ପ୍ରତିରକ୍ଷାରେ ଚାରିଦଶନ୍ଧିର ସେବା

68

ନୂଆଦିଲ୍ଲୀ : ପ୍ରତିରକ୍ଷାରେ ଚାରିଦଶନ୍ଧିର ସେବା । ସେକେଣ୍ଡ ଲେଫ୍ଟନାଣ୍ଟରୁ ୨୭ତମ ସ୍ଥଳସେନା ମୁଖ୍ୟ ଏବଂ ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ । ଏପରି ଅନେକ ପଦବୀରେ ରହି ଦେଶମାତୃକାର ସେବା କରିଛନ୍ତି ଜେନେରାଲ ରାୱତ । ୨୦୧୯ ଡିସେମ୍ବର ୩୦ରେ ପ୍ରଥମ ଚିଫ ଅଫ୍ ଡିଫେନ୍ସ ଷ୍ଟାଫ୍(ସିଡିଏସ୍) ଭାବେ ସେ ନିଯୁକ୍ତ ହୋଇଥିଲେ । ୨୦୨୦ ଜାନୁଆରୀ ୧ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ୩ ସେନା ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବା ପାଇଁ ଭାରତ ସରକାର ଏହି ସିଡିଏସ୍ ପଦବୀ ସୃଷ୍ଟି କରିଥିଲେ । ସିଡିଏସ୍ ଭାବେ ପ୍ରଥମଥର ପାଇଁ ୩ ସେନାକୁ ନେଇ ଇଣ୍ଟିଗ୍ରେଟେଡ୍ ଥିଏଟର କମାଣ୍ଡର ପରିକଳ୍ପନା କରିଥିଲେ ଜେନେରାଲ ରାୱତ । ୧୭ଟି ସିଙ୍ଗଲ ସର୍ଭିସ୍ କମାଣ୍ଡକୁ ମିଶାଇ ୪ଟି ଜିଓଗ୍ରାଫିକାଲ କମାଣ୍ଡ କରାଯାଇପାରିବ ବୋଲି କହିଥିଲେ । ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ, ନଦର୍ଣ୍ଣ ଥିଏଟର କମାଣ୍ଡ, ମ୍ୟାରିଟାଇମ କମାଣ୍ଡ ଓ ଥାଇଲାଣ୍ଡ କମାଣ୍ଡ । ପାକିସ୍ତାନ ଓ ଚୀନ୍ ସୀମା ଓ ଭାରତ ଜଳସୀମା ପାଇଁ ଏହି ପରିକଳ୍ପନା ସେ କରିଥିଲେ । ସିଡିଏସ୍ ନିଯୁକ୍ତି ପୂର୍ବରୁ ଚିଫ୍ ଅଫ୍ ଷ୍ଟାଫ୍ କମିଟିର ୫୭ତମ ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱ ତୁଲାଇଥିଲେ । ସେକେଣ୍ଡ ଲେଫ୍ଟନାଣ୍ଟରୁ ଜେନେରାଲ ଏଭଳି ୪୦ବର୍ଷର କ୍ୟାରିୟରରେ ସେ ଦେଶ ପାଇଁ ଅନେକ ସେବା କରିଯାଇଛନ୍ତି । ଭାରତୀୟ ଆର୍ମିର ସବୁ ପାହ୍ୟାରେ ଦକ୍ଷତାର ସହ କାର୍ଯ୍ୟ ମଧ୍ୟ କରିଛନ୍ତି ।

