ଭାରତରେ ଓମିକ୍ରନ୍: ବଢ଼ିଲା ଚିନ୍ତା

62

ନୂଆଦିଲ୍ଲୀ : ଆମେରିକା ପରେ ଭାରତରେ ପହଞ୍ଚିଲା ଓମିକ୍ରନ୍ ଭାରିଆଣ୍ଟ । ଏଯାଏ ୨୯ ଦେଶରେ ଏହି ଭାରିଆଣ୍ଟ ବ୍ୟାପି ସାରିଲାଣି । ଆଜି କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ବୟସ ୬୬ ହୋଇଥିବା ବେଳେ ଆଉ ଜଣଙ୍କ ବୟସ ୪୬ ହୋଇଥିବା ସୂଚନା ମିଳିଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଓମିକ୍ରନର ଭୟାବହତାକୁ ନେଇ ବାରମ୍ବାର ସତର୍କ କରାଯାଉଥିଲା । ଶେଷରେ ଭାରତରେ ପ୍ରବେଶ କରିଛି ଏହି ଭୟଙ୍କର ଭାରିଆଣ୍ଟ । ସେମାନଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସେମାନଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେମାନଙ୍କୁ ଟ୍ରେସ୍ କରାଯାଉଛି । ତେବେ ଚିହ୍ନଟ ହୋଇଥିବା ୨ ଜଣ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ କିଭଳି ରହିଛି ସେ ନେଇ କୌଣସି ସୂଚନା ଦିଆଯାଇନାହିଁ । ଏ ନେଇ ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ।

ବିଶ୍ୱରେ ଭୟଙ୍କର ହେବାରେ ଲାଗିଛି କରୋନାର ଓମିକ୍ରନ୍ ଭାରିଆଣ୍ଟ । ଏ ଯାଏଁ ମୋଟ ୨୯ଟି ଦେଶକୁ ମାଡିଗଲାଣି କରୋନାର ଓମିକ୍ରନ୍ ଭାରିଆଣ୍ଟ । ୨୯ ଦେଶରେ ମୋଟ ୩୭୩ ଜଣ ଏହି ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ । ସାରା ବିଶ୍ୱକୁ ଏହା ବିଚଳିତ କରିପକାଇଲାଣି । ସବୁଠାରୁ ବଡ କଥା ହେଉଛି ବର୍ତ୍ତମାନ ଦିଆଯାଉଥିବା କୋଭିଡ୍ ଟିକା ଓମିକ୍ରନ୍କୁ ରୋକିବାରେ ସକ୍ଷମ ହେବ କି ନାହିଁ ତାହା ଅସ୍ପଷ୍ଟ । ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି, ଓମିକ୍ରନର ଭୟାବହତା ଦୃଷ୍ଟିରୁ ରିସ୍କ ଦେଶଗୁଡିକରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି । ସେହି ଦେଶଗୁଡିକରୁ ଆସୁଥିବା ବ୍ୟକ୍ତିମାନେ ଦେଶରେ ପହଞ୍ଚିବା ପରେ କୋଭିଡ୍ ଆରଟି ପିସିଆର ଟେଷ୍ଟ କରାଇବା ବାଧ୍ୟତାମୂଳକ । ଯଦି ରିପୋର୍ଟ ପଜିଟିଭ ଆସେ ତେବେ ପ୍ରୋଟୋକୋଲ ଅନୁଯାୟୀ ସେମାନେ ହସ୍ପିଟାଲରେ ରହିବେ କିମ୍ବା ଅଧିକ ସମସ୍ୟା ଦେଖାଗଲେ ହସ୍ପିଟାଲରେ ଆଡମିଟ୍ ହେବେ । ଯେଉଁମାନଙ୍କର ଆରଟି ପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବ ସେମାନେ ୭ଦିନିଆ କ୍ୱାରେଣ୍ଟାଇନ୍ରେ ରହିବା ବାଧ୍ୟତାମୂଳକ ।

ରିସ୍କ ଦେଶରୁ ଓଡ଼ିଶା ଫେରିଛନ୍ତି ୩୮୦ :

