ଦିଲ୍ଲୀ ସୀମାରୁ ଘରକୁ ଫେରିବେ ଚାଷୀ

73

ନୂଆଦିଲ୍ଲୀ : କେନ୍ଦ୍ରର କୃଷି ଆଇନ ଓ ଏମଏସପି ଭଳି ଦାବି ନେଇ ଦୀର୍ଘ ଗୋଟିଏ ବର୍ଷ ହେଲା ଦିଲ୍ଲୀ ସୀମାରେ ଚାଷୀମାନେ କରୁଥିବା ଆନ୍ଦୋଳନ ଶେଷ ହୋଇଛି । ସରକାର ଲିଖିତ ଭାବେ ଚାଷୀଙ୍କ ସବୁ ଦାବି ମାନିବାକୁ ରାଜି ହୋଇଛନ୍ତି । ସରକାରଙ୍କ କଥାରେ ବିଶ୍ୱାସ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆଜି ଆନ୍ଦୋଳନକୁ ଶେଷ କରିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ୧୧ ତାରିଖରୁ ଚାଷୀମାନେ ଦିଲ୍ଲୀ ସୀମାରୁ ନିଜ ନିଜ ଘରକୁ ଫେରିବେ । ତେବେ ଜାନୁଆରୀ ୧୫ରେ ପୁଣି ଗୋଟିଏ ସମୀକ୍ଷା ବୈଠକ ବସିବ । ସରକାର ଦେଇଥିବା ପ୍ରତିଶ୍ରୁତି ଯଦି ପୂରଣ ନ କରିନ୍ତି, ତା’ହେଲେ ଏହି ବୈଠକ ପରେ ପୁଣି ଆନ୍ଦୋଳନ ପାଇଁ ମୋର୍ଚ୍ଚା ପାଗ ଭିଡ଼ିବ ବୋଲି ଆଜି କହିଛି । ୨୦୨୦ ମସିହା ନଭେମ୍ବର ୨୬ରୁ ଦିଲ୍ଲୀର ସିଙ୍ଘୁ, ଗାଜିପୁର ଓ ଟିକରି ସୀମାରେ ଶତାଧିକ ଚାଷୀ ଆନ୍ଦୋଳନ ଆରମ୍ଭ କରିଥିଲେ । କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର ଦାବିରେ ଶତାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରଥମେ ସରକାର ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ଚାଷୀମାନେ ନିଜ ଜିଦରେ ଅଟଳ ରହିବା ସହ ଆନ୍ଦୋଳନ ଜାରି ରଖିଥିଲେ । ଶେଷରେ ଚଳିତବର୍ଷ ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କ୍ଷମା ମାଗିବା ସହ କୃଷି ଆଇନ ପ୍ରତ୍ୟାହାର କରାଯିବ ବୋଲି କହିଥିଲେ ।

ଏହାପରେ ଲୋକସଭା ଓ ରାଜ୍ୟସଭାରେ ଆଇନକୁ ପ୍ରତ୍ୟାହାର କରାଯାଇଥିଲା । ତେବେ ଚାଷୀମାନେ ଏମଏସପିର ଗ୍ୟାରେଣ୍ଟି, ଆନ୍ଦୋଳନ ବେଳେ ଚାଷୀଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଜାରି ରଖିଥିଲେ । ଦିନକୁ ଦିନ ଚାପ ବଢ଼ିବାରୁ କେନ୍ଦ୍ର ସରକାର ଚାଷୀଙ୍କ ସବୁ ଦାବି ମାନିବେ ବୋଲି ମଙ୍ଗଳବାର ଲଖିତ ପ୍ରତିଶ୍ରୁତି ଦେଇଥିଲେ । ଏହା ଉପରେ ମୋର୍ଚ୍ଚା ପକ୍ଷରୁ ଦୁଇଦିନ କାଳ ସିଙ୍ଘୁ ସୀମାରେ ବୈଠକ ବସିଥିଲା । ଶେଷରେ ଚାଷୀମାନେ କେନ୍ଦ୍ରର ପ୍ରସ୍ତାବକୁ ଗ୍ରହଣ କରି ଆନ୍ଦୋଳନ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ·ଷୀ ନେତା ଗୁରୁନାମ ସିଂହ କହିଛନ୍ତି, ଆମେ ଆନ୍ଦୋଳନ ଶେଷ କରିବାକୁ ନିଷ୍ପତ୍ତି ନେଇଛୁ । ଆମେ ଜାନୁଆରୀ ୧୫ରେ ଗୋଟିଏ ସମୀକ୍ଷା ବୈଠକ କରିବୁ । ଯଦି ସରକାର ପ୍ରତିଶ୍ରୁତି ପୂରଣ ନ କରିବେ, ତା’ହେଲେ ଆମେ ପୁଣି ଆନ୍ଦୋଳନ ଆରମ୍ଭ କରିବୁ । ଆଜି ବି ଏମଏସପି ଓ ଋଣ ଭଳି ସମସ୍ୟା ·ଷୀଙ୍କ ଆଗରେ ରହିଛି । ସେହିପରି ଏହି ଆନ୍ଦୋଳନ ପୂରା ଦେଶର ଚାଷୀଙ୍କର ଥିଲା । ଆଜି ଆମେ ଗୋଟିଏ ବଡ଼ ବିଜୟ ସହ ଘରକୁ ଫେରୁଛୁ । ଆନ୍ଦୋଳନରତ ଚାଷୀମାନେ ଆସନ୍ତା ୧୧ ତାରିଖରୁ ଆନ୍ଦୋଳନସ୍ଥଳ ଖାଲି କରିଦେବେ । ୧୦ ତାରିଖରେ ଶୋକସଭା ଆୟୋଜନ ହେବ । ୧୧ ତାରିଖରେ ଘରକୁ ଫେରିବାର ୨ ଦିନ ପରେ ଚାଷୀମାନେ ସ୍ୱର୍ଣ୍ଣ ମନ୍ଦିର ଯିବେ । ଡିସେମ୍ବର ୧୫ ସୁଦ୍ଧା ଚାଷୀ ଆନ୍ଦୋଳନ ସଂପୂର୍ଣ୍ଣ ଭାବେ ଶେଷ ହେବ ବୋଲି ଅନ୍ୟତମ ଚାଷୀ ନେତା ଦର୍ଶନପାଲ ସିଂହ ସୂଚନା ଦେଇଛନ୍ତି ।

Comments are closed.