ଶୀତ ଅଧିବେଶନ ଆରମ୍ଭରୁ ତାତି : ୧୯,୮୩୩ କୋଟିର ଅତିରିକ୍ତ ବଜେଟ୍ ଆଗତ

67

ଭୁବନେଶ୍ୱର : ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ବୁଧବାରଠାରୁ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିବସରେ ୨୦୨୧-୨୨ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧୯ ହଜାର ୮୩୩ କୋଟିର ଟଙ୍କାର ଅତିରିକ୍ତ ବଜେଟ ଆଗତ କରିଛନ୍ତି । ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳକୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି । ସେହିପରି ପଞ୍ଚାୟତରାଜ ଓ ଶକ୍ତି ବିଭାଗ ଆଦି ୫-ଟି ବିଭାଗ ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ଏଥିରେ ରାଜ୍ୟ ସରକାର ପଞ୍ଚାୟତିରାଜ ବିଭାଗ ପାଇଁ ସର୍ବାଧିକ ୩୬୨୪ କୋଟିର ବ୍ୟୟବରାଦ କରିଛନ୍ତି । ସେହିପରି ଶକ୍ତି ବିଭାଗ ପାଇଁ ୨୧୪୩ କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୧୬୦୫ କୋଟି, କୃଷି ପାଇଁ ୧୭୬ କୋଟି, ସ୍ୱାସ୍ଥ୍ୟ ପାଇଁ ୨୩୧୦ କୋଟି, ଅର୍ଥ ବିଭାଗକୁ ୨୫୧୯ କୋଟି ଓ ପ୍ରଶାସନିକ ବ୍ୟୟବରାଦ ପାଇଁ ୪୫୭୭ କୋଟି ଟଙ୍କାର ବ୍ୟୟ କରିଛନ୍ତି । ସେହିପରି ବିପର୍ଯ୍ୟୟ ପ୍ରଶମନ ପାଇଁ ୧୬୮୨ କୋଟି କୋଟି ବ୍ୟୟବରାଦ ହୋଇଥିବା ବେଳେ କାର୍ଯ୍ୟକ୍ରମ ବ୍ୟୟ ୧୩,୫୬୮ କୋଟି କରାଯାଇଛି । ଖାଦ୍ୟଯୋଗାଣ ପାଇଁ ୧୧୪୧ କୋଟି, ଗୃହ ବିଭାଗ ପାଇଁ ୫୫୧କୋଟି, ଗ୍ରାମ୍ୟ ଉନ୍ନୟନ ପାଇଁ ୫୭୭କୋଟି, ଜଳସମ୍ପଦ ବିଭାଗ ପାଇଁ ୪୦୫କୋଟିର ବ୍ୟୟବରାଦ ହୋଇଛି ।

ସେହିପରି ସାମାଜିକ ନିରାପତ୍ତା ପାଇଁ ୫୮୫କୋଟି, ଜନସ୍ୱାସ୍ଥ୍ୟ ବିଭାଗ ପାଇଁ ୨୦୩୮କୋଟି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ୪୯୮.୫୧କୋଟି, ମହିଳା ସଶକ୍ତିକରଣ ଓ ଶିଶୁ ବିକାଶ ପାଇଁ ୨୫୩କୋଟି, ଆଦିବାସୀ ବିକାଶ ପାଇଁ ୧୪୩ କୋଟି,ଶିକ୍ଷା ଓ କ୍ରୀଡ଼ା ବିକାଶ ପାଇଁ ୧୩୧୧କୋଟି, ଗ୍ରାମ୍ୟ ଗୃହ ନିର୍ମାଣ କର୍ମନିଯୁକ୍ତି ଓ ଜଳଯୋଗାଣକୁ ୩୯୧କୋଟି, ଭିତ୍ତିଭୂମି, ଶକ୍ତି, ସୂଚନା ଓ ପ୍ରଯୁକ୍ତି ବିଭାଗକୁ ୨୫୦୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ପ୍ରବଳ ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ୨୦୨୧-୨୨ ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିଥିଲେ । ଅତିରିକ୍ତ ବଜେଟ ଉପସ୍ଥାପନ ବେଳେ ଗୃହରେ ମମିତା ଝଡ଼ ଦେଖିବାକୁ ମିଳିଥିଲା । ମମିତା ମେହେର ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ବିଧାୟକମାନେ ପ୍ରବଳ ହଟ୍ଟଗୋଳ କରିଥିଲେ । ବିରୋଧ ସଭ୍ୟମାନେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ । ବିଜେପି ସଭ୍ୟମାନେ କଳାଗାମୁଛା ପ୍ରଦର୍ଶନ କରିଥିଲେ । ଅତିରିକ୍ତ ବଜେଟ ଉପସ୍ଥାପନ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆସନ୍ତାକାଲି ଯାଏ ବିଧାନସଭାକୁ ମୁଲତବୀ ରଖିଛନ୍ତି ।

ଅନ୍ୟପକ୍ଷରେ ଶୀତ ଅଧିବେଶନ ଆରମ୍ଭରୁ ବିଧାନସଭାରେ ତାତି ଦେଖିବାକୁ ମିଳିଛି । ବିରୋଧୀ କଂଗ୍ରେସ ଏବଂ ବିଜେପି ସଦସ୍ୟମାନେ ଗୃହରେ ଜୋରଦାର ହଙ୍ଗାମା କରିଛନ୍ତି । ମମିତା ମେହେର ଘଟଣାକୁ ନେଇ କଂଗ୍ରେସ ସଦସ୍ୟମାନେ ବିଧାନସଭାର ଗୋଟିଏ ଗେଟ୍ରେ ତାଲା ପକାଇ ଦେଇଥିଲେ । ସେହିପରି ବିଜେପି ସଦସ୍ୟମାନେ ମଧ୍ୟ ଜୋରଦାର ପ୍ରତିବାଦ କରିଥିଲେ । ଆବାସ ଗୃହ ପ୍ରଦାନରେ ଦୁର୍ନୀତି ନେଇ ବିଜେଡି ଏକ ପଦଯାତ୍ରା କରିଥିଲା । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବା ପାଇଁ ରାଜଭବନରେ ପହଞ୍ଚିଥିଲା ବିଜେଡି ବିଧାୟକ ଦଳ । କେନ୍ଦ୍ର ସରକାରଙ୍କ ଏଭଳି ପାତରଅନ୍ତର ନୀତିରୁ ଦୂରେଇ ରୁହନ୍ତୁ, ନଚେତ୍ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ବିଜେଡି ଚେତାବନୀ ଦେଇଛି ।

ଶୋକ ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ :

ଆରମ୍ଭ ହୋଇଛି ବିଧାନସଭା ଶୀତକାଳୀନ ଅଧିବେଶନ । ଦିବଂଗତ ସଦସ୍ୟଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଭିଡିଓ କନଫରେନ୍ସିଂରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା, ଉମେଶ ଚନ୍ଦ୍ର ସ୍ୱାଇଁ, ରାମରାୟ ମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ ହୋଇଛି । ପୂର୍ବତନ ସିପାହୀ ସୀତାରାମ ମୁର୍ମୁଙ୍କ ପାଇଁ ମଧ୍ୟ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କରୋନା ଯୋଦ୍ଧାଙ୍କ ପାଇଁ ମଧ୍ୟ ଶୋକପ୍ରସ୍ତାବ ଆଗତ ହୋଇଛି । ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରିଛନ୍ତି । ଶୋକପ୍ରସ୍ତାବ ଆଗତ ପରେ ଅପରାହ୍ନ ୫ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Comments are closed.