ଘଟଗାଁ ତାରିଣୀ ମନ୍ଦିରକୁ ଭକ୍ତ ପୂଜାସାମଗ୍ରୀ ନେବା ପ୍ରସଙ୍ଗ : ପ୍ରଶାସନର କଟକଣା ସତ୍ୱେ କାହା ସ୍ୱାର୍ଥରେ ଖୋଲା ରହୁଛି ଭୋଗ ଦୋକାନ, ପଡୁଛି ଚୂଳ

77

ଘଟଗାଁ/ହରିଚନ୍ଦନପୁର : କରୋନା କଟକଣା ପାଇଁ ଗତ ୨୦୨୦ ମାର୍ଚ୍ଚ ୨୨ ତାରିଖ ଠାରୁ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁସ୍ଥିତ ମା’ ତାରିଣୀ ମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ବନ୍ଦ କରିଥିଲା ପ୍ରଶାସନ । ପରବର୍ତି ସମୟରେ ଗତ ଜାନୁଆରୀ ୧୮ ତାରିଖ ଠାରୁ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିଲା । ହେଲେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମଇ ୫ ତାରିଖରେ ପୁନଃ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାକୁ ବନ୍ଦ କରାଯାଇଥିଲା । ଏହାପରେ କରୋନା ସ୍ଥିତିରେ ସୁଧାର ଆସିବାରୁ ଅଗଷ୍ଟ ମାସ ୧୦ ତାରିଖ ଠାରୁ ପୁଣି ଥରେ ଦର୍ଶନ ଚାଲୁ ରହିଛି । ତେବେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରଶାସନ ପକ୍ଷରୁ ମନ୍ଦିର ଭିତରକୁ ଶ୍ରଦ୍ଧାଳୁ ମାନେ ଭୋଗ, ଫୁଲ, ଫଳ, ଧୂପ, ଦୀପ ଆଦି ପୂଜା ସାମଗ୍ରୀ ନେବା ଉପରେ କଟକଣା ଜାରୀ କରାଯାଇଛି ।

ହେଲେ ଏଠାରେ ପ୍ରଶ୍ନ ଉଠୁଛି ପ୍ରଶାସନ ପକ୍ଷରୁ କରୋନା କଟକଣାକୁ ଦୃଷ୍ଟିରେ ରଖି ଯଦି ମାଙ୍କ ନିକଟକୁ ଭକ୍ତ ମାନେ ପୂଜା ସାମଗ୍ରୀ ଆଦି ନେବା ଉପରେ କଟକଣା ରହିଛି, ତେବେ କାହା ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭୋଗ ଦୋକାନ ଗୁଡିକ ଖୋଲା ରହୁଛି । ଏନେଇ ଖବର ନେବାରେ ଜଣାପଡିଛି ଭୋଗ ଦୋକାନୀଙ୍କ କାରବାର ଚାଲୁ ରଖିବା ପାଇଁ ଏହା ପଛରେ ଏକ ରାକେଟ୍ ବିଧିବଦ୍ଧ ଭାବେ କାର୍ଯ୍ୟ କରୁଛି । କିଛି ଅଣପୂଜକ ତାଙ୍କୁ ଏଥିରେ ସହାୟତା ଯୋଗାଉଛନ୍ତି । ଏହି ଭୋଗଦୋକାନୀ ମାନେ ଭକ୍ତଙ୍କୁ ପ୍ରଲୋଭିତ କରି ଭୋଗ କିଣିବାକୁ ବାଧ୍ୟ କରୁଛନ୍ତି । ଭକ୍ତ ମାନେ ଭୋଗ କିଣିବା ପରେ ସେମାନଙ୍କୁ ଦର୍ଶନ ପାଇଁ ମନ୍ଦିରକୁ ପଠାଇ ଦିଆଯାଉଛି । ଅଣ ପୂଜକ ମନ୍ଦିର ବାହାରେ ନିକଟସ୍ଥ ଜଙ୍ଗଲ ଓ ପରିତ୍ୟକ୍ତ ସ୍ଥାନ ମାନଙ୍କରେ ମାଙ୍କ ଉଦ୍ଦେଶ୍ୟରେ ଭକ୍ତ କିଣିଥିବା ଭୋଗକୁ ପୂଜା କରୁଛନ୍ତି, ନଡ଼ିଆ ପିଟୁଛନ୍ତି । ପରେ ଭକ୍ତଙ୍କୁ ଏହା ମାଙ୍କ ନଡ଼ିଆ ଭୋଗ ବୋଲି ଭୂତାଇ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି । ଯାହାଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରୁ ତଥା ରାଜ୍ୟ ବାହାରରୁ ଆସୁଥିବା ଭକ୍ତ ମାନେ ଅଯଥା ଆର୍ଥିକ ଶୋଷଣର ଶିକାର ହେବା ସହ ଠକାମିରେ ପଡୁଛନ୍ତି । ସେହିପରି କିଛି ଅସାଧୁ ବ୍ୟବସାୟୀ ଭକ୍ତଙ୍କୁ କୌଣସି ପ୍ରକାରେ ତାଙ୍କ ଦୋକାନରୁ ଭୋଗ କିଣିବାକୁ ବାଧ୍ୟ କରିବା ସହ ଭକ୍ତ ମାଙ୍କ ଉଦ୍ଦେଶ୍ୟରେ କିଣୁଥିବା ନଡ଼ିଆକୁ ସେମାନଙ୍କ ଦୋକାନ ଭିତରେ ପିଟୁଛନ୍ତି ଓ ସେମାନଙ୍କ ଠାରୁ ଏଥି ନିମନ୍ତେ ମଧ୍ୟ ଅର୍ଥ ଆଦାୟ କରୁଛନ୍ତି । ଏହି ଭୋଗ ଦୋକାନୀ ମାନେ ମନ୍ଦିରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ସେମାନଙ୍କ ଦ୍ୱାରା ନିୟୋଜିତ ଲୋକଙ୍କୁ ଜଗାଉଛନ୍ତି । ଏମାନେ ଭକ୍ତଙ୍କ ବାଟ ଓଗାଳିବା ସହ, ଭୋଗ କିଣିବାକୁ ବାଧ୍ୟ କରୁଛନ୍ତି ।

ଅନୁରୂପ ଭାବେ ମାଙ୍କ ନିକଟରେ ଭକ୍ତଙ୍କ ଚୂଳପକା (ମୁଣ୍ଡନ) କାର୍ଯ୍ୟ ପ୍ରଶାସନ ପକ୍ଷରୁ ବନ୍ଦ ରଖାଯାଇଥିବା ବେଳେ ଆଖପାଖରେ ଥିବା ସେଲୁନ୍ ଓ ଭୋଗ ଦୋକାନ କଡ଼ରେ ଚୂଳପକା କାର୍ଯ୍ୟ ଚାଲିଛି । ମୁଣ୍ଡନ ପାଇଁ ଏମାନେ ଭକ୍ତଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି । ତେଣୁ, ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହ ଭକ୍ତଙ୍କୁ ଏଭଳି ଶୋଷଣରୁ ବଂଚାନ୍ତୁ ଓ ସଂକ୍ରମଣକୁ ରୋକନ୍ତୁ ବୋଲି ବୁଦ୍ଧିଜିବୀ ମହଲରେ ଦାବି ହେଉଛି ।

Comments are closed.