ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ିହେଲା ଗଞ୍ଜାମ : ଜିଲ୍ଲାବାସୀଙ୍କୁ ୨୧୪୦ କୋଟିର ଭେଟି

72

-ଗଞ୍ଜାମବାସୀଙ୍କୁ ବାଣ୍ଟିଲେ ବିଏସ୍କେୱାଇ ସ୍ମାର୍ଟ କାର୍ଡ
-ଉପକୃତ ହେବେ ୨୬ଲକ୍ଷ ୭୬ହଜାର ହିତାଧିକାରୀ
-ମା’ ତାରାତାରିଣୀଙ୍କ ଦର୍ଶନ ପରେ ମାରାଥନ କାର୍ଯ୍ୟକ୍ରମ
-୨୦୨୩ ସୁଦ୍ଧା ସରିବ ମା’ଙ୍କ ପୀଠର ବିକାଶ କାର୍ଯ୍ୟ
-ହିଞ୍ଜିଳିରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

ବ୍ରହ୍ମପୁର/ହିଞ୍ଜଳି : ସ୍ମାର୍ଟ ସ୍ୱାସ୍ଥ୍ୟସେବା ସହ ଯୋଡ଼ି ହେଲା ଗଞ୍ଜାମ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାର ୨୬ ଲକ୍ଷ ୭୬ ହଜାର ଲୋକ ସ୍ମାର୍ଟକାର୍ଡ ଦ୍ୱାରା ଉପକୃତ ହେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୭ଜଣ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିଥିଲେ । ଏହାସହ ବିଭିନ୍ନ ପ୍ରକଳ୍ପ ଯୋଗେ ୨୧୪୦ କୋଟିରୁ ଅଧିକ ଟଙ୍କାର ଭେଟି ଦେଇଛନ୍ତି । ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି । ୫୭୧ କୋଟି ଟଙ୍କା ବ୍ୟୟରେ ହୋଇଥିବା ୬୫୧ଟି ପ୍ରକଳ୍ପର ଉଦ୍ଘାଟନ, ୧୫୮୩ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୬୪୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ୧୨୭ କୋଟି ଟଙ୍କାର ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ବେଳେ ଗଞ୍ଜାମ ଜିଲ୍ଲା ଭଲ କାମ କରିଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଗଞ୍ଜାମର ୨୫ ହଜାର ମିଶନ ଶକ୍ତି ଗ୍ରୁପର ମାଆ ୫ ଶହ କୋଟିର ଲୋନ୍ ନେଇ ଭଲ କାମ କରିଥିବାରୁ ଖୁସିବ୍ୟକ୍ତ କରିଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ସାଧାରଣ ଲୋକଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା ହେଉଛି ସରକାରଙ୍କ ପ୍ରତିବଦ୍ଧତା । ଏ ଦିଗରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ରାଜ୍ୟବାସୀଙ୍କ ପାଇଁ ସରକାରଙ୍କର ଶ୍ରେଷ୍ଠ ଉପହାର ବୋଲି ସେ କହିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ୍ କାର୍ଡ ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଗରିବ ଲୋକମାନେ ସ୍ୱାସ୍ଥ୍ୟସେବା ପାଇଁ ଅନେକ ସମସ୍ୟାରୁ ବିଶେଷକରି ଚିକିତ୍ସା ଖର୍ଚ୍ଚ ଜନିତ ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ,ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲାସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଶିଳାନ୍ୟାସ ଓ ଉଦ୍ଘାଟନ କରିଥିବା ବେଳେ ସଂଯୋଗୀକରଣଠାରୁ ଆରମ୍ଭକରି ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ପରିମଳ, ଶକ୍ତି, ମହିଳା ଓ ଶିଶୁ ଆଦି କ୍ଷେତ୍ରରେ ବିକାଶ କରାଯିବ ବୋଲି କହିଛନ୍ତି । ପ୍ରଥମେ ମୁଖ୍ୟମନ୍ତ୍ରୀ ତାରାତାରିଣୀଙ୍କୁ ଦର୍ଶନ କରିବା ପରେ ତାଙ୍କର ମାରାଥନ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ମନ୍ଦିରର ମୁଖ୍ୟ ପୂଜକ ମୁଖ୍ୟମନ୍ତ୍ରୀଙ୍କୁ ମା’ଙ୍କ ଓଢ଼ଣୀ ପ୍ରଦାନ କରିଥିଲେ । ମା’ଙ୍କ ଦର୍ଶନ ସହ ସେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ତାରାତାରିଣୀ ପୀଠର ବିକାଶ କାର୍ଯ୍ୟ ଜାରି ରହିଛି । ଏହା ୨୦୨୩ ସୁଦ୍ଧା ଶେଷ ହେବ ବୋଲି କହିବା ସହ ହିଞ୍ଜିଳିରେ ବିଜୁ ବାବୁଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଲୋକାର୍ପିତ କରିଥିଲେ । ବିଜୁ ପଟ୍ଟନାୟକ ଛକଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୦୦ କୋଟି ଟଙ୍କାର ଋଣ ବଣ୍ଟନ କରିବା ସହ ପଞ୍ଚାୟତ ସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିମଳ କାର୍ଯ୍ୟ ସମ୍ପାଦନ ପାଇଁ ବ୍ୟାଟେରିଚାଳିତ ଯାନର ଶୁଭାରମ୍ଭ କରିଥିଲେ । ଏଥିସହିତ ଗଞ୍ଜାମର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିବା ପାଇଁ ଜିୟୁଟିଏସଏଲ୍ ଦ୍ୱାରା ପରିଚାଳିତ ହେବାକୁ ଥିବା ଗଞ୍ଜାମ ଦର୍ଶନ ବସକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ମା’ ତାରାତାରଣିଙ୍କ ପୀଠରେ ମୁଖ୍ୟମନ୍ତ୍ରୀ

Comments are closed.