୯୦ ବର୍ଷୀୟା ବୃଦ୍ଧା ଏବେ ବି ବିଧବା ଭତ୍ତାରୁ ବଂଚିତ

79

ସାଲେପୁର : ରାଜ୍ୟ ସରକାର ପୂର୍ବରୁ ନିୟମ ନିର୍ଦ୍ଧାରଣ କରିଥିଲେ ଯେ ପ୍ରତିମାସ ୧୫ ତାରିଖରେ ବିଭିନ୍ନ ପଂଚାୟତ କାର୍ଯ୍ୟାଳୟରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରିବେ । କୋଭିଡ୍ ସମୟରେ ପଂଚାୟତ କାର୍ଯ୍ୟାଳୟ ତରଫରୁ ପ୍ରତି ହିତାଧିକାରୀଙ୍କ ଘରକୁ ଯାଇ ଭତ୍ତା ବଣ୍ଟନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଭତ୍ତା ପ୍ରଦାନର ସମୟ ବଦଳି ଯାଇଥିଲା । ଗତ ଅକ୍ଟୋବର ନଭେମ୍ବର ମାସରେ କେତେକ ହିତାଧିକାରୀଙ୍କୁ ମାହାଙ୍ଗା ବ୍ଳକ ବିଭିନ୍ନ ପଂଚାୟତ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ କରାଯାଇଥିଲା ବେଳେ ଆଉ କେତେକ ହିତାଧିକାରୀଙ୍କୁ ବ୍ୟାଙ୍କ ମାଧ୍ୟମରେ ଭତ୍ତା ପ୍ରଦାନ କରାଯିବ ବୋଲି କୁହାଯାଇଥିଲା । ବ୍ୟାଙ୍କକୁ ଭତ୍ତା ଆଣିବାକୁ ଯାଇ ବୃଦ୍ଧ ବୃଦ୍ଧାମାନେ ବହୁ ସମସ୍ୟା ଭୋଗୁଥିଲା ବେଳେ ଅନେକଙ୍କ ଭତ୍ତା ଆଜି ପର୍ଯ୍ୟନ୍ତ ମିଳିନଥିବା ଅଭିଯୋଗ ହୋଇଛି । ଯାହାର ଉଦାହରଣ ପାଲଟିଛି ଭଦ୍ରେଶ୍ୱର ପଂଚାୟତ । ଭଦ୍ରେଶ୍ୱର ପଂଚାୟତର ବହୁ ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ ମାଧ୍ୟମରେ ବାର୍ଦ୍ଧକ୍ୟଭତ୍ତା ପାଇପାରି ନାହାଁନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ଭଦ୍ରେଶ୍ୱର ପଂଚାୟତ ଝାଡେଶ୍ୱର ଗ୍ରାମର ଗୋଲଖ ଚନ୍ଦ୍ର ସ୍ୱାଇଁ, ପିତା -ଭଗବାନ ବ୍ୟାଙ୍କ ମାଧ୍ୟମରେ ଭତ୍ତା ନପାଇ ଗଣମାଧ୍ୟମର ପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରିଥିଲେ । ଜନୈକ ଗଣମାଧ୍ୟମର ପ୍ରତିନିଧି ମାହାଙ୍ଗା ବ୍ଲକର ସମାଜମଙ୍ଗଳ କାର୍ଯ୍ୟାଳୟକୁ ଯାଇ ସେମାନଙ୍କର ସମସ୍ୟା ସଂକ୍ରାନ୍ତରେ ଜଣାଇବା ପରେ ସମାଜ ମଙ୍ଗଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଜନୈକ ମହିଳା କର୍ମଚାରୀ ରାଗିଯାଇ ସଂପୃକ୍ତ ସାମ୍ବାଦିକଙ୍କୁ ଓଲଟି ପ୍ରଶ୍ନ କରିଥିଲେ ତମେ ପ୍ରଥମେ ବ୍ୟାଙ୍କକୁ ଯାଇ ବହି ଅପଡେଟ୍ କର । ଉକ୍ତ ବ୍ୟକ୍ତିଙ୍କର ଦୁଇ ମାସର ଭତ୍ତା ବ୍ୟାଙ୍କ ବହିକୁ ଯାଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ଗୋଲଖ ଚନ୍ଦ୍ର ସ୍ୱାଇଁ କାନାରା ବ୍ୟାଙ୍କ ଉମର ଶାଖାକୁ ବାରମ୍ବାର ଯାଇ ବହି ଅପଡେଟ୍ କରିବାକୁ କହିଥିଲେ ମଧ୍ୟ କର୍ମଚାରୀ ଶୁଣିନଥିଲେ । ପରବର୍ତ୍ତୀ ସମୟରେ ଦୁଇ ମାସର ଭତ୍ତା ଆସିଥିବା କଥା ଜାଣିବା ପରେ ସେ ବ୍ୟାଙ୍କ ମ୍ୟାନେଜରଙ୍କୁ ଭେଟି ନିଜର ସମସ୍ୟା କହିଥିଲେ । କାନାରା ବ୍ୟାଙ୍କ ମ୍ୟାନେଜର ବହି ଅପଡେଟ୍ କରିବା ପରେ ଜଣାପଡିଥିଲା କେବଳ ନଭେମ୍ବର ମାସର ଭତ୍ତା ବ୍ୟାଙ୍କ ବହିକୁ ଆସିଛି କିନ୍ତୁ ଅକ୍ଟୋବର ମାସର ଆସିନାହିଁ । ଏଠି ପ୍ରଶ୍ନ ଉଠେ ଯେ କିଭଳି ଭାବରେ ବ୍ଲକରେ କାର୍ଯ୍ୟରତ ମହିଳା ଜଣକ ଗଣମାଧ୍ୟମର ପ୍ରତିନିଧିଙ୍କୁ ମିଛ କହିଲେ । ଏପରିକି ଭଦ୍ରେଶ୍ୱର ପଂଚାୟତର ଝାଡେଶ୍ୱରପୁର ଗ୍ରାମର କୁନ୍ତଳା ଦିବ୍ୟା ଯାହାର ବୟସ ୯୦ ବର୍ଷରୁ ଉର୍ଦ୍ଧ୍ବ ସେ ଏପର୍ଯ୍ୟନ୍ତ ବି ବିଧବା ଭତ୍ତା ପାଇପାରି ନାହାଁନ୍ତି । ଏପରିକି ଅନେକ ବୃଦ୍ଧ ବୃଦ୍ଧା ରହିଛନ୍ତି ଯେଉଁମାନେ କି ଦୁଇ ମାସ ଧରି ବାର୍ଦ୍ଧକ୍ୟ ଭର୍ତ୍ତା ପାଇନାହାଁନ୍ତି । ସୂଚନା ଯୋଗ୍ୟ ଯେ ସାଲେପୁର, ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବହୁ ଯୋଗ୍ୟ ହିତାଧିକାରୀ ଭତ୍ତା ନ ପାଇ ବ୍ଲକ ପ୍ରଶାସନର ନିକଟକୁ ଦୌଡିଥିଲେ ମଧ୍ୟ ସେମାନେ ଭତ୍ତା ପାଇପାରୁନଥିବା ଅଭିଯୋଗ ହୋଇଛି । କଟକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Comments are closed.