ଓଡ଼ିଶାରେ ପ୍ରକୋପ ଛାଡ଼ିବ ‘ଜୱାଦ’

66

-୪ଜିଲ୍ଲାକୁ ରେଡ୍ ଓ ୭ ଜିଲ୍ଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଧାନ ଅମଳ ସମୟରେ ଆସୁଛି ବାତ୍ୟା । ପ୍ରବଳ ଛେଚିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଏମଡି) ପୂର୍ବାନୁମାନ କରୁଥିବା ଡିସେମ୍ବର ୪ ତାରିଖ ପାଇଁ ଗଜପତି,ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ଏହାକୁ ନେଇ ଚାଷୀଙ୍କ ମଧ୍ୟ ଛନକା ପଶି ଯାଇଛି । ତେଣୁ ତର ତର ହୋଇ ଅମଳ ଧାନକୁ ଘରକୁ ନେଇ ଆସୁଛି । ମଙ୍ଗଳବାର ଦକ୍ଷିଣ ଆଣ୍ଡାମାନ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିଲା ଲଘୁଚାପ । ଏହା ଆଣ୍ଡାମାନ ସାଗରରେ ପ୍ରବେଶ କରିବା ପରେ ଆଜି କେନ୍ଦ୍ରୀୟ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ଆସନ୍ତାକାଲି ଅର୍ଥାତ ୨ ତାରିଖରେ ଏହା ଘନୀଭୂତ ହୋଇ ଏକ ଅବପାତର ରୂପ ନେବ । ଲଘୁଚାପ ଅବପାତର ରୂପ ନେବାର ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଆହୁରି ତୀବ୍ର ହୋଇ ୪ ତାରିଖ ସକାଳ ସମୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଓଡ଼ିଶା ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏଥିସହ ପ୍ରବଳ ବେଗରେ ପବନ ମଧ୍ୟ ବହିବ । ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୩ ତାରିଖ ସକାଳ ସାଢ଼େ ୮ଟାରୁ ୪ ତାରିଖ ସକାଳ ସାଢ଼େ ୮ଟା ଭିତରେ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୪ ତାରିଖ ସକାଳ ସାଢ଼େ ୮ଟାରୁ ୫ ତାରିଖ ସକାଳ ସାଢ଼େ ୮ଟା ଭିତରେ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳବର୍ଷା ହେବ । ଏଥିସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଠିକ୍ ସେହିପରି ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳବର୍ଷା ହେବାର ଆଶଙ୍କା କରାଯାଉଛି । ସେଥିପାଇଁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଏହାଛଡ଼ା ଭଦ୍ରକ, ବାଲେଶ୍ୱର ଓ ମାଲକାନଗିରି ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୫ ତାରିଖ ସକାଳ ସାଢ଼େ ୮ଟାରୁ ୬ ତାରିଖ ସକାଳ ସାଢ଼େ ୮ଟା ଭିତରେ କେନ୍ଦୁଝର, ଢ଼େଙ୍କାନାଳ, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ଭୁବନେଶ୍ୱର
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

‘ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖ’ :

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ହୋଇଛି । ତେବେ ଏହି ବୈଠକରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକର ଜିଲ୍ଲାପାଳ ଉପସ୍ଥିତ ରହିଛନ୍ତି । ଏହା ସହ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ସେପଟେ ଆହୁରି ସକ୍ରିୟ ହେଉଛି ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ
ଲଘୁଚାପ । କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ପହଞ୍ଚିଛି ଲଘୁଚାପ । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ୨ ତାରିଖରେ ଅବପାତର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି । ପ୍ରଭାବରେ କାଲିଠୁ ଓଡିଶାରେ ବଦଳିବ ପାଗ । ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବ । ୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ନୟାଗଡ଼ ଏବଂ ଯାଜପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସର୍ତକତା ଜାରି କରାଯାଇଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିପାରେ । ବାତ୍ୟା ସମୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବ । ଏଥିପାଇଁ କାଲିସୁଦ୍ଧା କୂଳକୁ ଫେରିଆସିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ବାତ୍ୟାକୁ ନେଇ ଯଥେଷ୍ଟ ସଚେତନ ଥିବାବେଳେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଉଦ୍ଧାରକାରୀ ଦଳ ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୪ ତାରିଖ ସୁଦ୍ଧା ବାତ୍ୟା ଜୱାଦର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ବର୍ଷା ଓ ପବନ ହେବା ନେଇ ଜାତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ତେବେ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫାୟାର, ଓଡ୍ରାଫ, ଏନଡ଼ିଆରଏଫକୁ ସଜାଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବାତ୍ୟା ପାଇଁ ପ୍ରସ୍ତୁତ ରହିବେ ୧୦୮ଟି ଓଡ୍ରାଫ ଟିମ୍, ୨୦୦ଟି ଫାୟାର ଟିମ୍ । ଜୱାଦ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ବିଶେଷ ପ୍ରଭାବ ପଡ଼ିବାକୁ ଥିବାବେଳେ ଉପକୂଳର ସମସ୍ତ ଜିଲ୍ଲାବାସୀ ମଧ୍ୟ ସଜାଗ ରହିବାକୁ କୁହାଯାଇଛି ।

Comments are closed.