ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ବିଜେଡିର ରଣହୁଙ୍କାର

73

ଭୁବନେଶ୍ୱର : ଗ୍ୟାସର ବର୍ଦ୍ଧିତ ଦରକୁ ନେଇ ତେଜିଲାଣି ଅସନ୍ତୋଷ । ଉଜ୍ଜ୍ୱଳା ମଧ୍ୟ ରାଜ୍ୟରେ ବିଫଳ ହୋଇଛି । ଦରବୃଦ୍ଧି ଯୋଗୁ ରିଫିଲିଂ କରିନପାରି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ମହିଳା । ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜେଡି ରଣହୁଙ୍କାର ଦେଇଛି । କଟକ ଆରଡିସି ଅଫିସ ଓ କେନ୍ଦ୍ରାଞ୍ଚଳ ଆରଡିସି ଜୋନ୍ରେ ଥିବା ସମସ୍ତ ବ୍ଲକ୍ ଆଗରେ ମଧ୍ୟ ପ୍ରତିବାଦ କରିଛି ଯୁବ ବିଜେଡି, ଛାତ୍ର ଓ ମହିଳା ସଂଗଠନ । ତିନିଦିନ ଧରି ଏହି ଆନ୍ଦୋଳନ କରାଯିବ । ଭୁବନେଶ୍ୱର ପଟିଆରେ ଥିବା ଆଇଓସିଏଲ୍ ଅଫିସ ସମ୍ମୁଖରେ ଧାରଣା ଦେଇଛି ବିଜେଡି । ସାଙ୍ଗଠନିକ ଜିଲ୍ଲା ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳ କର୍ମୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଆଇଓସିଏଲ୍ ଅଫିସ ସମ୍ମୁଖରେ ବିଜୁ ମହିଳା ଦଳର ବହୁ ନେତ୍ରୀ କାଠଚୁଲି ଜାଳି ପ୍ରତିବାଦ କରିଛନ୍ତି ।

ଅନ୍ୟପକ୍ଷରେ କଟକ କେନ୍ଦ୍ରାଞ୍ଚଳ ଆରଡିସି ଅଫିସ୍ ସମ୍ମୁଖରେ ମଧ୍ୟ ପ୍ରତିବାଦ ଦେଖିବାକୁ ମିଳିଛି । ବିଜେଡି ଯୁବ, ଛାତ୍ର ଓ ମହିଳା ସଂଗଠନ ପକ୍ଷରୁ କେନ୍ଦ୍ରାଞ୍ଚଳ ଆରଡିସି ଅଫିସ ଆଗରେ ବିକ୍ଷୋଭ କରାଯାଇଛି । ଏହି ଅବସରରେ ବିଜେଡିର ଏକ ପ୍ରତନିଧି ମଣ୍ଡଳୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେହିପରି କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନ ଅଧୀନରେ ଥିବା ସମସ୍ତ ବ୍ଲକ୍ରେ ମଧ୍ୟ ବିଜେଡି ପ୍ରଦର୍ଶନ କରିଛି । ଏନେଇ ବିଜେଡି ନେତ୍ରୀ ପ୍ରୀତି ନନ୍ଦ କହିଛନ୍ତି, ବିଜେପି ସରକାର ଉଜ୍ୱଳା ଯୋଜନା କରିଥିଲେ । ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ମହିଳାଙ୍କ ଫଟୋ ଲଗାଇଥିଲେ । ହେଲେ ସେ ମହିଳାମାନଙ୍କ କଥା କେବେ ବି ଭାବୁ ନାହାନ୍ତି । ଗ୍ୟାସ୍ ଦରବୃଦ୍ଧି ସାଧାରଣ ଲୋକଙ୍କ ଜୀବନଜୀବିକାକୁ ପ୍ରଭାବିତ କରିଛି । ଦର ନ କମାଇବା ପର୍ଯ୍ୟନ୍ତ ପୂରପଲ୍ଲୀରେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ଦଳ । ଅଚ୍ଛେ ଦିନ୍ର ସ୍ୱପ୍ନ ଦେଖାଇ କେନ୍ଦ୍ର ସରକାର ଦେଶବାସୀଙ୍କୁ ଠକିଛନ୍ତି । ପ୍ରତି ଘରକୁ ଯାଇ କେନ୍ଦ୍ରର ବିଫଳତା ସମ୍ପର୍କରେ ଲୋକଙ୍କୁ ବୁଝାଇ ଆନ୍ଦୋଳନରେ ସାମିଲ କରାଯିବ । ଗତ ସାଢ଼େ ତିନିବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ୭୦ ପ୍ରତିଶତ ବୃଦ୍ଧି ପାଇଛି । ଜାତୀୟ ପରିବାର କଲ୍ୟାଣ ସର୍ଭେ କହୁଛି ୯୮ ପ୍ରତିଶତ ନୁହେଁ, ମାତ୍ର ୨୦ ପ୍ରତିଶତ ଉଜ୍ଜ୍ୱଳା ସିଲିଣ୍ଡର ବ୍ୟବହାର କରୁଛନ୍ତି ।

Comments are closed.