ଅବପାତର ରୂପ ନେଲା ‘ଜୱାଦ’, ଓଡ଼ିଶାକୁ ଦେଖାଇବ ନାଲିଆଖି: ଆଲର୍ଟରେ ୧୪ ଜିଲ୍ଲା

74

-୨୪ ଘଣ୍ଟାରେ ବାତ୍ୟାର ରୂପ ନେବ ଅବପାତ
-ଓଡ଼ିଶା ସଜାଗ, ୧୪ ଜିଲ୍ଲାରେ ୨୨୫ ଟିମ୍
-ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରଣ ନିର୍ଦ୍ଦେଶ
-୪ ଜିଲ୍ଲାକୁ ରେଡ୍ ଆଲର୍ଟ, ୩ ରାତିରୁ ବର୍ଷା

ଭୁବନେଶ୍ୱର : ଅବପାତର ରୂପ ନେଲା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁ·ପ କ୍ଷେତ୍ର । ଏହା ଉତ୍ତରପଶ୍ଚିମ ଆଡ଼କୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହୋଇପାରେ । ଅବପାତ ବାତ୍ୟା “ଜୱାଦ’ରେ ପରିଣତ ହେବା ପରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ୪ ତାରିଖ ସକାଳେ ମାଡ଼ ହୋଇପାରେ । ଏହାପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ କରିବ । ଏହା ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶା ସହ ଅନ୍ୟ କିଛି ଜିଲ୍ଲାରେ ବର୍ଷା ହେବ । ୩ ତାରିଖରେ ଗଞ୍ଜାମ, ଗଜପତି ସହ କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବର୍ଷା ହେବ । ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଜପତି,ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ଆଲର୍ଟ ଦେଇଛି ପାଣିପାଗ ବିଭାଗ । ସେହିଭଳି କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୫ ତାରିଖରେ ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।

ସେହିଭଳି କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ପବନର ବେଗ ବଢ଼ିବ । ୩ରୁ ୫ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ୨ ତାରିଖ ସନ୍ଧ୍ୟାରୁ ଦକ୍ଷିଣପୂର୍ବ ଓ ସଂଲଗ୍ନ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ଏବଂ ଝଟ୍କା ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ରହିବ । ୩ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ରହିପାରେ । ପରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ଓ ଝଟ୍କା ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜନ ମହାପାତ୍ର କହିଛନ୍ତି । ଅନ୍ୟପକ୍ଷରେ ସାମ୍ଭାବ୍ୟ ବାତ୍ୟାକୁ ନେଇ ୧୪ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି ଏସ୍ଆରସି ପ୍ରଦୀପ ଜେନା । ଉପକୂଳବର୍ତ୍ତୀ ୧୪ ଜିଲ୍ଲାଗୁଡ଼ିକୁ ଆଲର୍ଟ କରାଯାଇଛି । ଯେଉଁ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ଯାଇଛନ୍ତି ସେମାନଙ୍କୁ ଶୀଘ୍ର ଘରକୁ ଫେରି ଆସିବାକୁ କୁହାଯାଇଛି । ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରି ଆସିଥିବା ମତ୍ସ୍ୟ ବିଭାଗ ସୂଚନା ଦେଇଛି । ବର୍ତ୍ତମାନ ସୁଦ୍ଧା ଯେଉଁମାନେ ରହିଯାଇଛନ୍ତି ସେମାନେ ସକାଳ ସୁଦ୍ଧା ଫେରି ଆସିବାକୁ କୁହାଯାଇଛି । ୩ ତାରିଖରୁ ୫ ତାରିଖ ଯାଏଁ ଚିଲିକା ଓ ବଙ୍ଗୋପ ସାଗରରେ ମାଛ ଧରିବାକୁ ନେଇ ବାରଣ କରାଯାଇଛି । ଧାନ କାଟି ଆଣିବାକୁ ଚାଷୀମାନଙ୍କୁ ମଧ୍ୟ ଆଲର୍ଟ କରାଯାଇଛି । ୬୦ ଓଡ୍ରାଫ, ୧୭ ଏନଡିଆର୍ଏଫ୍, ଅଗ୍ନିଶମର ୧୭୧ ଟିମକୁ ମୁତୟନ କରାଯିବ ବୋଲି ଏସ୍ଆରସି କହିଛନ୍ତି । ଆକଳନ ଆନୁସାରେ ୯୦ରୁ ୧୦୦ କିମି ବେଗରେ ପବନ ବହିବ । ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପକ୍କା ଘରର କିଛି ଅସୁବିଧା ହେବନାହିଁ । କଚ୍ଚାଘର ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ସମୁଦ୍ର କୂଳିଆ ଲୋକଙ୍କୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରଣ କରାଯିବ । ବାତ୍ୟା ଆଶ୍ରୟ ସ୍ଥଳରେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରାଯିବ ବୋଲି ଏସ୍ଆରସି କହିଛନ୍ତି ।

