ମଝି ଆକାଶରୁ ଆଉ ଫେରିଲେନି : ଆରପାରିରେ ସର୍ଜିକାଲ ଷ୍ଟ୍ରାଇକ୍ ହିରୋ

0 64

-ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଶୋକ
-ପତ୍ନୀ ମଧୁଲିକାଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ
-ସୁଲୁରରୁ ୱେଲିଂଟନ୍ ଯିବା ବେଳେ ଅଘଟଣ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ ବିପିନ୍ ରାୱତ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୩ଜଣ ପ୍ରାଣ ହରାଇଛନ୍ତି । ଏହି ଘଟଣା ଆଜି ସାରା ଦେଶକୁ ସ୍ତବ୍ଧ କରିଦେଇଛି । ସମୟ ଦିନ ପ୍ରାୟ ୧୨.୩୦ । ସ୍ଥାନ ସୁଲୁରର ନୀଳଗିରି ପାର୍ବତ୍ୟାଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିଲା ବାୟୁସେନାର ଏମ୍ଆ-୧୭ ଭି-୫ ହେଲିକପ୍ଟର । ଏତେ ଜୋରରେ ଦୁର୍ଘଟଣା ହୋଇଥିଲା ଯେ, ହେଲିକପ୍ଟରଟି ଖଣ୍ଡବିଖଣ୍ଡିତ ହୋଇ ଜଳୁଥିଲା ଏବଂ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ପଡ଼ିଥିଲା । ଏହି ହେଲିକପ୍ଟରରେ ୧୪ଜଣ ଥିବାବେଳେ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂଙ୍କୁ ଛାଡ଼ିଦେଲେ ଆଉ ସମସ୍ତେ ପ୍ରାଣ ହରାଇଛନ୍ତି । ଶ୍ରୀ ସିଂ ଗୁରୁତର ଅବସ୍ଥାରେ ୱେଲିଙ୍ଗଟନ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ପରିଚୟ ଜାଣିବା ପାଇଁ ସମସ୍ତଙ୍କର ଡିଏନ୍ଏ ଟେଷ୍ଟ କରାଯିବା ସହିତ କେମିତି ଓ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା, ତାର ତଦନ୍ତ ନିର୍ଦ୍ଦେଶ ଦେଇଛି ବାୟୁସେନା । ଖରାପ ପାଗ ଯୋଗୁ ଠିକ ଭାବେ ଦେଖାଯାଉନଥିଲା, ଲୋ ଭିଜିବିଲିଟି ଯୋଗୁ କମ୍ ଉଚ୍ଚତାରେ ହେଲିକପ୍ଟର ଉଡ଼ାଣ ଭରିଥିଲା । ଘଞ୍ଚ ଜଙ୍ଗଲ ଯୋଗୁ କ୍ରାଶ ଲ୍ୟାଣ୍ଡିଂ ଫେଲ ମାରିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ଦୁର୍ଘଟଣାସ୍ଥଳ ପରିଦର୍ଶନରେ ଯିବେ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଭି.ଆର.ଚୌଧୁରୀ । ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏଥିସହିତ ଜେନେରାଲ ରାୱତଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସେ ଭେଟିବା ସହିତ ସମବେଦନା ଜଣାଇଛନ୍ତି । ଜେନେରାଲ ରାୱତ ଏମଆଇ ହେଲିକପ୍ଟର ଯୋଗେ ୱେଲିଂଟନ୍ର ଡିଫେନ୍ସ ଷ୍ଟାଫ୍ ସର୍ଭିସ କଲେଜର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିଲେ । ସେ ଦିଲ୍ଲୀରୁ ସୁଲୁର ଓ ସୁଲୁରରୁ ୱେଲିଂଟନ୍ ଯିବା ବାଟରେ ନୀଳଗିରି ପାର୍ବତ୍ୟାଞ୍ଚଳରେ ଏଭଳି ଅଘଟଣ ଘଟିଲା । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଅଧାବାଟରେ ଘଟିଗଲା ଏଭଳି ବଡ଼ ଅଘଟଣ । ସିଡିଏସ୍ ଜେନେରାଲ ବିପିନ୍ ରାୱତଙ୍କ ପରଲୋକରେ ଦେଶବ୍ୟାପି ଶୋକର ଛାୟା ଖେଳିଯାଇଛି । ଜେନେରାଲ ରାୱତ ଓ ତାଙ୍କ ପନୀôଙ୍କ ଅକାଳ ବିୟୋଗରେ ସ୍ତବ୍ଧ ଓ ମର୍ମାହତ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶ ଜଣେ ବାହାଦୂର ସନ୍ତାନକୁ ହରାଇଲା । ଚାରିଦଶନ୍ଧି ଧରି ଦେଶମାତୃକାର ସେବାରେ ସେ ଯେଉଁ ବୀରତ୍ୱ ଓ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି ତାହା ଚିର ସ୍ମରଣୀୟ ବୋଲି କହିଛନ୍ତି ରାଷ୍ଟ୍ରପତି ।

ସେହିପରି ଜେନେରାଲ ରାୱତ ଜଣେ ଯୋଦ୍ଧା ଥିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଜେନେରାଲ ରାୱତ ଜଣେ ପ୍ରକୃତ ଦେଶଭକ୍ତ ଓ ଦେଶର ସେନା ଏବଂ ସୁରକ୍ଷାକୁ ଅତ୍ୟାଧୁନିକ କରାଇବାରେ ତାଙ୍କର ବିଶାଳ ଅବଦାନ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରି ସିସିଏସ୍ ବୈଠକ ବସିଥିଲା । ସେଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ । ଆଜି ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ଏ ସମ୍ପର୍କରେ ବିବୃତ୍ତି ଦେବାର ଥିଲା । ମାତ୍ର ତାହା ଆସନ୍ତାକାଲିକୁ ରଖାଯାଇଛି । ସୂଚନାଯୋଗ୍ୟ ଯେ, ଦୁର୍ଘଟଣାଗ୍ରସ୍ତ ଏମ୍ଆଇ-୧୭ ଭି-୫ ବାୟୁସେନାର ସବୁଠାରୁ ଅତ୍ୟାଧୁନିକ ଓ ସୁରକ୍ଷିତ ହେଲିକପ୍ଟର ଭାବେ ଗଣାଯାଏ । ୨୦୧୨ ମସିହାରୁ ଏହା ସେବା ଯୋଗାଇ ଆସୁଥିଲା । ଏଭଳି ଅଘଟଣ କେବେ ବି ଘଟିନଥିଲା । ଏହାର ସ୍ଥାନୀୟ ପାଣିପାଗ ଅନୁସାରେ କାର୍ଯ୍ୟ କରିବାର କ୍ଷମତା ମଧ୍ୟ ରହିଛି ।

ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ :

ବିପିନ୍ ରାୱତଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ଟ୍ୱିଟ୍ କରି କହିଛନ୍ତି କି “ତାମିଲନାଡୁରେ ଏକ ଅତ୍ୟନ୍ତ ଦୁଃଖଦ ଦୁର୍ଘଟଣାରେ ଚିଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାୱତ ଓ ତାଙ୍କ ପତ୍ନୀଙ୍କ ସହ ୧୧ ଜଣ ପ୍ରତିରକ୍ଷା କର୍ମଚାରୀଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖିତ । ଏହା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି’ବୋଲି ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.