ମାନିଲେ ଭ୍ୟାକ୍ସିନ ନିର୍ମାତା : ଓମିକ୍ରନ ଆଗରେ କରୋନା ଟିକା ଅକାମି

72

ନୂଆଦିଲ୍ଲୀ : ବିଶ୍ୱରେ କରୋନା ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ଆତଙ୍କ ଦେଖାଦେଇଛି । ଏପରି ସ୍ଥଳେ ବିଶେଷଜ୍ଞଙ୍କ ବିବୃତି ଲୋକଙ୍କୁ ଆହୁରି ଭୟଭୀତ କରିଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଓମିକ୍ରନର ସ୍ପାଇକ ପ୍ରୋଟିନରେ ବହୁତ ପରିବର୍ତ୍ତନ ହୋଉଛି । ତେଣୁ କରୋନା ମହାମାରୀ ଲଢେଇରେ ବ୍ୟବହାର କରାଯାଉଥିବା ଟିକାର ପ୍ରଭାବ ହ୍ରାସ ପାଇବାର ସମ୍ଭାବନା ଅଧିକ ରହିଛି । ମଡେର୍ଣ୍ଣାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଷ୍ଟିଫେନ ବେନସେଲ କହିଛନ୍ତି ଯେ, ବର୍ତ୍ତମାନ ଉପଲବ୍ଧ ହେଉଥିବା କରୋନା ଟିକା ଓମିକ୍ରନ ଭ୍ୟାରିଆଣ୍ଟ ଉପରେ କମ ପ୍ରଭାବଶାଳୀ ହୋଇପାରେ । ଏଥି ସହିତ ସେ କହିଛନ୍ତି ଯେ ଟିକା ଉତ୍ପାଦନକାରୀ କମ୍ପାନୀମାନେ ଅନ୍ୟ ଏକ ଟୀକା ତିଆରି ପାଇଁ କିଛି ମାସ ସମୟ ଲାଗିପାରେ । ଷ୍ଟିପେନ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି ଯେ ଓମିକ୍ରନର ସ୍ପାଇକ ପ୍ରୋଟିନରେ ବହୁ ସଂଖ୍ୟକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ନୂତନ ପ୍ରକାର ଆଣ୍ଟିବଡିର ଆବଶ୍ୟକତା ରହିଛି ।

ଅନ୍ୟପକ୍ଷରେ ସମଗ୍ର ବିଶ୍ୱରେ ପୁଣି ଥରେ କରୋନା ଭୂତାଣୁ ଭୟ ଘାରିଛି । ଭୁତାଣୁର ନୂଆ ରୂପ “ଓମିକ୍ରନ୍’ ପାଇଁ ପୁଣି ଅଧିକାଂଶ ଦେଶ ନିଜର ସୀମା ସିଲ କରିବା ଆରମ୍ଭ କରିଛନ୍ତି । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ସଂକ୍ରମଣ ପ୍ରଥମେ ଚିହ୍ନଟ ହୋଇଥିବା ନେଇ ଦାବି ହେଉଥିବା ବେଳେ ଏହାର ଗୋଟିଏ ସପ୍ତାହ ପୂର୍ବରୁ ନେଦରଲାଣ୍ଡରେ ଏହି ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସାଉଥ ଆଫ୍ରିକାରୁ ଦୁଇଟି ବିମାନରେ ଓମିକ୍ରନ୍ ସଂକ୍ରମିତ ନେଦରଲାଣ୍ଡରେ ପହଞ୍ଚିବାର ଗୋଟିଏ ସପ୍ତାହ ପୂର୍ବରୁ ନେଦରଲାଣ୍ଡରେ ଓମିକ୍ରନ୍ ଭୂତାଣୁ ନିଜର ଉପସ୍ଥିତି ଜାହିର କରିସାରିଥିଲା । ସାଉଥ ଆଫ୍ରିକାରୁ ବିମାନ ନେଦରଲାଣ୍ଡରେ ପହଞ୍ଚିବା ପୂର୍ବରୁ ନଭେମ୍ୱର ୧୯ ଏବଂ ୨୩ରେ ସଂଗ୍ରହ କରାଯାଇଥିବା ସାମ୍ପଲ ପଜିଟିଭ୍ ଚିହ୍ନଟ ହୋଇଥିଲା । ଏନେଇ ଜାତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନ (ଆରଆଇଭିଏମ୍) ସୂଚନା ଦେଇଛି । ପରେ ନଭେମ୍ୱର ୨୬ ତାରିଖରେ ଜୋହାନ୍ସବର୍ଗ ଏବଂ କେପଟାଉନ୍ରୁ ମୋଟ ୧୪ ଜଣ ଯାତ୍ରୀ ଅମଷ୍ଟରଡାମର ସ୍କିପ୍ହୋଲ୍ ବିମାନବନ୍ଦରରେ ପହଞ୍ଚିଥିଲେ । ସେମାନଙ୍କ ସହ ଓମିକ୍ରନ୍ ମଧ୍ୟ ଦେଶରେ ପହଞ୍ଚିଛି । ଏନେଇ ଜଣାପଡ଼ିବା ପରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ବୋଲି ଆରଆଇଭିଏମ୍ ପକ୍ଷରୁ କୁହାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ ନଭେମ୍ବର ୨୪ ତାରିଖରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଓମିକ୍ରନ୍ ସଂକ୍ରମଣ ମିଳିଥିଲା । ତାପରେ ଦକ୍ଷିଣ ଆଫ୍ରିକାରୁ ଦୁଇ କେଏଲଏମ ବିମାନରେ ୧୪ ଓମିକ୍ରନ୍ ଭାରିଏଣ୍ଟ ସଂକ୍ରମିତ ନେଦରଲାଣ୍ଡରେ ପହଞ୍ଚିଥିବା କୁହାଯାଉଛି । ଏହା ବ୍ୟତୀତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ଔପଚାରିକ ଭାବେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ଭୂତାଣୁ ନେଇ ସୂଚନା ମିଳିବା ପୂର୍ବରୁ ଅନ୍ୟ ୟୁରୋପୀୟ ଦେଶରେ ମଧ୍ୟ ଏହି ଭୂତାଣୁ ଚିହ୍ନଟ ହୋଇଥିଲା ।

Comments are closed.