କୁଆଡେ ଗଲେ ବିଦେଶ ଫେରନ୍ତା ?

74

ଭୁବନେଶ୍ୱର : ଓମିକ୍ରନ୍କୁ ନେଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡିବାରେ ଲାଗିଛି ଏହି ନୂଆ ଭାରିଆଣ୍ଟ । ଓଡ଼ିଶାରେ ଏଯାଏ ଜଣେ ବି ହେଲେ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ ହେଁ ଭୂଲ ଠିକଣା ଦେଇ ରାଜ୍ୟକୁ ଆସିଥିବା ପ୍ରାୟ ୪୦ ପ୍ରତିଶତଙ୍କ କୌଣସି ପତ୍ତା ମିଳୁନାହିଁ । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ସୂଚନାଯୋଗ୍ୟ ଯେ, ଓମିକ୍ରନ୍ ଆକ୍ରାନ୍ତ ରାଷ୍ଟ୍ରଗୁଡ଼ିକରୁ ଓଡ଼ିଶାକୁ ଆସିଥିବା ୪୦ ପ୍ରତିଶତଙ୍କୁ ଠାବ କରାଯାଇ ପାରୁନାହିଁ । ଏମାନେ ବିମାନ ଯାତ୍ରା କରି ଓଡ଼ିଶା ଆସିଲେ, କିନ୍ତୁ ପରିଚୟ ଓ ମୋବାଇଲ ନମ୍ବର ଭୂଲ ଦେଲେ । ଏମିତି ପ୍ରାୟ ୪୦୦ ବିଦେଶୀ ଫେରନ୍ତାଙ୍କୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଏମାନେ ସହରର କେଉଁ ସ୍ଥାନରେ ଅଛନ୍ତି,କାହା ସମ୍ପର୍କରେ ଆସିଛନ୍ତି ତାହା ଏଯାଏ ଜଣାନାହିଁ । ତେଣୁ ସ୍ୱାସ୍ଥ୍ୟ ବିଭାଗଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । କଟକ ଜିଲ୍ଲାକୁ ୧୦୦ ବିଦେଶ ଫେରନ୍ତା ଆସିଛନ୍ତି । ତେଣୁ ସେମାନଙ୍କୁ ଖୋଜି ବାହାର କରିବା ପାଇଁ ଜିଲ୍ଲା ପ୍ରଶାସନ ଆଶା କର୍ମୀଙ୍କୁ ନିୟୋଜିତ କରିଥିବା ବେଳେ ଏଯାବତ୍ ଜିୀଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଖରେ ସେମାନଙ୍କ କୌଣସି ସୂଚନା ନାହିଁ । ଗତ ଅକ୍ଟୋବରରୁ ଏପର୍ଯ୍ୟନ୍ତ କଟକ ଜିଲ୍ଲାକୁ ୪୦୦ରୁ ଅଧିକ ବିଦେଶ ଫେରନ୍ତା ଆସିଛନ୍ତି । ଠିକଣା ନଥିବା ୧୦୦ଜଣଙ୍କୁ ବାଦ୍ ଦେଲେ ଠାବ ହୋଇଥିବା ୭୯ ଜଣଙ୍କ ସ୍ୱାବ୍ ପରୀକ୍ଷା ହୋଇଛି ।

୭୫ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ୪ଜଣଙ୍କ ରିପୋର୍ଟ ଆସିନାହିଁ । ଅନ୍ୟପକ୍ଷରେ ବିଦେଶ ଫେରନ୍ତା ଠିକଣା ଲୁଚାଇବା ଘଟଣାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିନ୍ଦା କରିବା ସହ ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ହାତଗଣତି କିଛି ଦେଶକୁ ଛାଡ଼ିଦେଲେ ଭୁବନେଶ୍ୱର ବିମାନ ବନ୍ଦରକୁ ସିଧାସଳଖ ଫ୍ଲାଇଟ୍ ନାହିଁ । ଅନେକ ବିଦେଶ ଫେରନ୍ତା ଅନ୍ୟ ବିମାନ ବନ୍ଦରରେ ଓହ୍ଲାଇ ଭୂଲ ଠିକଣା ଦେଇ ଓଡ଼ିଶା ଆସିଥିବା ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ଭୁବନେଶ୍ୱର ବିମାନ ବନ୍ଦରରେ ଯାଞ୍ଚ କଡ଼ାକଡ଼ି କରାଯାଉଛି ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି । ବିଏମ୍ସିର ସ୍ୱାସ୍ଥ୍ୟ ଟିମ୍ ସେଠାରେ ଉପସ୍ଥିତ ରହି ବାହାର ଆସୁଥିବା ଯାତ୍ରୀଙ୍କ କୋଭିଡ୍ ଟେଷ୍ଟ କରୁଛନ୍ତି । ପ୍ରତିଦିନ ୫ହଜାରରୁ ଊଦ୍ଧ୍ୱର୍ ଟେଷ୍ଟ କରାଯାଉଛି । ଡିସେମ୍ବର ୩୧ ଓ ନୂଆବର୍ଷରେ ଜାରି ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ବିଏମ୍ସି କମିଶନର କହିଛନ୍ତି ।

Comments are closed.