ଫୁଲବାଣୀରେ ୯ ଓ ଦାରିଙ୍ଗବାଡିରେ ୭ ଡିଗ୍ରୀ ତାପମାତ୍ରା କନ୍ଧମାଳରେ ଶୀତ ଲହରି ଜାରୀ

73

କନ୍ଧମାଳ : କନ୍ଧମାଳ ଜିଲ୍ଲାରେ ତାପମାତ୍ରା ଦିନକୁ ଦିନ କମିବା ସହିତ ଶୀତର ପ୍ରକୋପ ବଢିବାରେ ଲାଗିଛି । ଆଜି ଓଡିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳର ଦାରିଙ୍ଗବାଡିରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀର ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଛି । ଏହାର ପ୍ରଭାବରେ ଜିଲାର ଦାରିଙ୍ଗବାଡି, ଫୁଲବାଣୀ, ଘୁ.ଉଦୟଗିରି, ବାଲିଗୁଡା, ଫିରିଙ୍ଗିଆ ଏବଂ ଜିଲ୍ଲାର ଅନ୍ୟାନ୍ୟ ଅଂଚଳରେ ଭୀଷଣ ଶୀତ ଅନୁଭୂତ ହେଉଛି। ଏହାଦ୍ବାରା ଲୋକଙ୍କ ଦୈନନ୍ଦିନ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଲୋକେ ସକାଳୁ କିଛି କାମ କରୁଥିବା ବେଳେ ଶୀତରେ ଥରୁଥିବା ଦେଖିବାକୁ ମିଳିଛି । ମୁଖ୍ୟତଃ ଖଟିଖିଆ ଓ ମଜୁରିଆ ଶ୍ରେଣୀର ଲୋକଙ୍କ ପାଇଁ ଏହା ଅଧିକ କଷ୍ଟକର ହେଉଛି । ତେବେ ଗରିବ ଓ ବାସହୀନ ଲୋକଙ୍କ ପାଇଁ ରାତ୍ରିକାଳୀନ ଆଶ୍ରୟ ସ୍ଥଳୀ ନିର୍ମାଣ ହୋଇ ନଥିବା ଏବଂ ସେମାନଙ୍କ ପାଖରେ ଶୀତ ବସ୍ତ୍ରର ଅଭାବ ଥିବାରୁ ସେମାନେ ମଧ୍ୟ ରାତ୍ରିଯାପନ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହିଭଳି ଲୋକମାନଙ୍କୁ କମ୍ବଳ ବଣ୍ଟନ କରିବା ପାଇଁ ଜିଲ୍ଲା ପ୍ରଶାସନ ରାଜ୍ୟ ରେଡକ୍ରସରୁ ୫ ଶହ କମ୍ବଳ ଆଣିବା ପାଇଁ ଚିଠି ଲେଖିଥିବା ଜଣାପଡିଛି । ତେବେ ଏହି ପ୍ରକ୍ରୀୟା ଶୀତ ଋତୁ ଆସିବା ଆଗରୁ ଆରମ୍ଭ କଲେ ଗରିବ ଲୋକେ ଠିକ୍ ଶୀତ ସମୟରେ ଏହି ସହାୟତା ପାଇପାରନ୍ତେ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।

Comments are closed.