ନିଶା ସେବନ: ସହରାଞ୍ଚଳଠୁ ଆଗରେ ଗ୍ରାମାଞ୍ଚଳ ମହିଳା

72

ଭୁବନେଶ୍ୱର : ଓଡ଼ିଶାର ଗ୍ରାମାଞ୍ଚଳରେ ୧୫ ବର୍ଷରୁ ଅଧିକ ବୟସର ପୁରୁଷ ଓ ମହିଳା ନିଶା ସହ ତମାଖୁ ସେବନ କରୁଛନ୍ତି । ଏପରିକି ମଦ୍ୟପାନ କରିବାରେ ସହରିଆଙ୍କୁ ପଛରେ ପକାଇଛନ୍ତି ଗାଁ ମହିଳା । ନିଶା ସେବନ ଓ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣରୁ ଆସିଥିବା ରିପୋର୍ଟ ଭବିଷ୍ୟତ ପିଢି ପାଇଁ ବେଶ୍ ଚିନ୍ତା ଜନକ । ପୂର୍ବରୁ ଲୋକେ ନିଶା ଖାଉଥିବା ବେଳେ ଏବେ ନିଶା ଲୋକଙ୍କୁ ଖାଇଲାଣି । ନିଶା ସେବନକୁ ନେଇ ଆସିଲା ସାଂଘାତିକ ରିପୋର୍ଟ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣରୁ ମଦ୍ୟପାନକୁ ନେଇ ପ୍ରକାଶ ପାଇଛି ଚିନ୍ତାଜନକ ରିପୋର୍ଟ । ଓଡ଼ିଶାର ୪.୩ ପ୍ରତିଶତ ମହିଳା ମଦ୍ୟପାନ କରୁଛନ୍ତି । ସହରାଞ୍ଚଳରେ ୧.୪ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୪.୯ ପ୍ରତିଶତ ମହିଳା ନିଶା କବ୍ଜାରେ । କେବଳ ସେତିକି ନୁହେଁ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ମଧ୍ୟ ୧୫ ବର୍ଷରୁ ଅଧିକ ବୟସ ବର୍ଗର ପୁରୁଷ ମଦ୍ୟପାନ କରୁଛନ୍ତି । ୨୯ ପ୍ରତିଶତ ପୁରୁଷ ରାଜ୍ୟରେ ମଦୁଆ ହୋଇଥିବା ବେଳେ ସହରାଞ୍ଚଳର ୨୩ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୩୦ ପ୍ରତିଶତ । କେବଳ ମଦ ନୁହଁ ଏନ୍ଏଫ୍ଏଚ୍ଏସ୍ର ରିପୋର୍ଟ ଅନୁସାରେ ରାଜ୍ୟରେ ତମାଖୁ ଖାଉଛନ୍ତି ୫୧ ପ୍ରତିଶତ ପୁରୁଷ ଓ ୨୬ ପ୍ରତିଶତ ମହିଳା । ସେପଟେ ମାତ୍ରାଧିକ ନିଶା ସେବନ ଦ୍ୱାରା ସମାଜରେ ଅପରାଧ ବଢ଼ିବା ସହ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଖରାପ ହେଉଛି । ଏନ୍ଏଫ୍ଏଚ୍ଏସ୍ର ରିପୋର୍ଟ ଅନୁସାରେ ୧୪ ପ୍ରତିଶତ ମହିଳା ଓ ୧୭ ପ୍ରତିଶତ ପୁରୁଷ ମଧୁମେହ ନିୟନ୍ତ୍ରଣ ପାଇଁ ଔଷଧ ଉପରେ ନିର୍ଭରଶୀଳ । କେବଳ ମଧୁମେହ ନୁହେଁ ୨୨ ପ୍ରତିଶତ ମହିଳା ଓ ୨୫ ପ୍ରତିଶତ ପୁରୁଷ ରକ୍ତଚାପର ଶିକାର । ଗାଁଠୁ ସହର ପ୍ରର୍ଯ୍ୟନ୍ତ ଫାଷ୍ଟଫୁଡ ଖାଇବା ସହ ସଫ୍ଟ ଡ୍ରିଙ୍କ୍ସର ସମସ୍ତଙ୍କୁ ଅଭ୍ୟସ୍ତ କରିଛି । ଫଳସ୍ୱରୂପ ୪୦ ବର୍ଷ ପରେ ପୁରୁଷ ବିଭିନ୍ନ ରୋଗାକ୍ରାନ୍ତ ହେଉଥିବା ବେଳେ ୫୦ ବର୍ଷରେ ମହିଳାମାନେ ରୋଗାକ୍ରାନ୍ତ ହୋଇପଡୁଛନ୍ତି ।

Comments are closed.