ସରଗରମ ହେବ ସଂସଦ ଅଧିବେଶନ

63

ନୂଆଦିଲ୍ଲୀ : ସୋମବାରଠାରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ । ଛକାପଞ୍ଝାରେ ଶାସକ ଏବଂ ବିରୋଧୀ । ଖେରି ହିଂସା, ଏମ୍ଏସ୍ପି, ଦରଦାମ ବୃଦ୍ଧି, ଭାରତ-ଚୀନ୍ ଏଲଏସି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ । ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକରେ ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି ସରକାର । ବୈଠକରେ ୩୧ଦଳ ଯୋଗ ଦେଇଥିଲେ ହେଁ ପ୍ରଧାନମନ୍ତ୍ରୀ ଯୋଗ ଦେଇନଥିଲେ । ଯାହାକୁ ନେଇ ବିରୋଧୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ମୋଦୀ ଉପସ୍ଥିତ ଥିଲେ, କୃଷି ଆଇନକୁ ନେଇ କିଛି ପ୍ରଶ୍ନ ବିରୋଧୀ କରିଥାନ୍ତେ ବୋଲି ବିରୋଧୀ କହିଛନ୍ତି । ନୂଆ ରୂପରେ ପୁଣି କୃଷି ଆଇନ ଫେରିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ମଲ୍ଲିକାର୍ଜ୍ଜୁନ ଖାଡଗେ । କିନ୍ତୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ବିରୋଧୀଙ୍କ ଏପରି ଆଶଙ୍କାକୁ ଖଣ୍ଡନ କରିବା ସହ କହିଛନ୍ତି ଯେ,ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଯୋଗ ଦେବାର ପରମ୍ପରା ପୂର୍ବରୁ ନଥିଲା । ମୋଦୀ ଏହାକୁ ଆରମ୍ଭ କରିଥିଲେ । କିନ୍ତୁ ସେ ଆଜି ଆସିପାରିନଥିଲେ ।

ସରକାରଙ୍କ ପକ୍ଷରୁ ଉକ୍ତ ବୈଠକରେ ଉପସ୍ଥିତ ଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ପିୟୂଷ ଗୋଏଲ । ସୁରୁଖୁରରେ ସଂସଦ ଚଳାଇବାକୁ ବିରୋଧୀଙ୍କ ସହଯୋଗ ଲୋଡିଥିଲେ ରାଜନାଥ ସିଂ । କାଲି ଅଧିବେଶନର ପ୍ରଥମ ଦିନରେ ସଂସଦରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ଆଣିବେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । କିଛିଦିନ ତଳେ ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ଆଜି ସର୍ବଦଳୀୟ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି । ଏମ୍ଏସିପି,ତୈଳଦର ବୃଦ୍ଧି ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ । ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛି କଂଗ୍ରେସ । ଖେରି ହିଂସା ମାମଲାରେ ମନ୍ତ୍ରିମଣ୍ଡଳରୁ ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ବହିଷ୍କାର ଦାବି କରିଥିଲେ ପ୍ରାୟ ସବୁ ଦଳ । କିନ୍ତୁ କହିବାର ସୁଯୋଗ ନମିଳିବାରୁ ବୈଠକରୁ ଅଧାରୁ ଉଠିପଳାଇଥିଲେ ଆପ୍ ସାଂସଦ ସଞ୍ଜୟ ସିଂ ।

ସ୍ୱାମୀନାଥନ୍ କମିଶନ ସୁପାରିସ୍ ଲାଗୁ କର: ବିଜେଡି

୩ କୃଷି ବିଲ୍ ପ୍ରତ୍ୟାହାରକୁ ସମର୍ଥନ କରୁଛି ବିଜେଡି । ଆସନ୍ତାକାଲି ସଂସଦ ଅଧିବେଶନରେ ଏମ୍ଏସ୍ପି ପ୍ରସଙ୍ଗ ନେଇ ସ୍ୱାମୀନାଥନ କମିଶନ ସୁପାରିସ ଲାଗୁ ପାଇଁ ବିଜେଡି ଦାବି କରିବ । ସଂସଦରେ ଆଲୋଚନା ବେଳେ ଏହି ପ୍ରସଙ୍ଗ ଦଳ ଉଠାଇବ । ଏଥିସହିତ ଦରଦାମ ବୃଦ୍ଧିକୁ ନେଇ ବିଜେଡି ଆନ୍ଦୋନଳକୁ ଓହ୍ଲାଇଛି । ତେଣୁ ଅଧିବେଶନରେ ତୈଳ, ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରସଙ୍ଗ ଉଠାଇବ ବିଜେଡି । ଏହାସହ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟମାନ୍ୟତା ଦାବି, କୋଇଲା ସେସ୍ କେନ୍ଦ୍ର ଅନୁଦାନ ଠିକ୍ ସମୟରେ ନମିଳିବା ଆଦି ପ୍ରସଙ୍ଗକୁ ସଂସଦରେ ଉତ୍ଥାପନ କରିପାରେ ଦଳ ।

Comments are closed.