ଓମିକ୍ରନ୍ ଆତଙ୍କ ହେଳା କଲେ ମାଡ଼ିଯିବ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ

66

ଜେନେଭା : ସମଗ୍ର ବିଶ୍ୱରେ ଓମିକ୍ରନ୍ ଆତଙ୍କ ଦେଖାଦେଇଛି । ଧୀରେ ଧୀରେ ଏହା ୫୭ ଦେଶରେ କାୟାବିସ୍ତାର କଲାଣି । ଆଗକୁ ସଂକ୍ରମିତଙ୍କ ଦେଶ ସଂଖ୍ୟା ଆହୁରି ବଢ଼ିପାରେ । କରୋନା ମହାମାରୀରେ ବଡ଼ ଧରଣର ପ୍ରଭାବ ଛାଡ଼ିପାରେ ଓମିକ୍ରନ୍ । ହେଳା କଲେ ଏହା ମାଡ଼ିଯିବ । ଏଭଳି କଡ଼ା ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହୁ’ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନୋମ ଘେବ୍ରିୟେସସ୍ କହିଛନ୍ତି କରୋନାର ପୂର୍ବ ଷ୍ଟ୍ରେନ୍ ଅପେକ୍ଷା ଏହା ଦ୍ରୁତ ଗତିରେ ବ୍ୟାପୁଛି । ଏପରିକି ପୁନଃ ସଂକ୍ରମଣର ଆଶଙ୍କା ମଧ୍ୟ ରହିଛି । ଏହି ନୂଆ ଭାରିଆଣ୍ଟ କେତେ ଅଧିକ ସଂକ୍ରାମକ ତଥ୍ୟର ଅନୁଧ୍ୟାନ କରାଯାଉଛି । ଡେଲ୍ଟା ଭାରିଆଣ୍ଟ ତୁଳନାରେ ଓମିକ୍ରନ୍ ସଂକ୍ରମିତଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି । କିନ୍ତୁ ଏଯାଏ କୌଣସି ଠୋସ୍ ନିଷ୍କର୍ସରେ ପହଞ୍ôଚନାହାନ୍ତି ବୈଜ୍ଞାନିକ । ଓମିକ୍ରନ୍ ରୂପ ବଦଳାଉଛି । ଆଗକୁ ଆହୁରି ମାଡ଼ିପାରେ । ହସ୍ପିଟାଲରେ ବେଡ୍ ଭର୍ତ୍ତି ହେବା ଯାଏ ଅପେକ୍ଷା କରିବା ଉଚିତ ନୁହେଁ । ସେତେବେଳକୁ ବହୁତ ବିଳମ୍ବ ହୋଇଯାଇପାରେ । କରୋନା ବିରୋଧୀ ଟିକାର ଅତିରିକ୍ତ ଡୋଜ୍ ଭାରିଆଣ୍ଟଠାରୁ ସୁରକ୍ଷା ଦେବାରେ ସହାୟକ ହେବ କି ନାହିଁ ଏଯାଏ ତାହା ସ୍ପଷ୍ଟ ହୋଇନି । ତେଣୁ କୌଣସି ରାଷ୍ଟ୍ର ଟିକାର ଡୋଜ୍କୁ ସଂରକ୍ଷିତ କରି ରଖିବା ଉଚିତ ନୁହେଁ ।

ଅନେକ ଦେଶ ଏବେ ବୁଷ୍ଟର ଡୋଜ୍ ଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । କିଛି ଟିକା ଉତ୍ପାଦନକାରୀ କମ୍ପାନୀ ମଧ୍ୟ ଓମିକ୍ରନ୍ ବିରୋଧରେ ବୁଷ୍ଟର ଡୋଜ୍ ସଫଳ ହେବ ବୋଲି କହୁଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିନ୍ତୁ ଏହାକୁ ଅସ୍ୱୀକାର କରିଛି । ହୁ’ର ମୁଖ୍ୟ ଟିକା ପରାମର୍ଶଦାତା କେଟ୍ ଓବ୍ରାଇନ୍ କହିଛନ୍ତି ଓମିକ୍ରନ୍ କ’ଣ ପରିସ୍ଥିତି ସୃଷ୍ଟି କରିବ ତାହା ଏଯାଏ କାହାକୁ ଜଣାନାହିଁ । ତେଣୁ ଏବେଠାରୁ ଓମିକ୍ରନ୍ ମୁକାବିଲା ପାଇଁ ପଦକ୍ଷେପ ନେବା ଜରୁରି ବୋଲି ହୁ ମୁଖ୍ୟ ଶ୍ରୀ ଟେଡ୍ରୋସ୍ କହିଛନ୍ତି । ସବୁ ଦେଶକୁ ସର୍ଭେଲାନ୍ସ, ଟେଷ୍ଟିଂ ଓ ସିକ୍ୱେନ୍ସିଂ ବଢ଼ାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଏଥିସହିତ ମାସ୍କ ପରିଧାନ ଉପରେ ମଧ୍ୟ ସେ ଫୋକସ୍ କରିଛନ୍ତି । ଅନ୍ୟପକ୍ଷରେ ନୀତିଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଭି.କେ.ପଲ୍ କହିଛନ୍ତି ଓମିକ୍ରନ୍ ଯୋଗୁ ଉଦ୍ବେଗଜନକ ସ୍ଥିତି ଉପୁଜିପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବାରମ୍ବାର ସଚେତନ ରହିବା ପାଇଁ ପରାମର୍ଶ ଦେଇଆସୁଛି । ମାସ୍କ ପିନ୍ଧିବା ଓ ଟିକାର ଦୁଇଟି ଡୋଜ୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ପଲ୍ କହିଛନ୍ତି ।

Comments are closed.