ପରଲୋକରେ ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି

78

ଭୁବନେଶ୍ୱର : ଯାଜପୁରର ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କର ପରଲୋକ ଘଟିଛି । ମଙ୍ଗଳବାର ଦିନ ୧ଟା ୨୮ ମିନିଟ୍ ସମୟରେ ୧୦୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ଏ ନେଇ ନନ୍ଦ ସାରଙ୍କ ନାତି ଖଗେଶ୍ୱର ପୃଷ୍ଟି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଅସୁସ୍ଥ ନନ୍ଦ ସାରଙ୍କୁ ଗତ ୩୦ ତାରିଖରେ ପ୍ରଥମେ ଯାଜପୁର ରୋଡ୍ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ନନ୍ଦ ସାର୍ କୋଭିଡ ପଜିଟିଭ୍ ଥିବା ଜଣାପଡିଥିଲା । ବୟସାଧିକ୍ୟ ଓ ସ୍ୱାସ୍ଥ୍ୟଗତ ଜଟିଳତା ପାଇଁ ଉନ୍ନତ ଚିକିତ୍ସା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନନ୍ଦ ସାର୍ ଙ୍କୁ‘ସମ୍’ ହସ୍ପିଟାଲକୁ ଶନିବାର ସ୍ଥାନାନ୍ତର କରାଯାଇଥିଲା ।

ଶତାୟୁ ଶିକ୍ଷକ ନନ୍ଦ ସାର ଗତ ନଭେମ୍ବର ୯ ତାରିଖରେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ ସେ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ କରିବା ଦୃଶ୍ୟ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା।

୧୯୩୯ ମସିହାରେ ନିକଟସ୍ଥ ହାତିବାରୀ ମାଇନର ସ୍କୁଲରୁ ସପ୍ତମ ଶ୍ରେଣୀ ପାସ କରିଥିଲେ ନନ୍ଦ ସାର୍ । ପିଲାଙ୍କୁ ଶିକ୍ଷିତ କରିବା ପାଇଁ୧୯୪୬ରେ ସେ ନିଜେ ଏକ ଚାଟଶାଳି ଆରମ୍ଭ କରିଥିଲେ । ଆଉ ତାହା ଏବେ ବି ସକ୍ରିୟ ରହିଛି । ପ୍ରଥମେ ଏହା ତାଙ୍କ ଘର ପିଣ୍ଡାରେ ଚାଲୁଥିଲା । ପରେ ତାହା ଗାଁ ମଝିରେ ଥିବା ହନୁମାନ ମନ୍ଦିର ମଣ୍ଡପକୁ ଉଠି ଆସିଛି । ଚାଟଶାଳି ମାଧ୍ୟମରେ ନନ୍ଦସାର ୩ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିଛନ୍ତି ।

Comments are closed.