ତୃତୀୟ ଲହର ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : କୋଭିଡ୍ କଟକଣା କଡ଼ାକଡ଼ି କର

62

ଭୁବନେଶ୍ୱର : କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ “ଓମିକ୍ରନ୍’ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇଛି । ତେଣୁ ସତର୍କ ରହିବା ସହିତ କଡାକଡି କୋଭିଡ୍ ନିୟମ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡର ନୂଆ ଭାରିଆଣ୍ଟର ଭୟାବହତା ସଂପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁ ଦେଶକୁ ସତର୍କ କରାଇ ଦେଇଛନ୍ତି । ଏହା ଗୁରୁତର ପ୍ରଭାବ ପକାଇବାର ମଧ୍ୟ ଅଶଙ୍କା ବ୍ୟକ୍ତ କରିଛନ୍ତି । ଗତ କିଛି ସପ୍ତାହ ହେଲା ୟୁରୋପରେ ସଂକ୍ରମଣ ବୃଦ୍ଧି ପାଇଛି । ଏହି ନୂଆ ଭାରିଆଣ୍ଟ ଅଧିକ ସଂକ୍ରମଣକାରୀ ହୋଇଥିବାରୁ ଜନସାଧାରଣ ଅଧିକ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି, ପ୍ରଥମରୁ ଓଡ଼ିଶା ଏହି ମହାମାରୀ ମୁକାବିଲା ପାଇଁ ସତର୍କତା ମୂଳକ ପଦକ୍ଷେପ ନେଇ ଆସିଛି । ଆହ୍ୱାନମୂଳକ ପରିସ୍ଥିତି ସତ୍ତେ୍ୱ ଜନସାଧାରଣଙ୍କ ସହଯୋଗରେ ଓଡ଼ିଶା ସଫଳତାର ସହିତ ପ୍ରଥମ ଓ ଦ୍ୱିତୀୟ ଲହରର ମୁକାବିଲା କରିଛି ।

ବର୍ତ୍ତମାନ ପରିସ୍ଥିତିର ଆମେ ମଧ୍ୟ ସଫଳ ମୁକାବିଲା କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । କୋଭିଡ୍ ନିୟମର ଯେପରି କଡାକଡି ଭାବେ ପାଳନ କରାଯିବ, ସେଥିପ୍ରତି ପଦକ୍ଷେପ ନେବା ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ଆଦି କୋଭିଡ୍ ନିୟମ ସଂପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ମିଶନ ଶକ୍ତି ଗ୍ରୁପ ପର୍ଯ୍ୟନ୍ତ ସମାଜର ସବୁ ବର୍ଗର ଲୋକଙ୍କୁ ସାମିଲ କରି ସଚେତନତା ତଥା କୋଭିଡ ନିୟମ ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଲୋଚନାରେ ଭାଗ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଲେ ଯେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ପୁରାପୁରି ସତର୍କ ଅଛନ୍ତି । କୋଭିଡ ଭିତ୍ତିଭୂମିକୁ ସୁଦୃଢ ରହିଛି ଏବଂ ତାକୁ ଆହୁରି ଅଧିକ ଜୋରଦାର କରିବା ପାଇଁ ପଦକ୍ଷେପ ନିଆଯାଉଛି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା କୋଭିଡ ମୁକାବିଲା ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ ।

ସେ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ଟେଷ୍ଟ ପଜିଟିଭ ହାର ମାତ୍ର ୦.୪୪ ପ୍ରତିଶତ ରହିଛି । ଚାରୋଟି ଜିଲ୍ଲା ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ସମ୍ବଲପୁରର କିଛି ଅଞ୍ଚଳରେ ଅପେକ୍ଷାକୃତ ଅଧିକ କେସ୍ ବାହାରିଥିଲେ ମଧ୍ୟ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି । ନୂଆ ରୋଗୀମାନଙ୍କର ଜିନୋମ ସିକ୍ୱେନିଂ ପାଇଁ ମଧ୍ୟ ନମୁନା ପଠାଯାଉଛି । ରାଜ୍ୟରେ ପ୍ରଥମ ଡୋଜ ଟିକାକରଣ ୮୫.୬ ପ୍ରତିଶତ ଥିବାବେଳେ ଦ୍ୱିତୀୟ ଡୋଜ ଟିକାକରଣ ୪୮.୪ ପ୍ରତିଶତ ରହିଛି, ଯାହା କି ଜାତୀୟ ହାରଠାରୁ ଉନ୍ନତ ରହିଛି । ଘରକୁ ଘର ବୁଲି ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି । ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କୋଭିଡରୁ ମୁକାବିଲା ପାଇଁ ପ୍ରସ୍ତୁତିକୁ ଆହୁରି ଉନ୍ନତ କରିବା, ଅକ୍ସିଜେନ୍ ସପ୍ଲାଇ ଚେନ୍କୁ ଆହୁରି ମଜବୁତ୍ କରିବା ଏବଂ ଘରୋଇ ହସ୍ପିଟଲଗୁଡିକୁ କୋଭିଡ ଚିକିତ୍ସା ପାଇଁ ପ୍ରସ୍ତୁତି ରଖିବା ଉପରେ ଗୁରୁତ୍ୱ ଦେଇଥିଲେ । ବୈଠକରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ,ପୋଲିସ କମିଶନରଙ୍କ ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ମହାନଗର ନିଗମଗୁଡିକର କମିଶନର ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

Comments are closed.