୧୫ ଜିଲ୍ଲାରେ ପାଣିରେ ଭାସୁଛି ପାଚିଲା ଧାନ

62

-ଆନ୍ଦୋଳନ ଓ ନାରାବାଜିରେ କମ୍ପୁଛି ବିଧାନସଭା

ଭୁବନେଶ୍ୱର : ବାତ୍ୟା “ଜୱାଦ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଚାଷୀମାନେ ତଳିତଳାନ୍ତ ହୋଇଗଲେଣି । ପ୍ରବଳ ବର୍ଷା ଓ ପବନ ଯୋଗୁଁ ସାରା ରାଜ୍ୟରେ ଧାନ ସମେତ ପରିବା ଫସଲ ଉଜୁଡ଼ିଯାଇଛି । ଫସଲ ଏବେ ବି ପାଣିରେ ବୁଡ଼ି ରହିଛି । ୭ ଦିନ ମଧ୍ୟରେ ଏଥିରୁ ମୁକ୍ତି ପାଇବାର ସମ୍ଭାବନା କମ୍ । ବ୍ୟାପକ ଫସଲ ନଷ୍ଟ ହୋଇଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆଶ୍ୱାସନା ଟିକଏ ବି ଦେଇ ନାହାନ୍ତି । କ୍ଷତିପୂରଣ ମିଳିବ କି ନାହିଁ ସେହି ଆଶଙ୍କାରେ ରହିଛନ୍ତି ଚାଷୀ । ଅନ୍ୟ କୌଣସି ଉପାୟ ନପାଇ ଚାଷୀମାନେ ଅନେକ ସ୍ଥାନରେ ମୋଟର ଲଗାଇ ବିଲରୁ ପାଣି କାଢ଼ିବାରେ ଲାଗିଛନ୍ତି । ପାଣି ଭିତରୁ ଫସଲ କାଟି ବାହାରେ ସୁଖାଉଛନ୍ତି । ଏଭଳି ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେଉଥିବା ·ଷୀମାନଙ୍କ ପାଇଁ କୌଣସି ରାଜନେତିକ ଦଳ ବିଧାନସଭା ଭିତରେ କି ବାହାରେ ସ୍ୱର ଉତ୍ତୋଳନ ନକରିବା ଘଟଣା ସେମାନଙ୍କ ପାଇଁ କେବଳ ନିରାଶା ଆଣିଦେଇଛି । ଋଣ କରି ଚାଷ କରିଥିବା କୃଷକମାନେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି । ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଉପକୂଳ ଓଡ଼ିଶାରୁ ଆରମ୍ଭ କରି ଆଭ୍ୟନ୍ତୀରଣ ଏବଂ ପଶ୍ଚିମାଞ୍ଚଳରେ କେତେକ ଅଞ୍ଚଳରେ ଲକ୍ଷ ଲକ୍ଷ ହେକ୍ଟର ଫସଲ ନଷ୍ଟ ହୋଇଯାଇଛି । କୋରାପୁଟ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ,ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର ଏବଂ କଳାହାଣ୍ଡି ଜିଲ୍ଲାରେ ପାଚିଲା ଧାନଗଛ ବିଲ ପାଣିରେ ଲୋଟୁଛି । ପାଣି କାଦୁଅ ଯୋଗୁଁ ଧାନକଟା ମେସିନ୍ ବିଲ ଭିତରକୁ ଯାଇପାରୁ ନାହିଁ । କେତେକ ଜମିରେ ପାଣି ନିଷ୍କାସନର ବାଟ ମଧ୍ୟ ନାହିଁ । ତଥାପି ମୋଟର ଲଗାଇ ପାଣି ନିଷ୍କାସନ ପାଇଁ ଚାଷୀମାନେ ଉଦ୍ୟମ କରୁଛନ୍ତି । ବିଲରୁ ପାଣି ଛାଡ଼ିବା ବେଳକୁ ଫସଲ ଅବସ୍ଥା କ’ଣ ଥିବ ତାହା ଆକଳନ କରିବା କଷ୍ଟକର ହୋଇପଡ଼ିଛି ।

ସେହିଭଳି ପରିବା ଚାଷୀମାନେ ମଧ୍ୟ ଆଶା ହରାଇଛନ୍ତି । ସେମାନେ କହିଛନ୍ତି ଯେ ଯେତେ ବର୍ଷା ହୋଇଛି ତାହା ପରିବା ଚାଷକୁ କ୍ଷତି କରିବାକୁ ଯଥେଷ୍ଟ । ବର୍ଷା ଛାଡ଼ିବା ପରେ ପତ୍ରଝଡ଼ା, ଝାଉଁଳା, ମୂଳଶା ଭଳି ରୋଗ ଦେଖାଯିବାର ଆଶଙ୍କା ରହିଛି । ବିଶେଷ କରି ଫୁଲକୋବିରେ ପୋକ ହେବା ସହିତ ପଚିଯିବା ନିଶ୍ଚିତ । ପରିବା ଚାଷ ଆଉ ଲାଭଜନକ ହେବନାହିଁ । ଯାହା କଲେ ବି କ୍ଷତି ହେବ ବୋଲି ସେମାନେ କହୁଛନ୍ତି । ବାତ୍ୟା ପ୍ରଭାବରେ ଚାଷୀକୂଳ ସାଂଘାତିକ ପ୍ରଭାବିତ ହୋଇଥିବାରୁ ଅନୁମାନ କରାଯାଉଥିଲା ଯେ ଏହି ପ୍ରସଙ୍ଗକୁ ବିଧାନସଭାରେ ପ୍ରାଥମିକତା ଦିଆଯାଇ ଆଲୋଚନା ହେବ । ମାନସିକ ଦୁଃଶ୍ଚିନ୍ତାରେ ଥିବା ଚାଷୀଙ୍କୁ ବିଧାୟକମାନେ ନୈତିକ ସମର୍ଥନ ଦେବା ସହ କିପରି କ୍ଷତିପୂରଣ ପାଇବେ ତାହାର ବାଟ ବାହାର କରିବେ । ବିଧାୟକମାନେ ତୁରନ୍ତ ଚାଷୀ ପ୍ରସଙ୍ଗ ଆଲୋଚନା କରନ୍ତୁ ବୋଲି ମତପ୍ରକାଶ ପାଇଥିଲା ।

Comments are closed.