ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡ଼ି

67

ଭୁବନେଶ୍ୱର : କେନ୍ଦ୍ର ବିରୋଧରେ ନରମ ଆଭିମୁଖ୍ୟ ଦେଖାଇ ଆସୁଥିବା ବିଜେଡି, କିଛି ଦିନ ହେଲା ତାର ଚିନ୍ତାଧାରାରେ ପରିବର୍ତ୍ତନ ଆଣି ଯୁଦ୍ଧଂ ଦେହି ଡାକରା ଦେଇଛି । ରାଜ୍ୟର ସାମଗ୍ରିକ ରାଜନୈତିକ ସ୍ଥିତିକୁ ଏହା ସରଗରମ କରିଛି । ଦର ବୃଦ୍ଧିକୁ ଆୟୁଦ୍ଧ କରି କେନ୍ଦ୍ର ବିରୋଧରେ ବିଜେଡି ଦେଇଛି ରଣହୁଙ୍କାର । ଦରବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ଦଳ । ଦରଦାମ ବୃଦ୍ଧି ପ୍ରସଙ୍ଗକୁ ଅସ୍ତ୍ର କରି କେନ୍ଦ୍ର ବିରୋଧରେ ବିକ୍ଷୋଭ କରିଛି ବିଜେଡି । ରାଜଧାନୀର ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଛି ଶାସକ ଦଳ । ଏକ ବିଶାଳ ବାଇକ ର୍ୟାଲି କରି ଶକ୍ତି ପ୍ରଦର୍ଶନ କରିଛି । ଏହି ର୍ୟାଲି ବିଜେଡି ମୁଖ୍ୟ କାର୍ଯ୍ୟାଳୟରୁ ବାହାରି ବିଧାନସଭା ନିକଟ ପାୱାର ହାଉସ ଛକ ଯାଏ ଯାଇଥିଲା । ବିଧାନସଭା ନିକଟରେ ବିଶାଳ ପ୍ରତିବାଦ ସଭା କରିଥିଲା ବିଜେଡି । ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଦଳର ଯୁବ, ଛାତ୍ର ଓ ମହିଳା ଶାଖାର ହଜାର ହଜାର ସଦସ୍ୟ । କେନ୍ଦ୍ର ବିରୋଧରେ ନାରାବାଜିରେ ମୁଖରିତ ହେଉଥିଲା ସାରା ଅଞ୍ଚଳ । ବିଧାନସଭା ନିକଟ ବିଡିଏ ଅଫିସ ସାମ୍ନା ମୁଖ୍ୟ ରାସ୍ତାକୁ ନିଜ କବ୍ଜାକୁ ନେଇ ବିରୋଧ କରିଥିଲା ବିଜେଡି । ପ୍ରାୟ ୨ଘଣ୍ଟା କାଳ ରାସ୍ତାରେ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଥିଲା । ଶୀଘ୍ର ଦରଦାମ ବୃଦ୍ଧି ନିୟନ୍ତ୍ରଣକୁ ନଆସିଲେ ପଲ୍ଲୀରୁ ଆନ୍ଦୋଳନକୁ ଦିଲ୍ଲୀ ଯାଏଁ ନେବ ବୋଲି ବିଜେଡି କହିଛି । କେନ୍ଦ୍ର ବିରୋଧରେ ନରମ ଆଭିମୁଖ୍ୟ ନେଇ ଆଗକୁ ବଢୁଥିବା ବିଜେଡି ନିଜର ଆଭିମୁଖ୍ୟ ପୋଷଣ କରିଛି । ଆଉ ଶକ୍ତି ପ୍ରଦର୍ଶନ କରି କେନ୍ଦ୍ରକୁ ଦେଇଛି ଚେତାବନୀ । ରାଜଧାନୀରେ ଝିପଝିପି ବର୍ଷା ହେଉଥିଲା ବେଳେ ସେପଟେ ବିଜେପିର ବିଧାନସଭା ଘେରାଉ ଓ ବିଜେଡିର ବିଶାଳ ବାଇକ୍ ବିକ୍ଷୋଭ ପ୍ରଦର୍ଶନ ରାଜଧାନୀ ରାଜନୀତିକୁ ସରଗରମ କରିଦେଇଛି ।

Comments are closed.