ସମନ୍ୱୟ ରକ୍ଷା କରି କାମ କର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ : ଓମିକ୍ରନ୍ ନେଇ ସାରା ବିଶ୍ୱ ଛାନିଆ

66

-ଅନ୍ତର୍ଜାତୀୟ ସୀମା ସିଲ୍ କଲେ ସ୍ଥିତି ହେବ ସଂଗୀନ୍
-୧୦ ଦିନରେ ୨୧ ଦେଶକୁ ବ୍ୟାପିଲାଣି ଭାରିଆଣ୍ଟ

ନୂଆଦିଲ୍ଲୀ : କରୋନା ଭାରିଆଣ୍ଟର ଏହି ନୂଆ ପ୍ରଜାତି କେତେ ଭୟଙ୍କର ହେବ ତାହା ଏଯାଏ ଜଣାପଡ଼ିନାହିଁ । କିନ୍ତୁ ପୂରା ବିଶ୍ୱ ପାଇଁ ଓମିକ୍ରନ୍ ଏବେ ଚିନ୍ତାର କାରଣ ପାଲଟିଛି । ୧୦ଦିନରେ ଏହି ଭୂତାଣୁ ବିଶ୍ୱର ୨୧ଟି ଦେଶକୁ ବ୍ୟାପି ସାରିଲାଣି । ଅନେକ ରାଷ୍ଟ୍ର ସୀମା ସିଲ୍ କରିବା ସହିତ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇ ସାରିଲେଣି । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଶାନ୍ତ ରହିବାକୁ ପରାମର୍ଶ ଦେବା ସହିତ ସୁସଙ୍ଗତି ଓ ସମନ୍ୱୟ ରକ୍ଷା କରି କାମ କରିବା ପାଇଁ ଆହ୍ୱାନ ଦେଇଛି । ହୁ ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରିୟେସସ କହିଛନ୍ତି ଓମିକ୍ରନ୍ ଭାରିଆଣ୍ଟ କେତେ କ୍ଷତିକାରକ ହେବ ତାହା ଏଯାଏ ଜଣାପଡ଼ିନାହିଁ । ଏହାର ପ୍ରଭାବ କ’ଣ ରହିବ ତାହାକୁ ନେଇ ଆମ ପାଖରେ ଉତ୍ତର ଠାରୁ ପ୍ରଶ୍ନ ଅଧିକ । ବାସ୍ତବ ଓ ଯଥାଯୋଗ୍ୟ ପଦକ୍ଷେପ ନେବାକୁ ସମସ୍ତ ରାଷ୍ଟ୍ରକୁ ପରାମର୍ଶ ଦେବା ସହିତ ସୀମାକୁ ପୂରା ସିଲ୍ କରିବା ସମାଧାନ ନୁହେଁ । ଆବଶ୍ୟକୀୟ ଅନ୍ତର୍ଜାତୀୟ ଯାତ୍ରା ବନ୍ଦ ହେଲେ ସ୍ଥିତି ଆହୁରି ସଂଗୀନ ହେବ । ତେବେ ସମ୍ପୂର୍ଣ୍ଣ ଟିକା ନେଇନଥିବା ଓ ସମ୍ବେଦଶୀଳ ବର୍ଗ ବର୍ତ୍ତମାନ ପରିପ୍ରେକ୍ଷୀରେ ଯାତ୍ରା ସ୍ଥଗିତ ରଖିବାକୁ ହୁ’ ମୁଖ୍ୟ ପରାମର୍ଶ ଦେଇଛନ୍ତି ।

ଓମିକ୍ରନ୍ ଭୟରେ ୫୦ରୁ ଅଧିକ ଦେଶ ଯାତ୍ରା କଟକଣା ଲଗାଇ ସାରିଲେଣି । ଭାରତ ମଧ୍ୟ ବ୍ୟବସାୟିକ ଅନ୍ତର୍ଜାତୀୟ ଉଡ଼ାଣ ନିଷ୍ପତ୍ତିକୁ ସ୍ଥଗିତ ରଖିଛି । ଆସନ୍ତା ୧୫ ତାରିଖରୁ ଅନ୍ତର୍ଜାତୀୟ ବ୍ୟବସାୟିକ ଉଡ଼ାଣ ଆରମ୍ଭ କରିବାକୁ ନିଷ୍ପତ୍ତିକୁ ବଦଳାଇ ଦେଇଛି । ଅନ୍ତର୍ଜାତୀୟ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିଛି ଭାରତ । ଓମିକ୍ରନ୍ ପାଇଁ ନୂଆ ଟ୍ରାଭେଲ ଗାଇଡ୍ଲାଇନ ଜାରି ହୋଇଛି । ବିପଦ ଥିବା ଦେଶରୁ ଆସୁଥିବା ଯାତ୍ରୀଙ୍କୁ ଭାରତରେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି । ଏପରିକି ଯାତ୍ରୀ ନିଜ ଖର୍ଚ୍ଚରେ କୋଭିଡ୍ ଟେଷ୍ଟ କରିବେ । ଆବଶ୍ୟକ ହେଲେ ସ୍ୱତନ୍ତ୍ର ବୁଷ୍ଟର ଡୋଜ୍ ଆସିବ ବୋଲି କହିଛନ୍ତି ସେରମ୍ ଇନ୍ଷ୍ଟିଚ୍ୟୁଟ୍ ସିଇଓ ଆଦର ପୁନୱାଲା । ଓମିକ୍ରନ୍କୁ ଆଧାର କରି କୋଭିସିଲ୍ଡର ନୂଆ ସଂସ୍କରଣ ଆସିବ ବୋଲି ସେ କହିଛନ୍ତି । ଏଥିସହିତ ଅକ୍ସଫୋର୍ଡରେ ବୈଜ୍ଞାନିକମାନେ ଓମିକ୍ରନ୍ ଉପରେ ଗବେଷଣା ଜାରି ରଖିଛନ୍ତି।

Comments are closed.