୪ ମୃତ ପକ୍ଷୀ ଜବତ, ଶୀକାରୀ ଗିରଫ

63

ଖୋର୍ଦ୍ଧା : ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ହାତରେ ଜଣେ ପକ୍ଷୀ ଶୀକାରୀ ଧରାପଡିଛି । ତାଠାରୁ ବନ୍ୟପ୍ରାଣୀ ବିଭାଗ ୪ଟି ମୃତ ପକ୍ଷୀ ଜବତ କରିଛି । ଗିରଫ ଶୀକାରୀ ଜଣକ ହେଲେ ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା ଅଂଚଳର କବିରାଜ ରାଉତ (୩୭) ।

ସୂଚନା ମୁତାବକ, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ଦୋଛିଆଁ ପକ୍ଷୀ ସୁରକ୍ଷା କ୍ୟାମ୍ପ ନିକଟସ୍ଥ ଆଲିପଡ଼ା ନାଳ ନିକଟରୁ ଜଣେ ପକ୍ଷୀ ଶୀକାରୀକୁ ଆଜି ପୂର୍ବାହ୍ନରେ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବନାଚଂଳ ବିଭାଗ । ଶୀକାରୀ ନିକଟରୁ ଦୁଇ ଗୋଟି ମୃତ ବଡ଼ ବତକ ଏବଂ ଦୁଇ ଗୋଟି ମୃତ କାମ ଚଢେଇ ଜବତ କରାଯାଇଛି । ଏନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଗିରଫ ଶୀକାରି ବିରୋଧରେ ପିଆର ନମ୍ବର ୧୦ଟି/୨୧-୨୨ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଟାଙ୍ଗୀ ରେଞ୍ଜ୍ ବନାଚଂଳ ଅଧିକାରିଣୀ ଚୁଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗକୁ ପାଟ୍ରୋଲିଂକୁ ଆହୁରି କଡ଼ାକଡ଼ି କରାଯିବ । ପ୍ରକାଶ ଥାଉକି, ଶୀତଦିନ ଜାରି ରହିଥିବା ବେଳେ ଚିଲିକାରେ ପକ୍ଷୀ ଶୀକାର ଆରମ୍ଭ ହୋଇ ଗଲାଣି । ବନ୍ୟପ୍ରାଣୀ ବିଭାଗ ମଧ୍ୟ ପାଟ୍ରୋଲିଂ ଜାରି ରଖିଥିବା ବେଳେ ପାଟ୍ରୋଲିଂକୁ ଖାତିର ନକରି ଶିକାରୀମାନେ ଅବାଧରେ ପକ୍ଷୀ ଶିକାର କରି ଚାଲିଛନ୍ତି । ତେବେ ବନ୍ୟପ୍ରାଣୀ ବିଭାଗ ଶିକାରୀଙ୍କ ଉପରେ ନଜର ରଖିଥିବା ଜଣାପଡିଛି ।

Comments are closed.