା ପାଇବେ । ଏହାର ସଠିକ ପରିଚାଳନା କରିବା ପାଇଁ ସାଂସଦ ଡ଼.ଅଚ୍ୟୁତ ସାମନ୍ତ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଫୁଲବାଣୀରେ ଥିବାବେଳେ ମନ୍ତ୍ରୀ ବିକ୍ରମ ଆରୁଖ, ତୁଷାରକାନ୍ତି ବେହେରାଙ୍କ ସମେତ ୮ଜଣ ମନ୍ତ୍ରୀ ଓ ବିଧାୟକମାନେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଦ୍ୱାରା ପ୍ରତି ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚର ସୁବିଧା ରହିଛି । ଦେଶର ୨ ଶହ ବଡ ବଡ ହସ୍ପିଟାଲରେ ଏହି କାର୍ଡ ମାଧ୍ୟମରେ ଚିକିତ୍ସା ସେବା ପାଇ ପାରିବେ ଗରିବ ଲୋକେ । କୋଭିଡ ଗାଇଡ଼ଲାଇନ ଅନୁଯାୟୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳ ଯୋଜନା ଆଜି କନ୍ଧମାଳ ଜିଲ୍ଲାର ୬ଲକ୍ଷରୁ ଊଦ୍ଧ୍ୱର୍ ଲୋକଙ୍କ ମୁହଁରେ ହସ ଫୁଟାଇ ପାରିଛି । ଉକ୍ତ କାର୍ଯ୍ୟକ୍ରମ ସମୟରେ ମଞ୍ଚାସିନ ଅତିଥି ଭାବେ ରାଜ୍ୟ ୫-ଟି ସଚିବ ଭି.କେ ପାଣ୍ଡିଆନ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଡ଼. ଅଚ୍ୟୁତ ସାମନ୍ତ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବିଧାୟକ ତଥା ବିଜେଡି ନେତା ପ୍ରଣବ ଦାସ, ମନ୍ତ୍ରୀ ପଦ୍ମିନୀ ଦିଆନ ପ୍ରମୁଖ ଉପସ୍ଥିତ ଥିଲେ । ବିଜେଡ଼ି ନେତା କୁନା ତ୍ରିପାଠୀ ଓ ସୁଲତା ଦେଓ ମଞ୍ଚ ପରି·ଳନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଂଗ୍ରେସ ଓ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା ବୋଲି କୁହାଯିବା ପରେ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଫୁଲବାଣୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଥିଲା । ପ୍ରାୟ ୩୦ କର୍ମୀଙ୍କୁ ପୋଲିସ ବିଭିନ୍ନ
ସ୍ଥାନରୁ ଅଟକ ରଖିଥିଲା ।

Comments are closed.