ପ୍ରଥମାଷ୍ଟମୀ ପରମ୍ପରା: ହୁଏ ଷଷ୍ଠୀଦେବୀଙ୍କର ପୂଜା

0 86

ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହା ପ୍ରକୃତରେ ଜ୍ୟେଷ୍ଠ ସନ୍ତାନର ସମ୍ବର୍ଦ୍ଧନା । ଏହା ଲୋକଭାଷାରେ “ପୋରୁହାଁ ଅଷ୍ଟମୀ’ ବା “ପୋଢ଼ୁଆଁ ଅଷ୍ଟମୀ’ । କାରଣ, “ପୋରୁହାଁ’ ବା “ପୋଢ଼ୁଆଁ’ ହେଉଛି “ପ୍ରଥମା’ ଶବ୍ଦର ଅପଭ୍ରଂଶ । ଏହିଦିନ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯାଏ । କାରଣ, ଷଷ୍ଠୀଦେବୀ ହେଉଛନ୍ତି “ଜ୍ୟେଷ୍ଠାଦେବୀ’ । ପାରମ୍ପରିକ ପ୍ରଥା ଅନୁସାରେ, ପ୍ରଥମାଷ୍ଟମୀ ଦିନ ଗୋଟିଏ ସ୍ଥାନକୁ
ଲିପାପୋଛା କରି, ସେଠାରେ ଅରୁଆଚାଉଳ ବଟା ପିଠଉରେ କୋଠି କଟାଯାଏ । ସେଠାରେ ଗୋଟିଏ ପିଢ଼ା ରଖି ତା’ ଉପରେ ଚିତା ପକାଯାଏ ଏବଂ ଜ୍ୟେଷ୍ଠ ସନ୍ତାନ ତା’ ଉପରେ ବସନ୍ତି । ଏହି ଜ୍ୟେଷ୍ଠ ସନ୍ତାନର ବିଚାରରେ, ପୁତ୍ର ବା କନ୍ୟା ମଧ୍ୟରେ ପାର୍ଥକ୍ୟ ନଥାଏ । ଜ୍ୟେଷ୍ଠ ସନ୍ତାନ ପୁତ୍ର ହୋଇଥିଲେ ପିଢ଼ା ଉପରେ ପତାକା ଚିତା ଏବଂ କନ୍ୟା ହୋଇଥିଲେ ପଦ୍ମଚିତା ପକାଯାଏ । ତା’ ଉପରେ ବସି ପୁତ୍ର ବା କନ୍ୟା ବନ୍ଦାପନା ହୁଅନ୍ତି । ଏହି ଉପଲକ୍ଷେ ଘରେ ଏଣ୍ଡୁରି ପିଠା ଓ ଖିରିସା ଆଦି ପ୍ରସ୍ତୁତ କରାଯାଇ ଷଷ୍ଠୀଦେବୀଙ୍କୁ ସମର୍ପଣ କରାଯାଏ ଏବଂ ଜ୍ୟେଷ୍ଠ ସନ୍ତାନକୁ ଖାଇବାକୁ ଦିଆଯାଏ । ଘରର ଅନ୍ୟ ସମସ୍ତେ ମଧ୍ୟ ଏହାକୁ ଖାଆନ୍ତି । ଏଣ୍ଡୁରିପିଠା ପାଇଁ ଯେଉଁ ସ୍ୱତନ୍ତ୍ର ଅଥାର ହାଣ୍ଡି ପ୍ରସ୍ତୁତ କରାଯାଇଥାଏ, ସାତଦିନ ଧରି ତାହା ରହେ ଏବଂ ତହିଁରେ ପିଠା ପ୍ରସ୍ତୁତ ହୁଏ । ସପ୍ତମ ଦିନ ଏହି ଅଥାର ହାଣ୍ଡି ଭଙ୍ଗାଯାଏ ।

ଏହି ପ୍ରଥମାଷ୍ଟମୀ ପରମ୍ପରାକୁ ନେଇ ଓଡ଼ିଶାରେ ଏକ ସ୍ୱତନ୍ତ୍ର ସଂସ୍କୃତି ଗଢ଼ି ଉଠିଛି । ସାଧାରଣତଃ ମାମୁଘର ପକ୍ଷରୁ ପ୍ରଥମାଷ୍ଟମୀ ଦିନ ବଡ଼ ଭଣଜା ବା ବଡ଼ ଭାଣିଜୀକୁ ଶ୍ରଦ୍ଧାର ସହ ପୋରୁହାଁ କରାଯାଇଥାଏ । ଏହାକୁ ନେଇ ସୃଷ୍ଟି ହୋଇଛି “ଅଷ୍ଟମୀ ବନ୍ଧୁ’ ସଂସ୍କୃତି । ଏକ ଉଲ୍ଲେଖନୀୟ ବିଷୟ ହେଉଛି, ଏ ସଂସ୍କୃତି କେବଳ ଜନସମାଜ ମଧ୍ୟରେ ସୀମିତ ରହିନାହିଁ; ଏହିଦିନ ଓଡ଼ିଶାର ପ୍ରମୁଖ ଦେବଦେବୀ ମଧ୍ୟ “ପୋରୁହାଁ’ ହେବାର ବିଧି ଅଛି । ଶ୍ରୀମନ୍ଦିରରେ ଏହିଦିନ ବଡ଼ ଠାକୁର ବଳଭଦ୍ର ଏବଂ ଅନ୍ୟ ଠାକୁରମାନେ ନୂତନ ବସ୍ତ୍ର ପରିଧାନ କରିଥାଆନ୍ତି । ଶ୍ରୀଲିଙ୍ଗରାଜ ମଧ୍ୟ ଏହିଦିନ ପୋରୁହାଁ ହେବାକୁ ମିତ୍ରେଶ୍ୱର ବରୁଣେଶ୍ୱର ମନ୍ଦିରକୁ ଯାଇଥାଆନ୍ତି । ଜ୍ୟେଷ୍ଠା କନ୍ୟା ଭାବରେ “ଭାର୍ଗବୀ’ ବା ମହାଲକ୍ଷ୍ମୀ ମଧ୍ୟ ଏହିଦିନ ପୋରୁହାଁ ହୁଅନ୍ତି ଏବଂ ଏହାପରର ଗୁରୁବାରରେ ମାଣ ବସାଯାଇ ତାଙ୍କର ପୂଜା କରାଯାଇ ଥାଏ ।

Leave A Reply

Your email address will not be published.