ଓଡିଶାରୁ ଉଷୁନା ଚାଉଳ କିଣିବା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

72

ଭୁବନେଶ୍ୱର : ଓଡ଼ିଶାରୁ ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ଉଷୁନା ଚାଉଳ ସଂଗ୍ରହ କରିବା ଦାବିରେ ବୁଧବାର ବିଜେଡି ସଂସଦୀୟ ଦଳ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ବିଜେଡି ସଂସଦୀୟ ଦଳ ପକ୍ଷରୁ ପ୍ରଦାନ ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି ଯେ, ୨୦୨୧-୨୨ ବର୍ଷ ପାଇଁ ରାଜ୍ୟରେ ୫୨ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଅମଳ ହେବାର ଆଶା କରାଯାଉଛି । ଏଥିରୁ ବିଭିନ୍ନ ଯୋଜନା ବାବଦରେ ୨୦ଲକ୍ଷ ମେଟ୍ରିକ ଟନ୍ ଉଷୁନା ଓ ୪ଲକ୍ଷ ମେଟ୍ରିକ ଟନ୍ ଅରୁଆ ଚାଉଳ ବଂଟନ ସରିଲା ପରେ ଆଉ ୨୪ଲକ୍ଷ ମେଟ୍ରିକ ଟନ୍ ଉଷୁନା ବଳକା ହୁଏ । ଯଦି କେନ୍ଦ୍ର ସରକାର ଏହି ଉଷୁନା ଚାଉଳ ଓଡ଼ିଶାରୁ ସଂଗ୍ରହ କରିବେ ନାହିଁ ତାହାହେଲେ ରାଜ୍ୟର ପ୍ରାୟ ୧୦ଲକ୍ଷ ଚାଷୀ ପରିବାର ପ୍ରଭାବିତ ହେବେ । ପୂର୍ବରୁ ଏହି ପ୍ରସଙ୍ଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏବଂ ଖାଦ୍ୟ ମନ୍ତ୍ରୀ କେନ୍ଦ୍ରକୁ ପତ୍ର ଲେଖିଛନ୍ତି । ତେଣୁ ଉଷୁନା ଚାଉଳ ସଂଗ୍ରହ କରାନଯିବା ନେଇ ଡିଏଫ୍ପିଡି ପକ୍ଷରୁ ଜାରି ଆଦେଶକୁ ପରିବର୍ତନ କରିବା ପାଇଁ ଦାବି ପତ୍ରରେ ଉଲ୍ଲେଖ ରହିଛି । ଅନ୍ୟ ପକ୍ଷରେ ଏ ପ୍ରସଂଗରେ ଉପଯୁକ୍ତ ବିଚାର କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋୟଲ ।

Comments are closed.