ରୂପାରେ ଝଲସିବ ଶ୍ରୀମନ୍ଦିର ବେଢା

60

ପୁରୀ : ଶ୍ରୀମନ୍ଦିର ଭିତରେ ଥିବା ୭ଟି ଦ୍ୱାରର ରୂପା ଛାଉଣୀ ସରିଥିବା ବେଳେ ଏବେ ରୂପାରେ ଝଲସିବ ଶ୍ରୀମନ୍ଦିର ବେଢା ଏବଂ ଭିତରେ ଥିବା ସୂର୍ଯ୍ୟ ମନ୍ଦିରର ମୁଖ୍ୟ ଦ୍ୱାର । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଜନୈକ ଦାତା ସୂର୍ଯ୍ୟ ମନ୍ଦିର ଦ୍ୱାରର ରୂପା ଛାଉଣୀ ପାଇଁ ପ୍ରାୟ ୧୧୫ କିଲୋ ରୂପା ଦାନ କରିବେ । ବର୍ମାଟିକ କାଠରେ ଏହି ଦ୍ୱାର ତିଆରି କରାଯିବା ସହ ରୂପାଛାଉଣୀ ପାଇଁ ଖର୍ଚ୍ଚ ହେବ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା । ନିଳାଦ୍ରୀ ଭକ୍ତ ନିବାସରେ ଏହି ଦ୍ୱାର ନିର୍ମାଣ କରାଯିବ । ତେବେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏଭଳି ପଦକ୍ଷେପ ନେଇଥିବାରୁ ଏହାକୁ ସ୍ୱାଗତ କରିଛନ୍ତି ଭକ୍ତ ଓ ସେବାୟତ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । କଲିକତାର ଜଣେ ଭକ୍ତ ବା ଦାତା ସୂର୍ଯ୍ୟ ମନ୍ଦିର ମୁଖ୍ୟ ଦ୍ୱାରର ରୂପା ଛାଉଣୀ ପାଇଁ ଆବଶ୍ୟକୀୟ ରୂପା ଦାନ କରିବେ । ସୂର୍ଯ୍ୟ ମନ୍ଦିରର ମୁଖ୍ୟ ଦ୍ୱାର ରୂପା ଛାଉଣୀର ଡିଜାଇନ୍ ଏବଂ ନିର୍ମାଣ ଦାୟିତ୍ୱ ଏକ ପ୍ରତିଷ୍ଠିତ ଜୁଏଲାରୀ ସଂସ୍ଥାକୁ ଦିଆଯାଇଛି । ଏହି ଦ୍ୱାରର ରୂପା ଛାଉଣୀ ପାଇଁ ୧୧୫ କିଲୋ ରୂପା ଲାଗିବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଥିବା ବେଳେ ଏଥିପାଇଁ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି ।

ପୂର୍ବରୁ ଶ୍ରୀମନ୍ଦିର ଭିତରେ ଥିବା ୮ଟି ଦ୍ୱାରର ରୂପା ଛାଉଣୀ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ୭ଟି ଦ୍ୱାରକୁ ରୂପା ଛାଉଣୀ କରାଯାଇଛି । ୨୦୨୧ ରଥଯାତ୍ରା ସମୟରେ କେବଳ କଳାହାଟ ଦ୍ୱାରକୁ ଛାଡି ବେହରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗମଣ୍ଡପ ଦ୍ୱାର, ଲକ୍ଷ୍ମୀ ମନ୍ଦିର ଆଦି ନୃସିଂହ ଓ ବିମଳା ମନ୍ଦିର ଦ୍ୱାରର ରୂପାଛାଉଣୀ କରାଯାଇଥିଲା । ଏଥିରେ ପ୍ରାୟ ଅଢେଇ ଟନ୍ ରୂପା ଲାଗିଥିବା ବେଳେ ମୁମ୍ବାଇର ଜଣେ ଦାତା ଆବଶ୍ୟକ କାଠ ଓ ରୂପା ଦାନ କରିଥିଲେ ।

Comments are closed.