ଓଡ଼ିଶାର କୋଭିଡ୍ ପରିଚାଳନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା

76

ଭୁବନେଶ୍ୱର : କୋଭିଡ୍-୧୯ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଓଡ଼ିଶା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ତେବେ ଏ କ୍ଷେତ୍ରରେ ଡକ୍ୟୁମେଣ୍ଟେସନ୍ର ଆବଶ୍ୟକତା ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟରେ କୋଭିଡ୍ ପରିଚାଳନା ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାଙ୍କର ବାଲେଶ୍ୱର ଗସ୍ତ ସମ୍ପର୍କରେ ଅନୁଭୂତି ବର୍ଣ୍ଣନା କରିବା ସହ କୋଭିଡ୍ ପରିଚାଳନା କ୍ଷେତ୍ରରେ ଓଡ଼ିଶାରେ ଆଖିଦୃଶିଆ କାର୍ଯ୍ୟ ହୋଇଥିବା କହିଥିଲେ । ବାଲେଶ୍ୱର ଜିଲ୍ଲାରେ ଥିବା ଅକଜୁଲାରୀ ସ୍ୱାସ୍ଥ୍ୟକେନ୍ଦ୍ର (ଏଏଚ୍ଏଫ୍)ଗୁଡ଼ିକରେ କୋଭିଡ୍-୧୯ ପରିଚାଳନା ବ୍ୟତୀତ ଏବେ ଟିକାଦାନ, ସ୍ୱାସ୍ଥ୍ୟସେବା ସମ୍ପର୍କିତ ସଚେତନତା, ସ୍ୱାସ୍ଥ୍ୟ ଶିବିର ଓ ଆବଶ୍ୟକ ସ୍ଥଳେ ଆଶ୍ରୟକେନ୍ଦ୍ର ଇତ୍ୟାଦି ପରିଚାଳନା କରାଯାଉଛି । ବିପର୍ଯ୍ୟୟ ସମୟରେ ସ୍ୱାସ୍ଥ୍ୟସେବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଡାକ୍ତର ନିହାର ରଞ୍ଜନ ରାୟ, ଡାକ୍ତର ସୌରଭ ଓ ଡାକ୍ତର ମନୀଷ ଉପସ୍ଥିତ ଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଜିତ କୁମାର ମହାନ୍ତି ଓ ଡାକ୍ତର ଦୀନବନ୍ଧୁ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ ।

Comments are closed.