ଆନ୍ଧ୍ରରେ ଓମ୍ରିକନ୍ ଆକ୍ରାନ୍ତ ଚିହ୍ନଟ : ଓଡ଼ିଶା ପାଇଁ ବଢ଼ିଲା ଚିନ୍ତା

73

ଭୁବନେଶ୍ୱର : କରୋନା ଭାଇରସ୍ ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ସମଗ୍ର ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଭାରତରେ ମଧ୍ୟ ଏହା ଗୋଟିଏ ପରେ ଗୋଟିଏ ରାଜ୍ୟରେ କାୟା ବିସ୍ତାର କରୁଛି । ଓଡ଼ିଶାରେ ଏପର୍ଯ୍ୟନ୍ତ ଏହି ଭାରିଆଣ୍ଟର ଶିକାର ହୋଇ ନାହାନ୍ତି । କିନ୍ତୁ ପଡୋଶୀ ଆନ୍ଧ୍ରପ୍ରଦେଶରେ ଜଣେ ଯୁବକ ପ୍ରଥମ ଥର ପାଇଁ ଚିହ୍ନଟ ହେବା ପରେ ଆମ ପାଇଁ ସତର୍କ ଘଣ୍ଟି ବାଜିଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଆନ୍ଧ୍ରରେ ଜଣେ ଯୁବକ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହେବା ପରେ ସତର୍କ ରହିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାର । ଅନ୍ୟପଟେ ପଡୋଶୀ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡିଶାରେ ଏହାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ରାଜ୍ୟରେ ଏଯାଏଁ କୌଣସି ଓମିକ୍ରନ ମାମଲା ଆସିନଥିବା ବେଳେ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଟେଷ୍ଟିଂ କରାଯିବା ପରେ ସଙ୍ଗରୋଧରେ ରଖାଯାଉଥିବା ଓଡିଶା ସରକାରଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟକୁ ଯେପରି ଓମିକ୍ରନ ପ୍ରବେଶ ନକରୁ ସେଥିପାଇଁ ରାଜ୍ୟ ସରକାର ସତର୍କ ରହିଥିବା କୁହାଯାଇଛି ।

ସୂଚନାଯୋଗ୍ୟ ଆନ୍ଧ୍ରପ୍ରଦେଶରେ କୋଭିଡ-୧୯ର ଭାରିଆଣ୍ଟ ଓମିକ୍ରନର ପ୍ରଥମ ପଜିଟିଭ ଚିହ୍ନଟ ହୋଇଛି । ଟ୍ରାକ୍ ରେକର୍ଡରେ ସଂକ୍ରମିତ ବ୍ୟକ୍ତି ଆୟରଲ୍ୟାଣ୍ଡରୁ ଆସିଥିବା ଜଣାପଡିଛି । ବିଦେଶରୁ ଆନ୍ଧ୍ରପ୍ରଦେଶ ଫେରିଥିବା ୧୫ ଜଣ ଯାତ୍ରୀଙ୍କର ଟେଷ୍ଟିଂ ହୋଇଥିଲା । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କଠାରେ କରୋନା ପଜିଟିଭ ମିଳିଥିବା ବେଳେ ୩୪ ବର୍ଷିୟ ଏହି ବ୍ୟକ୍ତିଙ୍କ ଠାରେ ଓମିକ୍ରନ ପଜିଟିଭ ମିଳିଛି । ତେବେ କରୋନା ଆକ୍ରାନ୍ତଙ୍କ ନମୂନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ଟ୍ରାକିଂ ରିପୋର୍ଟ ମୁତାବକ, ଓମିକ୍ରନରେ ସଂକ୍ରମିତ ଏହି ବ୍ୟକ୍ତି ସିଧାସଳଖ ଆୟରଲ୍ୟାଣ୍ଡରୁ ଆନ୍ଧ୍ରପ୍ରଦେଶ ଆସିନଥିଲେ । ସେ ପ୍ରଥମେ ମୁମ୍ବାଇ ବିମାନବନ୍ଦରରେ ଓହ୍ଲାଇଥିଲେ । ସେଠାରେ ତାଙ୍କର ଟେଷ୍ଟିଂରେ ନେଗେଟିଭ ରିପୋର୍ଟ ଆସିଥିଲା । ତେଣୁ ସେଠାରୁ ତାଙ୍କୁ ଆନ୍ଧ୍ରପ୍ରଦେଶ ଆସିବା ପାଇଁ ଅନୁମତି ମିଳିଥିଲା । ନଭେମ୍ବର ୨୯ ତାରିଖରେ ସେ ବିଶାଖାପାଟଣାରେ ପହଞ୍ଚିଥିଲେ । ଆନ୍ଧ୍ରପ୍ରଦେଶର ବିଜୟନଗରମ୍ରେ ତାଙ୍କର ଆଉ ଏକ ଆରଟି-ପିସିଆର ପରୀକ୍ଷା କରାଯାଇଥିଲା, ଯେଉଁଥିରେ ତାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିଲା । ଏହାପରେ ନମୂନାକୁ ଜିନୋମ ସିକ୍ୱେନ୍ସିଂ ପାଇଁ ହାଇଦ୍ରାବାର ସେଲ୍ୟୁଲାର ଆଣ୍ଡ୍ ମଲିକ୍ୟୁଲାର ବାୟୋଲୋଜି ଏବଂ ସିଏସ୍ ଆଇଆର୍ ସିସିଏମ୍ ବିକୁ ପଠାଯାଇଥିଲା । ଏଠାରେ ତାଙ୍କର ରିପୋର୍ଟ ଓମିକ୍ରନ୍ ପଜିଟିଭ ଥିବା ଜଣାପଡିଛି ।

Comments are closed.