ୟୁକ୍ରେନ୍କୁ ନେଇ ଦୁଇ ମହାଶକ୍ତି ମୁହାଁମୁହିଁ

68

ନୂଆଦିଲ୍ଲୀ : ୟୁକ୍ରେନ୍ ଓ ଋଷ ମଧ୍ୟରେ ସୀମା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଋଷ ସେଠାରେ ଅଧିକରୁ ଅଧିକ ସେନା ଠୁଳ କରିବାରେ ଲାଗିଛି । ଆମେରିକା ଓ ନାଟୋ ୟୁକ୍ରେନ୍କୁ ସାମରିକ ଓ ଆର୍ଥିକ ସାହାଯ୍ୟ କରୁଛନ୍ତି । ଯାହାକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ରାଗ ପଞ୍ଚମରେ । ଏଭଳି ସ୍ଥିତିରେ ୟୀକ୍ରେନ୍କୁ ନିଜର ସୈନ୍ୟ ପଠାଇବ ବୋଲି କହିବା ପରେ ପୁଣି ତୃତୀୟ ବିଶ୍ୱଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭ୍ ମଧ୍ୟ ଋଷକୁ ଧମକ ଦେଇଛନ୍ତି । ସେ କହିଛନ୍ତି ଯଦି ଋଷ ଆକ୍ରମଣ କରେ ତେବେ ପୂରା ୟୁରୋପ୍ରେ ଏହାର ବିନାଶକାରୀ ପ୍ରଭାବ ଦେଖିବାକୁ ମିଳିବ । ଏଥିସହିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ମଧ୍ୟ ମସ୍କୋ ବିରୋଧରେ ଦୃଢ଼ତାର ସହ ଛିଡା ହେବା ପାଇଁ ସେ ଅପିଲ କରିଛନ୍ତି । ଖୁବ୍ଶୀଘ୍ର ଋଷ ରାଷ୍ଟ୍ରପତି ଶ୍ରୀ ପୁଟିନ୍ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିପାରନ୍ତି । ଆମେରିକାର ହ୍ୱାଇଟ୍ ହାଉସ୍ ସଚିବ ଜେନ୍ ସାକି କହିଛନ୍ତି ଯେ, ୟୁକ୍ରେନ୍କୁ ଆମେରିକା ସାହାଯ୍ୟ ଜାରି ରଖିବ । ଯଦି ଋଷିଆ ଆକ୍ରମଣ କରେ, ଆମେରିକା ଚୁପ୍ ବସିବ ନାହିଁ । ଆମେରିକା ଏବଂ ନାଟୋ ଦେଶମାନେ ମଧ୍ୟ ଯୁଦ୍ଧକୁ ଓହ୍ଲାଇବେ । ତେଣୁ ଋଷ ଅତିଶୀଘ୍ର ୟୁକ୍ରେନ୍ ସୀମାରୁ ହଟିବା ଆବଶ୍ୟକ । ବିବାଦକୁ କୂଟନୈତିକ ସ୍ତରରେ ସମାଧାନ ପାଇଁ ଆମେରିକା ଚେଷ୍ଟା କରିବ ବୋଲି ସେ କହିଛନ୍ତି । ଏଥିସହିତ ସାକି କହିଛନ୍ତି ଯେ, ଯଦି ଏହା ସତ୍ତେ୍ୱ ଋଷ ନ ମାନି ଆକ୍ରମଣ କରେ ୟୁରୋପୀୟସଂଘ ଋଷ ସହ କାରବାର ବନ୍ଦ କରିବାକୁ ବାଧ୍ୟ ହେବ ।

Comments are closed.