୨୦ଦିନ ଆଗରୁ ସରିଲା ବିଧାନସଭା

67

-୯ ଦିନରେ ୨ଘଣ୍ଟା ବି ଚାଲିଲାନି ଗୃହ
-ବିରୋଧୀ-ଶାସକ ପତିଆରା ଲଢ଼େଇରେ ଧୋଇଗଲା
-୧୯,୮୩୩ କୋଟିର ବ୍ୟୟମଞ୍ଜୁରି ବିଲ୍ ପାସ୍

ଭୁବନେଶ୍ୱର : ସରିଲା ବିଧାନସଭାର ଶୀତ ଅଧିବେଶନ । ଅନିର୍ଦ୍ଦିଷ୍ଟକାଳ ପାଇଁ ବିଧାନସଭା ମୁଲତବି ହେଲା । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବାର ଥିବାବେଳେ ଏହାର ୨୦ଦିନ ଅର୍ଥାତ୍ ୧୭ଟି କାର୍ଯ୍ୟଦିବସ ପୂର୍ବରୁ ଅଧିବେଶନକୁ ମୁଲତବି କରିଛନ୍ତି ବାଚସ୍ପତି । ୯ ଦିନରେ ମାତ୍ର ଦୁଇଘଣ୍ଟା ବି ଚାଲିପାରିଲାନି ଗୃହ । ଚଳିତ ଅଧିବେଶନର ଗୋଟିଏ ଦିନ ବି ଠିକ୍ ଭାବେ ଗୃହ ଚାଲିପାରିନି । ଏପରିକି ଗୋଟିଏ ଦିନ ବି ପ୍ରଶ୍ନକାଳ ଚାଲିପାରିନଥିବା ବେଳେ ଗୋଟିଏ ବି ମୁଲତବି ପ୍ରସ୍ତାବ ଆଲୋଚନା ହୋଇନି । କେବଳ ହଟ୍ଟଗୋଳରେ ଧୋଇଗଲା ଶୀତ ଅଧିବେଶନ । ପ୍ରବଳ ହଟ୍ଟଗୋଳ ଯୋଗୁ ଦିନଟିଏ ବି ଗୃହ ସ୍ୱାଭାବିକ୍ ହେଲାନି । କିଏ ତାଲା ପକାଇଲା ତ ଆଉ କିଏ ଘଣ୍ଟମାଡ଼ କଲା । ପୁଣି କିଏ ପୂଜକ ବେଶରେ ଆସି ଗୃହକୁ ପବିତ୍ର କଲା । ଶୀତ ଅଧିବେଶନ ଆରମ୍ଭରୁ ଶେଷ ଯାଏ ଏମିତି କିଛି ଦୃଶ୍ୟ ବିଧାନସଭା ଭିତର ଓ ବାହାରେ ଦେଖିବାକୁ ମିଳିଥିଲା । ସବୁଠୁ ରୋଚକ ଦୃଶ୍ୟ ଥିଲା ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ପୋଷ୍ଟର ୱାର । ନିଜ ନିଜ ଜିଦ୍ରେ ଅଟଳ ରହିଥିଲେ ବିରୋଧୀ ଓ ଶାସକ । ଶାସକ ଦଳ କେନ୍ଦ୍ର ବିରୋଧରେ ନିଜର ଆଭିମୁଖ୍ୟକୁ ଶାଣିତ କରିଥିଲା ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାଇକ ବିଦ୍ରୋହ, ଦରଦାମ୍ ବୃଦ୍ଧି ଆଦି ପ୍ରସଙ୍ଗ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଥିଲା ବିଜେଡି । ଡିସେମ୍ବର ପହିଲାରୁ ଆରମ୍ଭ ହୋଇଥିବା ଅଧିବେଶନରେ ବିରୋଧୀ କେବଳ ମମିତା ପ୍ରସଙ୍ଗକୁ ନେଇ ଅଡି
ବସିଥିଲେ । ମମିତା ଝଡ଼ରେ ସମ୍ପୂର୍ଣ୍ଣ ରୂପେ ଧୋଇଗଲା ଚଳିତ ଅଧିବେଶନ । ପ୍ରବଳ ହଟ୍ଟଗୋଳ ଭିତରେ ପାରିତ ହୋଇଛି ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ଏକ ସଂକଳ୍ପ ପାରିତ କରିଛନ୍ତି ସରକାର । ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ସମୟରେ ବିରୋଧୀ ପ୍ରତିବାଦ କରିଥିଲେ । ବାଚସ୍ପତିଙ୍କ ପୋଡିଅମ୍ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ଏଥର ବିରୋଧୀ ଏବଂ ଶାସକ ଦଳ ଯେଉଁ ତରିକା ଆପଣାଇଥିଲେ ତାକୁ ବୁଦ୍ଧିଜୀବୀ ତଥା ରାଜ୍ୟବାସୀ ନାପସନ୍ଦ କରିଛନ୍ତି । ଏହି ଅଧିବେଶନ ପାଇଁ ଲୋକଙ୍କ ଟିକସ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏଥିପ୍ରତି ନା ଶାସକ ନା ବିରୋଧୀ କାହାର ନିଘା ଅଛି । ଲୋକଙ୍କ ସମସ୍ୟା ପାଇଁ ଚାଲୁଥିବା ଗୃହକୁ ଏପରି ଧୋଇଦେବା ଘଟଣାକୁ ନେଇ ବୁଦ୍ଧିଜୀବୀମାନେ ଗଣତନ୍ତ୍ର ପ୍ରତି ବିପଦ ବୋଲି କହିଛନ୍ତି ।

Comments are closed.