ବିଦେଶ ଫେରନ୍ତାଙ୍କ ପାଇଁ ୧୦ଦିନିଆ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ

63

ଭୁବନେଶ୍ୱର : ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ପ୍ରଜାତି ଚିହ୍ନଟ ହେବା ପରେ ସତର୍କ କରିଛନ୍ତି ଡ଼ିଏମ୍ଇଟି ରମା ରମଣ ମହାନ୍ତି । ସେ କହିଛନ୍ତି ଏବେ ଆନ୍ତର୍ଜାତିକ ଗମନାଗମନ ସ୍ୱାଭାବିକ ହୋଇଥିବାରୁ ଆମ ଦେଶକୁ ଏହି ପ୍ରଜାତି ଆସିବାର ସମ୍ଭାବନା ରହିଛି । ଗାଇଡ଼ଲାଇନ ଅନୁସାରେ ଯଦି ଜଣେ ଯାତ୍ରୀ ଦକ୍ଷିଣ ଆଫ୍ରିକା, ବୋସ୍ୱାନ ଓ ହଂକଂରୁ ଆସୁଛନ୍ତି, ତେବେ ପ୍ରଥମେ ଟେଷ୍ଟିଂ ପରେ ଅତି କମ୍ରେ ୧୦ଦିନ ଆଇସୋଲେସନ୍ରେ ରହିବାକୁ ପଡ଼ିବ । ଯଦି ପଜିଟିଭ ଆସେ ତାହେଲେ ପ୍ରଜାତି ଯାଞ୍ଚ ହେବ । ତାହାଲେ ଏହାକୁ ରୋକି ପାରିବା ବୋଲି କହିଛନ୍ତି ଡ଼ିଏମ୍ଇଟି । ପ୍ରଜାତି ନୂଆ ହୋଇଥିବାରୁ ଏହାର ଭୟାବହତା ଓ ତିବ୍ରତା ଜଣାପଡ଼ିନାହିଁ । ତେବେ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି । ସେହିଭଳି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ସମସ୍ତ ଦେଶକୁ ଏବାବଦରେ ସୂଚନା ଦେବା ସହ ସତର୍କ କରିଛି । ତେବେ ଏହାକୁ ମାତ୍ ଦେବାକୁ ଯାତାୟାତ କଟକଣାକୁ କଡାକଡି କରାଯିବା ଆବଶ୍ୟକତା ରହିଥିବା କହିଛନ୍ତି ଡିଏମଇଟି । ଏସବୁ ଭିତରେ ଓଡ଼ିଶାର ସ୍ଥିତି ଏବେ ଭଲ ଅଛି ବୋଲି କହିଛନ୍ତି ଡ଼ିଏମ୍ଇଟି ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୮୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୨ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୪ ଜଣ, ଭଦ୍ରକରୁ ୨ ଜଣ, ବୌଦ୍ଧ ଜିଲ୍ଲାରୁ ୧ ଜଣ, କଟକରୁ ୧୫ ଜଣ, ଢେଙ୍କାନାଳରୁ ୧ ଜଣ, ଗଞ୍ଜାମ ଜିଲ୍ଲାରୁ ୬ ଜଣ, ଜଗତସିଂହପୁରରୁ ୫ ଜଣ, ଯାଜପୁରରୁ ୯ ଜଣ, ଝାରସୁଗୁଡ଼ାରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୩ ଜଣ, କେନ୍ଦୁଝରରୁ ୩ ଜଣ, ଖୋର୍ଦ୍ଧାରୁ ୯୬ ଜଣ, ମାଲକାନଗିରିରୁ ୧ ଜଣ, ମୟୂରଭଞ୍ଜରୁ ୧୫ ଜଣ, ନୟାଗଡ଼ରୁ ୪ ଜଣ, ପୁରୀରୁ ୫ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ବଲପୁରରୁ ୧୦ ଜଣ, ସୁନ୍ଦରଗଡ଼ରୁ ୧୦ ଜଣ ଓ ଷ୍ଟେଟ ପୁଲରୁ ୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୪୮ ହଜାର ୨୨୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୦ ଲକ୍ଷ ୩୭ ହଜାର ୩୮୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୨ ହଜାର ୩୮୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Comments are closed.