“ହେୟଜ୍ଞାନ କରନ୍ତୁନି: ଲକ୍ଷଣ ବଦଳାଉଛି କରୋନା’

45

ଭୁବନେଶ୍ୱର : ଲକ୍ଷଣ ବଦଳାଉଛି କରୋନା । କେବଳ ଅଧିକ ଜ୍ୱର କିମ୍ବା ବିନ୍ଧାଛିଟିକା ନୁହେଁ, ସାମାନ୍ୟ ଥଣ୍ଡା, ଜ୍ୱର ହେଲେ ମଧ୍ୟ ଲୋକେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ତେଣୁ ଥଣ୍ଡା ଜ୍ୱର ହେବା ମାତ୍ରେ ତୁରନ୍ତ ଟେଷ୍ଟ କରାଇ ନେବାର ଆବଶ୍ୟକତା ରହିଛି । ଟେଷ୍ଟ କରାଇଲେ ନିଜେ ସୁରକ୍ଷିତ ହେବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରଖାଯାଇପାରିବ । ଆଜି ଏପରି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସୂଚନାଯୋଗ୍ୟ, କରୋନା କୋପ କମିବା ପରେ ଏବେ ପ୍ରାୟତଃ ଅଧିକାଂଶ ସ୍କୁଲ, କଲେଜ ଖୋଲି ସାରିଲାଣି । ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଛାଡ଼ି ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ସ୍କୁଲ, କଲେଜ ଯାଉଛନ୍ତି । ଏପରି ସ୍ଥିତିରେ ଧୀରେ ଧୀରେ ପୁଣି ଥରେ ମୁଣ୍ଡ ଟେକିଲାଣି ମହାମାରୀ । ବୁର୍ଲା ଭିମ୍ସାର ମେଡିକାଲ କଲେଜର ୫୧ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ର ଏକ ବାଳିକା ବିଦ୍ୟାଳୟର ୫୦ରୁ ଅଧିକ ଛାତ୍ରୀ ମହାମାରୀ ଦ୍ୱାରା କବଳିତ ହୋଇଛନ୍ତି । ପିଲାଙ୍କ ସୁରକ୍ଷା ନେଇ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଥିବା ବେଳେ ଏପରି ଚିନ୍ତାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ରାଜ୍ୟ ସରକାର, ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସଜାଗ ରହିଛନ୍ତି । ଏଥିସହ ସେ କହିଛନ୍ତି, ସୁନ୍ଦରଗଡ ଓ ବୁର୍ଲାରେ ହୋଇଥିବା ସଂକ୍ରମଣ ସେପରି କିଛି ସାଂଘାତିକ ସ୍ଥିତିକୁ ଯାଇନି । କେବଳ କିଛି ନିର୍ଦ୍ଦିଷ୍ଟ ପକେଟରେ ସଂକ୍ରମଣ ହେଉଛି । ଭିମସାର ଓ ସୁନ୍ଦରଗଡରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଚିହ୍ନଟଙ୍କଠାରେ ସିଭିଅରଟି କମ୍ ରହିଛି, ତେଣୁ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ । ହଷ୍ଟେଲରେ ପିଲାମାନେ ଏକାଠି ହୋଇ ରହୁଛନ୍ତି । ତେଣୁ କିଛି ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ହଷ୍ଟେଲରେ ସ୍ୱତନ୍ତ୍ର ଭାବରେ ସର୍ଭିଲାନ୍ସ କରାଯାଇଛି । ବାହାର ପିଲା ଭିତରକୁ ପ୍ରବେଶ କରିବେ ନାହିଁ, କି ଭିତର ପିଲା ବାହାରକୁ ଆସିପାରିବେ ନାହିଁ । ୪ରୁ ୫ ଦିନ ମଧ୍ୟରେ ସଂକ୍ରମଣ ଆୟତ୍ତକୁ ଆସିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏହାବାଦ ସେ କହିଛନ୍ତି, ଯଦି କୌଣସି ଛାତ୍ରଛାତ୍ରୀ ଥଣ୍ଡା, କାଶରେ ସଂକ୍ରମିତ ହୋଇଛନ୍ତି, ତେବେ ସ୍କୁଲ ନ ଯିବା ଭଲ । ଏଥିସହ ତୁରନ୍ତ ନିଜର ଟେଷ୍ଟ କରାଇ ନେବା ଭଲ । ଲକ୍ଷଣ କମ୍ ଥିଲେ ବି ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ । ଏହାକୁ ହେୟଜ୍ଞାନ କଲେ, ପରେ ହଇରାଣରେ ପଡ଼ିବେ । ଯାହାର କିଛି ବି ଲକ୍ଷଣ ଦେଖାଦେଉଛି, ଟେଷ୍ଟ କରାଇ ନିଅନ୍ତୁ । ଟେଷ୍ଟର ପର୍ଯ୍ୟାପ୍ତ ବ୍ୟବସ୍ଥା ଅଛି । ସ୍ୱାସ୍ଥ୍ୟକର୍ମୀଙ୍କୁ ତୁରନ୍ତ ଖବର ଦିଅନ୍ତୁ । ସବୁ ଅଞ୍ଚଳରେ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ସେମାନେ ସ୍ଥିତି ଉପରେ ନଜର ରଖି ରିପୋର୍ଟ ଦେଉଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ଉପର ତଳ ହେଉଛି କରୋନା ସଂକ୍ରମଣ ଗ୍ରାଫ୍ । ୨୪ ଘଣ୍ଟାରେ ୩୩୫ ନୂଆରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୪୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୧୯୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଓ ୧୩୮ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୮୦୦୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ସଂପୃକ୍ତ କୋଭିଡ ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୪୧ ଜଣ, ସମ୍ବଲପୁରରୁ ୫୧ ଜଣ, କଟକରୁ ୨୧ ଜଣ,ବାଲେଶ୍ୱରରୁ ୧୩ ଜଣ, ଯାଜପୁରରୁ ୧୦ ଜଣ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୮ ଜଣ ଲେଖାଁଏ, ଜଗତସିଂହପୁର ଓ ପୁରୀ ଜିଲ୍ଲାରୁ ୬ ଜଣ ଲେଖାଁଏ, ଝାରସୁଗୁଡ଼ାରୁ ୫ ଜଣ, ବରଗଡ଼, ଭଦ୍ରକ ଓ ଢ଼େଙ୍କାନାଳ ଜିଲ୍ଲାରୁ ୩ ଜଣ ଲେଖାଁଏ, ବେଦ୍ଧ ଓ ନୟାଗଡ଼ ଜିଲ୍ଲାରୁ ୨ ଜଣ ଲେଖାଁଏ,ଅନୁଗୁଳ, ଦେବଗଡ଼, ରାୟଗଡ଼ ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲରୁ ୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୮୦୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୪୦୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୭୧୫୨ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୩୪୫୪୫୯୮ ସାମ୍ପଲ ଟେଷ୍ଟ୍ ହୋଇଛି ।

Comments are closed.