କୃଷି ଆଇନ ଫେରାଇନେଲେ ସରକାର : ବାଚନିକ ଭୋଟରେ ବିଲ୍ ପାସ୍

71

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷାଣା ପରେ ୩ କୃଷି ଆଇନ ପ୍ରତ୍ୟାହାର ବିଧେୟକ ସୋମବାର ସଂସଦରେ ଗୃହୀତ ହୋଇଛି । କୃଷି ଆଇନ ପ୍ରତ୍ୟାହାର ବିଲ୍ ଉପରେ ଆଲୋଚନା ପାଇଁ ବିରୋଧୀ ଜିଦ୍ ଧରିଥିଲେ ମଧ୍ୟ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ନଥିଲେ । ପ୍ରବଳ ହଟ୍ଟଗୋଳ ସତ୍ତେ୍ୱ ଉଭୟ ଲୋକସଭା ଓ ରାଜ୍ୟସଭାରେ କୃଷି ଆଇନ ପ୍ରତ୍ୟାହାର ବିଧେୟକ ପାରିତ ହୋଇଛି । ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଏହି ୩ କୃଷି ଆଇନ ଉଚ୍ଛେଦ ହେବ । କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରଥମେ ଲୋକସଭାରେ ଏହି ବିଲ୍ ଆଗତ କରିଥିଲେ । ଲୋକସଭାରେ ମାତ୍ର ୪ ମିନିଟରେ ୩ କୃଷି ଆଇନ ପ୍ରତ୍ୟାହାର ବିଧେୟକ ପାରିତ ହୋଇଥିଲା । ଦିନ ୧୨ଘ. ୬ମି.ରେ ବିଲ୍ ଆଗତ ହୋଇଥିଲା ଏବଂ ବିରୋଧୀଙ୍କ ଆଲୋଚନା ଦାବି ଓ ପ୍ରବଳ ହଟ୍ଟଗୋଳ ମଧ୍ୟରେ ୧୨ଘ. ୧୦ମି.ରେ ଏହା ପାରିତ ହୋଇଥିଲା । ସେହିପରି ରାଜ୍ୟସଭାରେ ଏକ ସଂକ୍ଷିପ୍ତ ଆଲୋଚନା ପରେ ୩ କୃଷି ଆଇନ ପ୍ରତ୍ୟାହାର ବିଧେୟକ ପାରିତ ହୋଇଥିଲା । ଗୃହରେ କଂଗ୍ରେସର ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଥିଲେ ଯେ, ବିଲ୍ ଉପରେ ସମସ୍ତ ଦଳ ସହମତି ପ୍ରକାଶ କରିଛନ୍ତି ଏବଂ ଏହାକୁ କେହି ବିରୋଧ କରୁନାହାନ୍ତି ।

ସୂଚନାଯୋଗ୍ୟ, ୨୦୨୦ ସେପ୍ୱେମ୍ବର ୨୭ରେ ୩ କୃଷି ବିଲ୍ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପରେ ଆଇନରେ ପରିଣତ ହୋଇଥିଲା । ଏହାପରେ ଏହି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ବର୍ଷେ ଧରି ଆନ୍ଦୋଳନ ଜାରି ରହିଥିଲା । କିଛି ଦିନ ତଳେ ଏହି ଆଇନ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ବୋଧନରେ କହିଥିଲେ,ଏହି ୩ଟି ଆଇନ କୃଷକଙ୍କ ପାଇଁ ଉପଯୋଗୀ ହୋଇଥିଲେ ମଧ୍ୟ ବୋଧ ହୁଏ ସରକାର ତାହା ସେମାନଙ୍କୁ ବୁଝାଇ ପାରିନାହାନ୍ତି । ସେଥିପାଇଁ ସେ ଦେଶବାସୀଙ୍କୁ କ୍ଷମା ମାଗିବା ସହିତ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଘରକୁ ଫେରିଯିବାକୁ କହିଥିଲେ । ସଂସଦର ଶୀତ ଅଧିବେଶନରେ ଆଇନକୁ ପ୍ରତ୍ୟାହାର କରିବାକୁ ସବୁ ପ୍ରକାରର ସାମ୍ବିଧାନିକ ବ୍ୟବସ୍ଥା ଗ୍ରହଣ କରିବୁ ବୋଲି କହିଥିଲେ । ପରେ ଏହି କୃଷି ଆଇନ୍ ପ୍ରତ୍ୟାହାର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଥିବା ବେଳେ ଆଜି ଶୀତ ଅଧିବେଶନର ପ୍ରଥମ ଦିନରେ ସଂସଦରେ ବିଲ୍ ଗୃହୀତ ହୋଇଛି ।

