ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍ଜି

53

-ଗାନ୍ଧି ମାର୍ଗରେ ଗାନ୍ଧିଙ୍କ ନୀତିକୁ ଭୂଲିଗଲେ ବିଜେପି କର୍ମୀ

ଭୁବନେଶ୍ୱର : ଗାନ୍ଧିମାର୍ଗରେ ଗାନ୍ଧିଙ୍କ ଅହିଂସା ନୀତିକୁ ଭୂଲିଗଲେ ବିଜେପି କର୍ମୀ । ପ୍ରତିବାଦ କରିବାର ଅଧିକାର ଗଣତନ୍ତ୍ର ରାଷ୍ଟ୍ରରେ ସମସ୍ତଙ୍କର ରହିଥିଲେ ହେଁ ବିଜେପି କର୍ମୀମାନେ ଯେଉଁ ଢଙ୍ଗରେ ଆନ୍ଦୋଳନ କରିଥିଲେ ତାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ଦୋଳନ ନାଁରେ ହିଂସାକୁ ଆପଣାଇବା କେତେଦୂର ଯୁକ୍ତିଯୁକ୍ତ ତାହା ଏବେ ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭକରି ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି । ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବିଜେପି କର୍ମୀମାନେ ବିଧାନସଭା ଆଡକୁ ଧସେଇ ପଶିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଠିକ୍ ସେତିକି ବେଳେ ପୋଲିସ ଉପରକୁ ଇଟାପଥର ମାଡ଼ କରିଥିଲେ ବିଜେପି କର୍ମୀ । ଏଥିରେ ୩ ଆଇଆଇସିଙ୍କ ସମେତ ୧୫ ପୋଲିସ ଆହତ ହୋଇଛନ୍ତି । ଏପରିକି ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ ପୋଲିସ ଗାଡ଼ି, କିଛି ଗଣମାଧ୍ୟମ ପ୍ରତିନିଧି ଏବଂ ସାଧାରଣ ଲୋକେ ଆହତ ହୋଇଛନ୍ତି । ଆହତ ପୋଲିସ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ସିସିଟିଭି ଫୁଟେଜ୍ ଆଧାରରେ ଯାଞ୍ଚ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଆଜି ପୋଲିସ କମିସନର ଶ୍ରୀ ପ୍ରିୟଦର୍ଶୀ ଓ ଡିସିପି ଉମାଶଙ୍କର ଦାସ ହସ୍ପିଟାଲ ଯାଇ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଆନ୍ଦୋଳନକାରୀଙ୍କ ଉଗ୍ରରୂପକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲାଠିଚାର୍ଜ ମଧ୍ୟ କରାଯାଇଥିଲା । ଏପରିକି କିଛି ବିଜେପି କର୍ମୀଙ୍କୁ ଗିରଫ ମଧ୍ୟ କରାଯାଇଛି ।

ସୂଚନାଯୋଗ୍ୟ ଯେ, ମମିତାଙ୍କୁ ନ୍ୟାୟ ଦାବିରେ ଭୁବନେଶ୍ୱର ବିଜେପି ପାର୍ଟି ଅଫିସରୁ ବିଜେପି ଯୁବମୋର୍ଚ୍ଚାର ଏକ ବିଶାଳ ଶୋଭାଯାତ୍ରା ବିଧାନସଭା ଅଭିମୁଖେ ବାହାରିଥିଲା । ବିଧାନସଭା ଆଡକୁ କର୍ମୀମାନେ ଅଗ୍ରସର ହେବା ବେଳେ ପୋଲିସ ସହ ମୁହାଁମୁହିିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲାବେଳେ କିଛି ବିଜେପି କର୍ମୀ ସେମାନଙ୍କ ଉପରକୁ ଢେଲାପଥର ମାଡ କରିଥିଲେ । ଏହାକୁ ବିଜେଡି ପକ୍ଷରୁ କଡ଼ା ନିନ୍ଦା କରାଯିବା ସହିତ ମମିତାଙ୍କୁ ନ୍ୟାୟ ନୁହେଁ, ବିଜେପି ରାଜନୈତିକ ଫାଇଦା ଚାହୁଁଛି ବୋଲି କହିଛି । ଦିବଙ୍ଗତ ଶିକ୍ଷୟିତ୍ରୀଙ୍କୁ ନ୍ୟାୟ ପାଇଁ ବିଜେପି ଲଢ଼େଇ କରୁଛି । କିନ୍ତୁ ଯେଉଁଭଳି କଟ୍ଆଉଟ୍ ଲଗାଇ ଚିତ୍ରଣ କରାଯାଇଥିଲା, ତାହା ସମଗ୍ର ନାରୀ ସମାଜ ପାଇଁ ନିନ୍ଦନୀୟ । ବିଜେପିର ଶୀର୍ଷନେତାମାନେ ବୌଦ୍ଧିକ ଶକ୍ତି ହରାଇଛନ୍ତି ବୋଲି କଡ଼ା ଭାଷାରେ କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ପ୍ରକୃତରେ ମମିତାଙ୍କୁ ନ୍ୟାୟ ମାଗିବାକୁ ନା ଜଣେ ମୃତବ୍ୟକ୍ତିଙ୍କ ଶବ ଉପରେ ଛିଡ଼ା ହୋଇ ରାଜନୈତିକ ଅଙ୍କ ବିଜେପି ଆଙ୍କୁଛି ବୋଲି ତାହା ସ୍ପଷ୍ଟ ପ୍ରମାଣିତ ହୋଇଛି । କମିସନରେଟ୍ ପୋଲିସଠାରୁ ଆନ୍ଦୋଳନ ପାଇଁ ଅନୁମତି ନେଇ ସେହି ପୋଲିସକୁ ବାଡେଇବା କେତେଦୂର ଯୁକ୍ତିଯୁକ୍ତ ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି । ଏହାର ଉଚିତ ଜବାବ ଓଡ଼ିଶାବାସୀ ଦେବେ । ସେମାନେ ବିଧାନସଭା ଚଳାଇ ଦେଉନାହାନ୍ତି । ମମିତାଙ୍କୁ ନ୍ୟାୟ ଦେବା ତାଙ୍କର ଏକ ଆଳ । ପ୍ରକୃତ ଉଦ୍ଦେଶ୍ୟ ହେଉଛି ପୋଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରୁ ଏବଂ ଏହି ଘଟଣା କିଭଳି ହାଇଲାଇଟ୍ ହେଉ ଏହା ହିଁ ବିଜେପିର ଇଚ୍ଛା ବୋଲି ସେ କହିଛନ୍ତି ।

Comments are closed.