ସୂଚନା ଥାଉକି, କେନ୍ଦ୍ରୀୟ ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ରଟି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ଅବପାତରେ ପରିଣତ ହୋଇଛି । ଯାହା ବର୍ତ୍ତମାନ ସକ୍ରିୟ ରହିଛି । ଏହା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତିକରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ବାତ୍ୟାର ରୂପ ନେବ । ଏହା ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ୪ ତାରିଖ ସକାଳ ସମୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଆନ୍ଧ୍ରପ୍ରଦେଶ ଓଡିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି । ୩ ତାରିଖରେ ପବନର ବେଗ ୬୫ ରୁ ୭୫ ଝଟ୍କା ପବନ ୮୦ ରହିବା ବେଳେ ୪ ତାରିଖରେ ୯୦ ରୁ ୧୦୦ ଏବଂ ଝଟକା ପବନ ୧୧୦ ରହିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୩ ଏବଂ ୪ ତାରିଖରେ ଗଜପତି, ଗଞ୍ଜାମ, ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । କୋରାପୁଟ, ରାୟଗଡା, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୱାର୍ଣ୍ଣିଂ ଜାରି କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା :

ବାତ୍ୟାକୁ ନେଇ ଆଜି ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଅଧିକାରୀମାନେ ଯୋଗେଦଇ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ଲାଗି କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ । ଲୋକମାନଙ୍କୁ ତୁରନ୍ତ ଉଦ୍ଧାର କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଏନଡିଆରଏଫ୍ ୩୩ଟି ଟିମ୍ ନିୟୋଜିତ କରିଛି । ଆଉ ୩୩ଟି ଟିମ୍ ପ୍ରସ୍ତୁତ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଓ ରିଲିଫ ଯୋଗାଣ ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଓ ନେସେନା ଟିମ୍ ନିୟୋଜିତ ହୋଇଛନ୍ତି । ବାୟୁସେନା ଓ ସ୍ଥଳସେନା ଟାସ୍କଫୋର୍ସ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ପୂର୍ବତଟ ଅଞ୍ଚଳରେ ବିପର୍ଯ୍ୟୟ ଉଦ୍ଧାରକାରୀ ଦଳ ଓ ସ୍ୱାସ୍ଥ୍ୟକର୍ମୀ ଟିମ୍ ପ୍ରସ୍ତୁତ ଅଛନ୍ତି ବୋଲି ବୈଠକରେ ସୂଚନା ଦିଆଯାଇଛି । ଜାତୀୟ ପାଣିପାଗ ନିର୍ଦ୍ଦେଶକ ତଥା ଆଇଏମଡ଼ି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ବୈଠକରେ ଯୋଗଦେବା ସହ ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟା ଜୱାଦର ଗତିପଥ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ସେହିପରି ବୈଠକରେ ଏନ୍ଡ଼ିଆରଏଫ ଡ଼ିଜି ଯୋଗଦେବା ସହ ବାତ୍ୟା ମୁକାବିଲା ନେଇ ୩୩ଟି ଟିମକୁ ପ୍ରସ୍ତୁତ କରି ରଖାଯାଇଥିବା ନେଇ ବୈଠକରେ ସ୍ଥିର କରିଛନ୍ତି । ଯେହେତୁ ଆନ୍ଧ୍ରପ୍ରଦେଶ କିମ୍ବା ଓଡ଼ିଶା ଉପକୂଳରେ ବାତ୍ୟା ଜୱାଦ ଅତିକ୍ରମ କରିବାର ଅଛି, ତେଣୁ ଏହି ଦୁଇ ରାଜ୍ୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Comments are closed.