୧୨ ସାଂସଦ ନିଲମ୍ବିତ :

ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଦଳର ୧୨ ସାଂସଦ ରାଜ୍ୟସଭାରୁ ନିଲମ୍ବିତ । ଏହି ୧୨ସାଂସଦଙ୍କୁ ପୂରା ଅଧିବେଶନରୁ ନିଲମ୍ବିତ କରାଯାଇଛି । ଏଥିରେ କଂଗ୍ରେସର ଛଅ, ଟିଏମ୍ସି ଓ ଶିବସେନାର ଦୁଇ ଦୁଇଜଣ ସାଂସଦ ଥିବା ବେଳେ ସିପିଏମ ଓ ସିପିଆଇର ଜଣେ ଲେଖାଏଁ ସାଂସଦ ସାମିଲ ଅଛନ୍ତି । ଏମାନେ ହେଉଛନ୍ତି ସେହି ସାଂସଦ ଯେଉଁମାନେ ଗତ ଅଧିବେଶନରେ କୃଷକ ଆନ୍ଦୋଳନ ଏବଂ ଅନେକ ପ୍ରସଙ୍ଗରେ ସଂସଦର ଉଚ୍ଚ ସଦନରେ ଖୁବ୍ ହଙ୍ଗାମା କରିଥିଲେ । ଏହି ସମୟରେ ସାଂସଦମାନେ ଉପ ସଭାପତି ହରିବଂଶଙ୍କ ଉପରକୁ କାଗଜ ଫିଙ୍ଗିଥିଲେ ଏବଂ ଗୃହ କର୍ମ·ରୀଙ୍କ ସାମ୍ନାରେ ରଖାଯାଇଥିବା ଟେବୁଲ୍ ଉପରେ ଚଢି ଉତ୍ପାତ କରିଥିଲେ । ଏହି ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ଏହା ଉପରେ ରାଜ୍ୟସଭାର ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁଙ୍କୁ ନିଷ୍ପତ୍ତି ନେବାର ଥିଲା । ସୋମବାର ଯେତେବେଳେ ସଂସଦର ଅଧିବେଶନ ଆରମ୍ଭ ହେଲା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ଏହା ଉପରେ ନିଷ୍ପତ୍ତି ଶୁଣାଇଥିଲେ । ଉଲ୍ଲେଖନୀୟ ରାଜ୍ୟସଭାରେ ଏହି ସବୁ ବିରୋଧୀ ସାଂସଦଙ୍କ ଅମର୍ଯ୍ୟାହୀନ ବ୍ୟବହାରକୁ ନେଇ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଭାବୁକ ହୋଇ ପଡିଥିଲେ । ଏଥିପାଇଁ ଆଶା କରାଯାଉଥିଲା ଯେ, ସଭାପତି ଏହି ବିଷୟରେ କୌଣସି ବଡ କାର୍ଯ୍ୟାନୁଷ୍ଠାନ ନେବେ । କଂଗ୍ରେସର ଯେଉଁ ଛଅ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି, ସେମାନଙ୍କ ମଧ୍ୟରେ ଫୁଲୋ ଦେବୀ ନେତାମ, ଛାୟା ବର୍ମା, ଆର ବୋରା, ରାଜମଣି ପଟେଲ୍, ସୈୟଦ ନାସିର ହୁସେନ ଓ ଅଖିଳେଶ ପ୍ରତାପ ସିଂହ ସାମିଲ୍ । କଂଗ୍ରେସର ସାଂସଦଙ୍କ ବ୍ୟତୀତ ସିପିଏମର ଏଲମରମ କରିମ, ସିପିଆଇର ବିନୟ ବିଶ୍ୱମ, ଟିଏମ୍ସିର ଶାନ୍ତା ଛେତ୍ରୀ ଓ ଡୋଲା ସେନ, ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ ଓ ଅନିଲ୍ ଦେଶାଇଙ୍କୁ ମଧ୍ୟ ରାଜ୍ୟସଭାର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଛି ।

Comments are closed.