ସିନାପାଲିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ସହର ମଝିରେ ଆଣ୍ଠୁଏ ପାଣି

73

ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ସହରର ମଝି ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ଜମା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସିନାପାଲି ସହରର ଡ୍ରେନେଜ ତଥା ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ ହେଉଥିଲେ ମଧ୍ୟ ପରିମଳ ବ୍ୟବସ୍ଥା ସୁଧୁରିବାର ନା ଧରୁନି ।

ପ୍ରକାଶ ଯୋଗ୍ୟ ଯେ, ସିନାପାଲି ସ୍ଥିତ ରାସ୍ତାରେ ଡ୍ରେନେଜ ଵ୍ୟଵସ୍ଥା ଠିକ୍ ନ ଥିବାରୁ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ଜମା ହୋଇଥିବା ଦେଖିବାକୁ ମିଳିଛି । ଲୋକେ ବାଧ୍ୟ ହୋଇ ଉକ୍ତ ମଇଳା ପାଣି ଦେଇ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି । ଏଭଳି ସିନାପାଲି ସହରର ବିଭିନ୍ନ ସ୍ଥାନରେ ଡ୍ରେନେଜ ବ୍ୟବସ୍ଥା ଠିକ ନଥିବାରୁ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ।ଦୀର୍ଘଦିନରୁ ଜନନାଥ ଛକ ନିକଟରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତକୁ ନେଇ ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅବଗତ କରାଇଥିଲେ ବି ସମାଧାନର ରାସ୍ତା ଅଧପନ୍ତରିଆ ହୋଇ ରହିଯାଇଛି । ଡ୍ରେନ ନିର୍ମାଣ ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା କରାଯାଇଛି, ହେଲେ ତାହା ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ବାରମ୍ବାର ଏହି ଅଧାପନ୍ତରିଆ ଡ୍ରେନରେ ଅଘଟଣ ଘଟି ଧନଜୀବନ ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ଅନେକ ଥର ଏହି ଡ୍ରେନ ମାନଙ୍କରେ ଯାତାୟତ କରୁଥିବା ଲୋକେ, ଗାଡ଼ି ମୋଟର ତଥା ଗାଈଗୋରୁ ଖସିପଡି ଅକାଳରେ ଜୀବନ ହାନି ଘଟୁଥିବା ଦେଖିବାକୁ ମିଳିଛି ।

ସ୍ଥାନୀୟ ଲୋକକଙ୍କ ଅଭିଯୋଗ ଅନୁସାରେ, ଏନେଇ ବାରମ୍ବାର ପ୍ରଶାସନକୁ ଅବଗତ କରାଇଥିଲେ ବି କୌଣସି ସୁଫଳ ମିଳୁନଥିବା ପ୍ରକାଶ କରିଛନ୍ତି । ଉକ୍ତ ଡ୍ରେନର ମଇଳା ପାଣି ଜମିବା ଦ୍ୱାରା ମଶାମାଛିର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ମଶା କାମୁଡିବା ଦ୍ୱାରା ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ପଡୁଛନ୍ତି । ସ୍ଥାନୀୟ ଛୋଟ ପିଲା ମାନେ ଉକ୍ତ ମଇଳା ପାଣିରେ ଖେଳିବା ଦ୍ୱାରା ଅନେକ ଚର୍ମରୋଗର ଶିକାର ହେଉଥିବା ପ୍ରକାଶ କରିଛନ୍ତି । ସିନାପାଲି ସହରର ଏହିପରି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାରେ ତୁରନ୍ତ ସୁଧାର ଅ।ଣିବାକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Comments are closed.