୨୦୨୪ରେ ଏସ୍ସିବିର ନବକଳେବର

68

କଟକ : ୨୦୨୪ ମସିହା ଜାନୁଆରୀ ୧ତାରିଖରେ ଦେଶବାସୀ ଦେଖିବେ ସ୍ୱାସ୍ଥ୍ୟସେବାର ବଡ଼ ଉଦାହରଣ । ୨୦୨୪ ଆରମ୍ଭରୁ ରୂପାନ୍ତରିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ହେଉଛି ନବକଳେବର । ଏଥିପାଇଁ ଖର୍ଚ୍ଚ ହେବ ୩୫୦୦ କୋଟି ଟଙ୍କା । ସାଧାରଣ ଲୋକଙ୍କୁ ମିଳିବ ବିଶ୍ୱସ୍ତରୀୟ ଚିକିତ୍ସା । ୫-ଟି କାର୍ଯ୍ୟକ୍ରମ ଅଧୀନରେ ନବକଳେବର ହେଉଛି ଏସ୍ସିବି ମେଡ଼ିକାଲ କଲେଜ । ଏସ୍ସିବିକୁ ଏମ୍ସ ପ୍ଲସ୍ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏସ୍ସିବି ନବୀକରଣ କାର୍ଯ୍ୟ ସମୀକ୍ଷା ଅବସରରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ହେଉଛି ଓଡ଼ିଶାବାସୀଙ୍କ ଭରସାର କେନ୍ଦ୍ର । ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ସରକାରୀସ୍ତରରେ ଏହା ଦେଶର ସର୍ବବୃହତ୍ ପ୍ରକଳ୍ପ । ୫ ହଜାର ଶଯ୍ୟା ସହିତ ଡାକ୍ତର, ରୋଗୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଏଠାରେ ରହିବ । ୧୭୫ ଏକର ଜମିରେ ହେଉଥିବା ଏହି ଏମ୍ଲ ପ୍ଲସ୍ ମେଡିକାଲରେ ପ୍ରଥମ ପର୍ଯ୍ୟାୟରେ ଶଯ୍ୟାସଂଖ୍ୟା ରହିବ ୩,୫୦୦ ଓ ଦ୍ୱିତୀୟ ପର୍ଯ୍ୟାୟରେ ଏହାକୁ ୫ ହଜାରକୁ ବୃଦ୍ଧି କରାଯିବ । ଅତ୍ୟାଧୁନିକ ଚିକିତ୍ସା ଉପକରଣ ସହିତ ପରିବହନ ବ୍ୟବସ୍ଥା, ଆଧୁନିକ ରେଷ୍ଟୁରାଣ୍ଟ, ବାଣିଜ୍ୟ କେନ୍ଦ୍ର ଓ ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ ସୁବିଧା ଉପଲବ୍ଧ ହେବ । ଏଥିରେ ୧୨୮୦ଟି ସରକାରୀ ବାସଗୃହ ନିର୍ମିତ ହେବା ସହିତ ଛାତ୍ରାବାସରେ ଅଧିକ ୨୨୦୦ ଜଣ ଛାତ୍ରଛାତ୍ରୀ ରହିବାର ବ୍ୟବସ୍ଥା କରାଯିବ ।

ଏହି ହସ୍ପିଟାଲର ଉନ୍ନତି ସହିତ କ୍ରୀଡା ଓ ମନୋରଞ୍ଜନ ପାଇଁ ମଧ୍ୟ ସୃଷ୍ଟି କରାଯିବ ଉତ୍ତମ ପରିବେଶ । ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଚିକିତ୍ସା ଓ ଡାକ୍ତରୀ ଶିକ୍ଷାକ୍ଷେତ୍ରରେ ବ୍ୟାପକ ପରିବତ୍ତନ ଆଣିବା ସହ ଜନସାଧାରଣଙ୍କୁ ଉଚିତ୍ ସ୍ୱାସ୍ଥ୍ୟସେବା ଦେବା,ଓଡ଼ିଶା ଲୋକ ଓଡ଼ିଶାରେ ଚିକିତ୍ସା ସୁବିଧା ପାଇବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ୧୯୪୪ ମସିହାରେ ସ୍ଥାପିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ଦୀର୍ଘଦିନ ଧରି ଓଡ଼ିଶା ସମେତ ପୂର୍ବ ଭାରତର ବିଭିନ୍ନ ରାଜ୍ୟର ଲୋକମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବାରେ ସୁନାମ କରିଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କଟକବାସୀ ।

Comments are closed.