ଏବେ ସମସ୍ତଙ୍କୁ ଓମିକ୍ରନ୍ ଭୟ ଲାଗି ରହିଥିବା ବେଳେ ଓମିକ୍ରନ୍ ରିସ୍କ ରାଷ୍ଟ୍ରରୁ ଏଯାବତ୍ ଓଡ଼ିଶାକୁ ୩୮୦ ଜଣ ଫେରିଛନ୍ତି । ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି,ନଭେମ୍ବର ୨୮ ତାରିଖ ସୁଦ୍ଧା ଓମିକ୍ରନ୍ ରିସ୍କ ଦେଶରୁ ଓଡ଼ିଶାକୁ ୨୨୪ ଜଣ ଆସିଥିବା ବେଳେ ୨୯ରେ ପ୍ରବେଶ କରିଛନ୍ତି ୧୫୬ ଜଣ । ଏବେ ସୁଦ୍ଧା ଦୁଇ ଦିନର ଡାଟା ସରକାରଙ୍କ ପାଖରେ ପହଞ୍ଚିଛି । ଯେଉଁମାନେ ଏବେ ବିଦେଶରୁ ଫେରୁଛନ୍ତି ସମସ୍ତଙ୍କ ତାଲିକା ଜିଲ୍ଲା ପ୍ରଶାସନକୁ ଦିଆଯାଇଛି । ଅନ୍ୟପକ୍ଷରେ ଏଥର କରୋନାକୁ ଚେକ୍ ଦେବାକୁ ଆରମ୍ଭରୁ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି । ବିଦେଶରୁ ଆସୁଥିବା ବ୍ୟକ୍ତି ସାଙ୍ଗରେ ନେଗେଟିଭ ସାର୍ଟିଫିକେଟ ଆଣିବା ବାଧ୍ୟତାମୂଳକ । ଏୟାରପୋର୍ଟରେ ପହଞ୍ଚିବା ପରେ ସେମାନଙ୍କର ପୁଣି ଥରେ ଆରଟି ପିସିଆର ଟେଷ୍ଟ କରାଯିବ । ରିପୋର୍ଟ ନେଗେଟିଭ ଥିଲେ ରାଜ୍ୟରେ ପ୍ରବେଶ ଅନୁମତି ମିଳିବ । ରିପୋର୍ଟ ପଜିଟିଭି ଥିଲେ ସେମାନଙ୍କୁ ତକ୍ରକ୍ଷଣାତ କ୍ୱାରେଣ୍ଟାଇନରେ ରଖାଯିବ । ସଂପୃକ୍ତ ଯାତ୍ରୀ କେଉଁଠୁ ଆସିଲେ, କୁଆଡ଼େ ଯିବେ ଓ କେଉଁଠି ରହିବେସେ ନେଇ ସେଲ୍ଫ ଡିକ୍ଲାରେସନ୍ ଦେବେ । ଏହା ଦ୍ୱାରା ସେମାନଙ୍କୁ ଖୋଜି ପୁଣି ପରୀକ୍ଷା କରାଯାଇପାରିବ । ରିପୋର୍ଟ ନେଗେଟିଭ୍ ଥିଲେ ବି ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି । ସେଥି ମଧ୍ୟରୁ ପ୍ରଥମ ୭ ଦିନ କ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି । ଅଷ୍ଟମ ଦିନ ସେମାନଙ୍କର ପୁଣି କୋଭିଡ୍ ଟେଷ୍ଟ କରାଯିବ । ଯଦି ପଜିଟିଭ୍ ଆସେ ସେହି ଅନୁଯାୟୀ ଚିକିତ୍ସା କରାଯିବ । ଯଦି ନେଗେଟିଭ୍ ଆସେ ସେମାନଙ୍କୁ ପୁଣି ୭ ଦିନ ସେଲ୍ଫ ଆଇସୋଲେସନରେ ରହିବାକୁ କୁହାଯିବ । ଯାହାର ପଜିଟିଭ୍ ଆସିବ ତାଙ୍କ ନମୁନାର ଜିନମ ସିକ୍ୱେନ୍ସିଂ କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଏଥିସହ ସେ କହିଛନ୍ତି, ଯେଉଁମାନେ ବିଦେଶରୁ ଫେରୁଛନ୍ତି, ସେମାନଙ୍କ ଘରେ ସଙ୍ଗରୋଧ ସୁବିଧା ନ ଥିଲେ, ଏହି ଦାୟିତ୍ୱ ଜିଲ୍ଲା ପ୍ରଶାସନ ମୁଣ୍ଡାଇବ । ଏହାବାଦ ପଜିଟିଭ ବାହାରିଲେ କିଛି ନିର୍ଦ୍ଦିଷ୍ଟ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ । ସେମାନେ ଯେପରି ଅନ୍ୟ ପଜିଟିଭ ରୋଗୀଙ୍କଠାରୁ ଅଲଗା ହୋଇ ଚିକିତ୍ସା ହୁଅନ୍ତି, ତାହାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଓମିକ୍ରନ ପ୍ରଥମେ ୧୨ ଦେଶକୁ ବ୍ୟାପିଥିବା ବେଳେ ଗତକାଲି ଏହି ସଂଖ୍ୟା ୧୫ରେ ପହଞ୍ଚିଥିଲା । ହେଲେ ଆଜି ସୁଦ୍ଧା ଏହା ୨୬ଟି ଦେଶକୁ ବ୍ୟାପିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।

Comments are closed.