ଟିଟିଲାଗଡ଼ ପୌରପରିଷଦ ତରଫରୁ ହାଟପଦା ପଡ଼ାଠାରେ ଜବର ଦଖଲ ଉଚ୍ଛେଦ ସହ ନାଳ ନିର୍ମାଣ ପାଇଁ ଗାତ କୋଡ଼ା ଆରମ୍ଭ

70

ଟିଟିଲାଗଡ଼ : ଟିଟିଲାଗଡ଼ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଉପୁଜୁଥିବା ବେଳେ ଉପଜିଲ୍ଲାପାଳ ତଥା ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ଉପସ୍ଥିତିରେ ହାଟପଦା ପଡ଼ା ଦୈନିକ ବଜାର ରାସ୍ତା ଉପରେ ଜବର ଦଖଲ କରିଥିବା ଦୋକାନ ଗୃହ ମାନଙ୍କୁ ପୋଲିସ ପ୍ରଶାସନ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ଉଛେଦ ପ୍ରକ୍ରିୟାରେ ଥାନାଧିକାରୀ ରଞ୍ଜନ କୁମାର ବରିହା, ଅତିରିକ୍ତ ତହସିଲଦାର କର୍ଣ ମଲ୍ଲିକ, ପୌର ପରିଷଦର କର୍ମଚାରୀ ମାନେ ଉପସ୍ଥିତ ଅଛନ୍ତି । ଆଜି ଉଛେଦ କରିବା ସହ ରାସ୍ତା କଡ଼ରେ ନାଳ ନିର୍ମାଣ ପାଇଁ ଗାତ କୋଡା ଆରମ୍ଭ କରିଦିଆଯାଇଛି । ପୂର୍ବରୁ ଡ଼ାକବାଜି ଯନ୍ତ୍ର ଯୋଗେ ଜବର ଦଖଲ କରିଥିବା ସ୍ଥାନ ଖାଲି କରିବାକୁ କୁହାଯାଇଥିବା ସତ୍ତ୍ୱେ ଲୋକେ ଖାଲି କରିନ ଥିବା ଦେଖି ଜେଶିବି ସାହାଯ୍ୟରେ କିଛି ଦୋକାନ ଭଙ୍ଗା ଯାଇଛି । କିଛି ଲୋକଙ୍କୁ ଘର ଖାଲି କରିବାକୁ ମଧ୍ଯ କୁହାଯାଇଛି, ଯାହାକି ସରକାରୀ ଜମି ଉପରେ ରହିଛି । ଏହାକୁ ନେଇ କିଛି ସମୟ ପାଇଁ ପରିସ୍ଥିତି ଉତ୍ତେଜନା ପାଇଥିଲା । ଥାନାଧିକାରୀ ରଞ୍ଜନ କୁମାର ବରିହା ଲୋକଙ୍କୁ ବୁଝାଇବା ସହ ଉପଜିଲ୍ଲାପାଳଙ୍କ ନିକଟକୁ ନେଇ କଥା କରାଇଥିଲେ । ସେଠାରେ ଯିଏ ନିଯେ ପ୍ରଶାସନକୁ ସହଯୋଗ କରିବାକୁ କହିବା ସହ ନିଜେ ନିଜେ ଭଙ୍ଗିଦେବୁ ବୋଲି କହିବାରୁ ସେଠାରୁ ପ୍ରଶାସନ ଫେରିଥିଲା ।

ସ୍ଥାନୀୟ ଲୋକେ ସହରର ଅନ୍ୟ ଅଞ୍ଚଳ ଯେଉଁଠାରେ ଭାରି ଟ୍ରାଫିକ ସମସ୍ୟା ହେଉଛି ତାହା ଆଗ କଣ ପାଇଁ ଭଙ୍ଗା ଯାଉନି ବୋଲି ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଥିଲା । ଯେପରିକି ଶାସ୍ତ୍ରୀ ଛକଠାରୁ ପୁରୁଣା ବ୍ୟାଙ୍କ ଛକ, ଭୂତଳ ପୋଲଠାରୁ ଏସ ବି ଆଇ ଇଭିନିଂ ଶାଖା କେବେ ଖାଲି କରାଯିବ ବୋଲି ପ୍ରଶ୍ନ କରିଥିଲେ। ଏହି ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ଠିକ ବୋଲି କହିବା ସହ ଯେଉଁମାନେ ବର୍ଷ ବର୍ଷ ଧରି ଘର କରି ରହିଥିଲେ ଏବଂ ଯେଉଁମାନେ ଦୋକାନ କରି ନିଜର ଏବଂ ପରିବାରର ପେଟପୋଷଣ କରୁଥଲେ ତାଙ୍କ ପାଇଁ ଥଇଥାନ ବ୍ୟବସ୍ଥା କରାଗଲେ ବ୍ୟବସାୟୀ ଉପକୃତ ହୁଅନ୍ତେ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ସବୁ ସରକାରି ଜମି ଖାଲି କରି ପାର୍କିଂ ସ୍ଥଳ ଏବଂ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କଲେ ସବୁଦିନ ପାଇଁ ସମାଧାନର ବାଟ ଫିଟନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

Comments are closed.