ବିଶ୍ୱ ପାଇଁ ବଡ଼ ବିପଦ ଓମିକ୍ରନ

78

-ଟେଷ୍ଟିଂ, ଜିନୋମ ସିକ୍ୱେନ୍ସିଂ ଓ ସର୍ଭେଲାନ୍ସ ଉପରେ ଗୁରୁତ୍ୱ
-ଏଯାଏଁ ୧୫ ଦେଶକୁ ମାଡ଼ିଲାଣି ନୂଆ ଭାରିଆଣ୍ଟ
-ଭାରିଆଣ୍ଟ ପାଇଁ ତୃତୀୟ ଲହର ଆସିଲେ ଭୟଙ୍କର ପରିଣତ

ନୂଆଦିଲ୍ଲୀ : ବିଶ୍ୱକୁ ଓମିକ୍ରନ୍ ବିପଦ । ନିଦ ହଜାଇ ଦେଲାଣି କରୋନା ଭାଇରସ୍ର ଏହି ନୂଆ ଭାରିଆଣ୍ଟ । ବହୁରୂପୀ ଭାରିଆଣ୍ଟ ବି-୧.୧.୫୨୯ ବିଶ୍ୱ ପାଇଁ ସାଂଘାତିକ ବିପଦ ଆଣିପାରେ । ଏଥିନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ବିଶ୍ୱ ପାଇଁ ଓମିକ୍ରନ୍ ଠାରୁ ଅଧିକ ବିପଦ ରହିଛି । ଏହି ଭାରିଆଣ୍ଟ ଘନ ଘନ ରୂପ ବଦଳାଇ ପାରିବ । ୨୬,୩୨ ସ୍ପାଇକ୍ ସମେତ ବହୁସଂଖ୍ୟାରେ ମ୍ୟୁଟେସନ୍ ହୋଇପାରିବ । ଏପରିକି କିଛି ମ୍ୟୁଟେସନ୍ ଅତ୍ୟନ୍ତ ଜିନ୍ତାଜନକ । ଏହା ଡେଲ୍ଟା
ଭାରିଆଣ୍ଟଠାରୁ ୬ ଗୁଣ ଅଧିକ ସଂକ୍ରାମକ । ଏପରିକି ଟିକା ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ସଂକ୍ରମିତ କରିବାର କ୍ଷମତା ରଖିଛି ଏହି ଭାରିଆଣ୍ଟ । ବର୍ତ୍ତମାନ କରୋନା ମୁକାବିଲା ନେଇ ଚାଲିଥିବା ଚିକିତ୍ସାକୁ ମଧ୍ୟ ମାତ୍ ଦେଇପାରେ । ଓମିକ୍ରନ୍ ପାଇଁ ନୂଆ ଲହର ଆସିଲେ ପରିଣତି ଭୟାନକ ହୋଇପାରେ । ମୋଟାମୋଟି ଭାବେ ବିଶ୍ୱ ପାଇଁ ବଡ଼ ବିପଦ ଆଣିବ ଏହି ଓମିକ୍ରନ୍ ବୋଲି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଓମିକ୍ରନର ସ୍ପାଇକ୍ ପ୍ରୋଟିନରେ ଅନେକ ପରିବର୍ତ୍ତନ ହୋଇଛି, ଯାହା ଚିନ୍ତାର ବିଷୟ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି । ବର୍ତ୍ତମାନ ସୁଦ୍ଧା ଏହା ୧୩ଟି ଦେଶକୁ ବ୍ୟାପି ସାରିଲାଣି । ଏଥିପାଇଁ ସମସ୍ତ ରାଷ୍ଟ୍ରକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗାଇଡଲାଇନ୍ ଜାରି କରିଛି । ସର୍ଭେଲାନ୍ସ,ଜିନୋମ ସ୍ୱିକେନ୍ସିଂକୁ ଗୁରୁତ୍ୱ ଦେବା ସହିତ ଯେତେଶୀଘ୍ର ସମ୍ଭବ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ହୁ’ ପରାମର୍ଶ ଦେଇଛି ।

