ଶ୍ରୀକ୍ଷେତ୍ର ଦେଖିଲା ନୂଆ ଇତିହାସ : ଓଡ଼ିଶା ପାଇଁ ଆଜି ଐତିହାସିକ ଦିନ

70

ଭୁବନେଶ୍ୱର/ପୁରୀ : ଶ୍ରୀଜଗନ୍ନାଥ ସଂସ୍କୃତି ଓ ଜଗନ୍ନାଥପ୍ରେମୀଙ୍କ ପାଇଁ ଯୋଡି ହେଲା ନୂଆ ଇତିହାସ । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ସହ ଐତିହ୍ୟ କରିଡରର ନିର୍ମାଣ ଆରମ୍ଭ ହୋଇଛି । ତିନିଦିନ ଧରି ଶ୍ରୀମନ୍ଦିର ଉତ୍ତର ଦ୍ୱାର ଐଶାନ୍ୟ କୋଣରେ ଚାଲିଥିଲା ମହାଯଜ୍ଞ । ୩୩ଜଣ ଶୋତ୍ରୀୟ ବ୍ରାହ୍ମଣଙ୍କ ବେଦପାଠରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ । ଶିଳାବିଜେ ଓ ଶିଳା ସ୍ଥାପନ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୌରୋହିତ୍ୟରେ ହୋଇଥିଲା
ପୂର୍ଣ୍ଣାହୁରି । ଅନ୍ତିମ ଦିନରେ ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳ ୯.୩୦ ମିନିଟ୍ରେ ପୁରୀରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଶ୍ରୀମନ୍ଦିର ସିଂହଦ୍ୱାରରେ ପତିତପାବନଙ୍କୁ ଦର୍ଶନ କରିଥିଲେ । ‘ଜୟ ଜଗନ୍ନାଥ’ କହି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆଜିର ଦିନକୁ ଓଡ଼ିଶା ପାଇଁ ଏକ ଐତିହାସିକ ଦିନ ବୋଲି କହିଥିଲେ । ମହାପ୍ରଭୁଙ୍କ ପାଇଁ ଜମି ଦାନ କରିଥିବା ୧୦ ଜଣ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ ।

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୮୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରକଳ୍ପର ମୁଖ୍ୟ କାର୍ଯ୍ୟ ମଧ୍ୟରେ ରହିଛି ଶ୍ରୀମନ୍ଦିର ଚାରିପଟେ ସୁରକ୍ଷା କରିଡର ସହ ସବୁଜ ବଳୟ ସୃଷ୍ଟି ଏବଂ ସୌନ୍ଦର୍ଯ୍ୟକରଣ, ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଭକ୍ତଙ୍କ ପରିକ୍ରମା ନିମନ୍ତେ ଭିତରେ ଓ ବାହାରେ ଦୁଇଟି ଫୁଟପାଥ୍, ଶ୍ରୀମନ୍ଦିର ଚାରିପଟେ ଥିବା ମଠ ଏବଂ ମନ୍ଦିରଗୁଡ଼ିକର ପୁନର୍ବିନ୍ୟାସ, ରଥଯାତ୍ରା ଏବଂ ଅନ୍ୟାନ୍ୟ ଯାନିଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ୱତନ୍ତ୍ର ପ୍ରଦକ୍ଷିଣ ପଥ, ଭକ୍ତଙ୍କ ସାମଗ୍ରୀ ରଖିବା ନିମନ୍ତେ ଗୃହ, ସମସ୍ତ ଦ୍ୱାରରେ ସୂଚନା ଓ ଦାନ

କେନ୍ଦ୍ର, ତୀର୍ଥଯାତ୍ରୀଙ୍କ ପାଇଁ ଆରକ୍ଷୀ ସେବା କେନ୍ଦ୍ର, ପାନୀୟଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଶୌ·ଳୟ, ଏଟିଏମ୍ ସୁବିଧା, ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟର ପୁନର୍ବିନ୍ୟାସ, ୬ହଜାର ଭକ୍ତଙ୍କ ସୁବିଧା ନିମନ୍ତେ ଅଭ୍ୟର୍ଥନା ପ୍ରକୋଷ୍ଠ, ପଶ୍ଚିମ ଓ ଦକ୍ଷିଣ ପାଶ୍ୱର୍ରେ ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ । ପଞ୍ଚମ ପାଳି କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଏହି ଡ୍ରିମ୍ ପ୍ରୋଜେକ୍ଟର ପରିକଳ୍ପନା ସହ ଆଗକୁ ବଢ଼ିଥିଲେ । ପୁରୀକୁ ବିଶ୍ୱ ଐତିହ୍ୟସ୍ଥଳୀରେ ପରିବର୍ତ୍ତନ କାର୍ଯ୍ୟକ୍ରମ କରୋନା ପାଇଁ ବିଳମ୍ବ ହୋଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ଦୁଇବର୍ଷରେ ଶେଷ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି । ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳର ସଦସ୍ୟଗଣ, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି.କେ.ପାଣ୍ଡିଆନ୍, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ପାଇଁ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ୩ ଅତିରିକ୍ତ ଏସ୍ପି, ୧୦ ଡିଏସ୍ପି, ୪୦ ଇନ୍ସପେକ୍ଟରଙ୍କ ସହ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ତେବେ କଡ଼ା ସୁରକ୍ଷା ବ୍ୟବସ୍ଥା ଭେଦ କରି ଦୁଇଜଣ ବିଜେପି ଯୁବ ମୋର୍ଚ୍ଚା କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇବାକୁ ଉଦ୍ୟମ କରିଥିଲେ । ତେବେ ପୋଲିସ ସେମାନଙ୍କୁ ରାସ୍ତାରୁ ଟେକି ନେଇଥିଲା ।

Comments are closed.