୧୯୭୮ ଡିସେମ୍ବର ୧୬ରେ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ୧୧ ଗୋର୍ଖା ରାଇଫଲର ୫ ବାଟାଲିଅନ୍ରେ ଯୋଗ ଦେଇଥିଲେ । ମେଜେର ଜେନେରାଲକୁ ପଦୋନ୍ନତି ପରେ ୧୯ତମ ଇନ୍ଫାଣ୍ଟ୍ରି ଡିଭିଜନ୍ର ଜେନେରାଲ ଅଫିସର କମାଣ୍ଡିଂ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ଇଷ୍ଟର୍ଣ୍ଣ କମାଣ୍ଡର ମେଜେର ଜେନେରାଲ, ଜେନେରାଲ ଷ୍ଟାଫ୍ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି । ଆର୍ମି କମାଣ୍ଡର ବେଡ୍କୁ ପଦୋନ୍ନତି ପରେ ୨୦୧୬ ଜାନୁଆରୀ ୧ରେ ଜେନେରାଲ ଅଫିସର କମାଣ୍ଡିଂ ଇନ୍ ଚିଫ୍ ସଦର୍ଣ୍ଣ କମାଣ୍ଡ ପଦରେ ନିଯୁକ୍ତି ହୋଇଥିଲେ । ଏହାର କିଛିଦିନ ପରେ ୨୦୧୬ ସେପ୍ଟେମ୍ବର ୧ରେ ଭାଇସ୍ ଚିଫ୍ ଆର୍ମି ଷ୍ଟାଫ୍ ଭାବେ ଦକ୍ଷତାର ସହ ନିଜ ଦାୟିତ୍ୱ ତୁଲାଇଥିଲେ । ୪୦ବର୍ଷର କ୍ୟାରିୟର ଭିତରେ ଉଲ୍ଲେଖନୀୟ ସେବା ପାଇଁ ଅନେକ ସାମରିକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି । ୨୦୧୫ରେ ମିଅଁମାରରେ ହୋଇଥିବା ସୀମାପାର୍ ଅପରେସନ୍ ଓ ୨୦୧୬ ସର୍ଜିକାଲ ଷ୍ଟ୍ରାଇକ୍ ପଛରେ ତାଙ୍କର ବଡ଼ ଭୂମିକା ଥିଲା । ୨୦୧୫ରେ ନାଗାଲାଣ୍ଡ-ଖାପଲାଙ୍ଗ ଆତଙ୍କବାଦୀମାନେ ସେନା ଉପରେ ହମଲା କରିଥିଲେ । ଏହାର ପ୍ରତି ଜବାବରେ ଭାରତୀୟ ସେନା ମିଅଁମାର ସୀମାରେ ଅପରେସନ୍ କରିଥିଲା । ଏହି ସମୟରେ ଜେନେରାଲ ରାୱତ ତୃତୀୟ କପର୍ସ ଦ୍ୱାରା ପରିଚାଳିତ ଏହି ମିଶନର ତଦାରଖ କରିଥିଲେ । ଏଥିସହିତ ପାକିସ୍ତାନରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍ରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

୨୦୧୫ରେ ହେଲିକପ୍ଟର କ୍ରାଶ୍ରୁ ବର୍ତ୍ତିଥିଲେ :

ବୁଧବାର ସକାଳେ ତାମିଲନାଡୁର କୁନ୍ନୁରରେ ସେନାର ଗଓ୧୭ଠ୫ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଏଥିପାଇଁ ଏତେ ସମ୍ବେଦନଶୀଳ କାରଣ ବିମାନରେ ଦେଶର ଚିଫ ଅଫ ଡିଫେନ୍ସ ଷ୍ଟାଫ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣ ସେନାର ଅଧିକାରୀ ଥିଲେ । ଖରାପ ପାଣିପାଗ କାରଣରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି । ଏହି ଭୀଷଣ ଦୁର୍ଘଟଣାରେ ୧୪ ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପ୍ରଥମ ଥର ସିଡିଏସ ବିପିନ ରାୱତ ଦୁର୍ଘଟଣାର ଶିକାର ହୋଇନାହାନ୍ତି । ଏହା ପୂର୍ବରୁ ୨୦୧୫ରେ ମଧ୍ୟ ତାଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ୨୦୧୯ ଫେବୃଆରୀ ୩ରେ ଘଟିଥିଲା । ସେହି ସମୟରେ ସେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ହୋଇନଥିଲେ । ତାଙ୍କୁ ସିଡିଏସ ଭାବେ ୨୦୧୬ରେ ନିଯୁକ୍ତ କରାଯାଇଥିଲା । ରାୱତ ହେଉଛନ୍ତି ଦେଶର ପ୍ରଥମ ସିଡିଏସ୍ । ୨୦୧୫ରେ ଜେନେରାଲ ବିପିନ ରାୱତ ନାଗାଲାଣ୍ଡର ଦିମାପୁରସ୍ଥିତ ସେନାର ୩-କୋର ମୁଖ୍ୟାଳୟର ପ୍ରମୁଖ ପଦରେ ଥିଲେ । ଦିମାପୁରରୁ ସେ ନିଜର ଚିତା ହେଲିକପ୍ଟରରେ ବାହାରିଥିଲେ । ମାତ୍ର କିଛି ଉଚ୍ଚତା ପରେ ହେଲିକପ୍ଟର ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସୌଭାଗ୍ୟବଶତଃ ସେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । ତାଙ୍କୁ ସାମାନ୍ୟ ଆଘାତ ଲାଗିଥିଲା । ଇଞ୍ଜିନ ଫେଲ୍ ହେବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଥିଲା । ଚିତା ହେଲିକପ୍ଟର ଏକକ ଇଞ୍ଜିନ ବିଶିଷ୍ଟ ଥିଲା । ସେଥିରେ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ହେଲିକପ୍ଟର ନିୟନ୍ତ୍ରଣ ହରାଇଥିଲା । ମାତ୍ର ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ଘଟିନଥିଲା । ଏହି ଘଟଣାରେ ବାୟୁସେନା ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରିଥିଲେ ।

Comments are closed.