ବିଶେଷକରି ଆଦୌ ଟିକା ନେଇନଥିବା କିମ୍ବା ପୂରା ଡୋଜ୍ ଟିକା ନେଇନଥିବା ସମ୍ବେଦନଶୀଳ ବର୍ଗଙ୍କ ଟିକାକରଣ ତୁରନ୍ତ ସାରିବା ଉପରେ ଗୁରୁତ୍ୱ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏପରିକି ଅନ୍ତର୍ଜାତୀୟ ଯାତ୍ରା କଟକଣାକୁ କଡ଼ାକଡ଼ି କରିବା ପାଇଁ ହୁ’ ପରାମର୍ଶ ଦେଇଛି । ସୂଚନା ମୁତାବକ ପୂରା ବିଶ୍ୱରେ ଓମିକ୍ରନର ପ୍ରାୟ ୧୬୦ଟି ମାମଲା ସାମ୍ନାକୁ ଆସିଛି । ୟୁରୋପର ଅନେକ ଦେଶରେ ଓମିକ୍ରନ୍ ଭାରିଏଣ୍ଟ ଥିବା ଜଣାପଡିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡ, ବୋସୱାନା, ବ୍ରିଟେନ୍, ଅଷ୍ଟ୍ରେଲିଆ, ଡେନମାର୍କ, ଇସ୍ରାଏଲ, ବେଲଜିଅମ୍, ଚେକ୍ ଗଣରାଜ୍ୟ, ଇଟାଲୀ, ଜର୍ମାନୀ ଏବଂ ହଂକଂ ଏଥିରେ ସାମିଲ୍ ଅଛି । ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍କୁ ନେଇ ସର୍ବାଧିକ ୯୯ଟି ମାମଲା ସାମ୍ନାକୁ ଆସିଛି । ସେହିପରି ହଂକଂରୁ ୨୫, ନେଦରଲ୍ୟାଣ୍ଡରୁ ୧୩, ବୋସୱାନାରୁ ୬ ଏବଂ ବ୍ରିଟେନ୍ରୁ ୩ଜଣ ଚିହ୍ନଟ ହୋଇଥିବା ସୂଚନା ରହିଛି । ସେହିପରି ଅଷ୍ଟ୍ରେଲିଆ, ଡେନମାର୍କ ଓ ବେଲଜିଅମରେ ଦୁଇଟି ଲେଖାଏ ଓମିକ୍ରନ୍ ଆକ୍ରାନ୍ତ ଅଛନ୍ତି । ଇସ୍ରାଏଲ୍, ଚେକ୍ ଗଣରାଜ୍ୟ, ଇଟାଲୀ ଏବଂ ଜର୍ମାନୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଭାରତରେ ବର୍ତ୍ତମାନ ଓମିକ୍ରନ୍ ଭାରିଏଣ୍ଟର କୌଣସି ମାମଲା ସାମ୍ନାକୁ ଆସିନାହିଁ ।

ଅନ୍ୟପକ୍ଷରେ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଓମିକ୍ରନ୍ ପୂର୍ବ ପ୍ରକାର ଅପେକ୍ଷା ଅଧିକ ସଂକ୍ରମିତ ଏବଂ ଟିକାକରଣ କିମ୍ବା ପ୍ରାକୃତିକ ସଂକ୍ରମଣ ଦ୍ୱାରା ପ୍ରତିରୋଧକ ପ୍ରତିକ୍ରିୟାକୁ ମଧ୍ୟ ନିରପେକ୍ଷ କରିପାରେ । ମୋନୋକ୍ଲୋନାଲ ଆଣ୍ଟିବଡି ଥେରାପିର ପ୍ରଭାବ ଡେଲ୍ଟା ଭାରିଆଣ୍ଟରେ ଦେଖାଯାଏ, ଯାହା ଅଧିକ ସଂକ୍ରମଣର କାରଣ ହୋଇଥାଏ ଏବଂ ଲୋକଙ୍କୁ ଶୀଘ୍ର ମାରିଦିଏ । ଏହି ଚିକିତ୍ସାର ଡେଲ୍ଟା ପ୍ଲସ୍ ପ୍ରକାର ଉପରେ କୌଣସି ପ୍ରଭାବ ପଡିନଥିବା ବେଳେ କୋଭିଡ-୧୯ ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଏକ ଚମକ୍ରାର ଚିକିତ୍ସା ଭାବରେ ବିବେଚନା କରାଯାଏ । ଡେଲଟା ପ୍ଲସ୍ ପ୍ରକାର ପରେ, ଓମିକ୍ରନ୍ ହେଉଛି ଦ୍ୱିତୀୟ ପ୍ରକାର ଯାହା ମୋନୋକ୍ଲୋନାଲ ଆଣ୍ଟିବଡି ଚିକିତ୍ସା ଦ୍ୱାରା ପ୍ରଭାବିତ ହୁଏ ନାହିଁ । ୨୦୨୨ରେ ବିଶ୍ୱର ଅର୍ଥନୀତି ପୁଣି ସ୍ୱାଭାବିକ୍ ହେବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଏବେ ମଉଳିବା ଆଶଙ୍କା ଦେଖାଦେଇଛି ।

Comments are closed.