ଆସନ୍ତା ଶିକ୍ଷାବର୍ଷରୁ ସରକାରୀ ପ୍ରାଥମିକ ସ୍କୁଲରେ ପ୍ଲେ-କ୍ଲାସ୍

76

ଭୁବନେଶ୍ୱର : ନୂତନ ଶିକ୍ଷାନୀତିରେ ନବକଳେବର ହେବ ଦେଶର ଶିକ୍ଷା ବ୍ୟବସ୍ଥା । ଛାତ୍ରଛାତ୍ରୀ ୧୦+୨ ଢାଞ୍ଚା ବଦଳରେ ୫+୩+୩+୪ ଢାଞ୍ଚାରେ ପାଠ ପଢ଼ିବେ । ପିଲାଙ୍କ ପାଠପଢ଼ାର ମୂଳଦୁଆ ୩ ବର୍ଷ ବୟସରୁ ପଡ଼ିବ । ନୂଆ ନୀତିରେ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା(ଇସିସିଇ)ର ଏକ ସୁଦୃଢ଼ ମୂଳଦୁଆକୁ ଶିକ୍ଷା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହିକ୍ରମରେ ସରକାରୀ ପ୍ରାଥମିକ ସ୍କୁଲରେ ମଧ୍ୟ ଛାତ୍ରଛାତ୍ରୀ ପ୍ଲେ ଶ୍ରେଣୀରେ ଅଧ୍ୟୟନ କରିବେ । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୫ ହଜାର ବିଦ୍ୟାଳୟରେ ଏହାକୁ ପାଲଟ୍ ପ୍ରକଳ୍ପ ଭାବେ ଖୋଲାଯିବ । ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟାନ୍ୟ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ମଧ୍ୟ ସାମିଲ କରାଯିବ । ତୃଣମୂଳ ସ୍ତରରୁ କାର୍ଯ୍ୟକାରୀ ହେବ ନୂତନ ଜାତୀୟ ଶିକ୍ଷା ନୀତି । ନୂତନ ଶିକ୍ଷାନୀତିକୁ ଅଙ୍ଗନବାଡ଼ି ସ୍ତରରୁ କାର୍ଯ୍ୟକାରୀ କରିବା ନେଇ ବିଭାଗ ପଦକ୍ଷେପ ଗ୍ରହଣ କରୁଛି । ଯାହକି ଉନ୍ନତ ସାମଗ୍ରିକ ଶିକ୍ଷା, ବିକାଶ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବ ।

ସେହିପରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଶିକ୍ଷାଦାନ ଢାଞ୍ଚାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ କରାଯିବ । ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ହତା ପରିସରରେ ଥିବା ଅଙ୍ଗନବାଡ଼ିଗୁଡ଼ିକର ପରିଚାଳନା ଦାୟିତ୍ୱ ସ୍କୁଲଗୁଡ଼ିକୁ ପ୍ରଦାନ କରାଯିବ । ତେବେ ସ୍କୁଲ ହତା ପରିସରରେ ଥିବା ରାଜ୍ୟର ୨୧ ହଜାର ଅଙ୍ଗନବାଡ଼ିକୁ ଏଥିରେ ସାମିଲ କରାଯିବାକୁ ଥିବାବେଳେ ପର୍ଯ୍ୟାୟକ୍ରମେ ଅନ୍ୟ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସମ୍ମିଳିତ କରାଯିବ । ପ୍ରଥମ ଶ୍ରେଣୀ ପୂର୍ବରୁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ କୁନି କୁନି ଛାତ୍ରଛାତ୍ରୀଙ୍କୁ ସମ୍ବେଦନଶୀଳତା, ଉତ୍ତମ ଆଚରଣ, ସୌଜନ୍ୟ,ନୈତିକତା ଆଦି ଶିକ୍ଷା ଉପରେ ଅଧିକ ଧ୍ୟାନ ଦିଆଯିବ । ଏନେଇ ନୂତନ ଶିକ୍ଷା ନୀତିରେ ଦର୍ଶାଯାଇଥିବା ବେଳେ ଶିଶୁଙ୍କ ବାଲ୍ୟକାଳର ବିକାଶ,ଯତ୍ନ ଏବଂ ଶିକ୍ଷାର ଗୁଣାତ୍ମକତା ଉପରେ ନୂତନ ଶିକ୍ଷାନୀତିରେ ଅଧିକ ଗୁରୁତ୍ୱ ଦିଆଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ନୂତନ ଶିକ୍ଷାନୀତିରେ ଦର୍ଶାଇଛି ଯେ, ଶିଶୁମାନଙ୍କ ମସ୍ତିଷ୍କର ୮୫% ରୁ ଅଧିକ ବିକାଶ ୬ ବର୍ଷ ବୟସ ପୂର୍ବରୁ ହିଁ ଘଟେ । ସୁସ୍ଥ ମସ୍ତିଷ୍କର ବିକାଶ ଏବଂ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ପ୍ରାରମ୍ଭିକ ବର୍ଷମାନଙ୍କରେ ମସ୍ତିଷ୍କର ଉପଯୁକ୍ତ ଯତ୍ନ ନିତାନ୍ତ ଆବଶ୍ୟକ । ତେଣୁ ପ୍ରଥମ ଶ୍ରେଣୀରେ ଯୋଗଦେବା ପୂର୍ବରୁ ଛାତ୍ରଛାତ୍ରୀମାନେ ମାନସିକ ଭାବେ ପାଠପଢ଼ା ପ୍ରତି କିପରି ଯତ୍ନଶୀଳ ହେବେ ସେ ନେଇ ବିଭାଗ ଗୁରୁତ୍ୱ ଦେଇଛି । ଏହାକୁ ଦୃଷ୍ଟିରେ ରଖି ୩ରୁ ୫ ବର୍ଷର ପିଲା ପଢ଼ୁଥିବା ଅଙ୍ଗନବାଡ଼ି ଓ ବାଲ୍ୟ ବାଟିକାଗୁଡ଼ିକରେ ସ୍ୱତନ୍ତ୍ର ନିୟମ ଲାଗୁ ହେବା ସହିତ ପୂର୍ବ ବ୍ୟବସ୍ଥାରେ ପରିବର୍ତ୍ତନ ହେବ । ଅଙ୍ଗନବାଡ଼ିରେ ପାଠ ପଢ଼ାଉଥିବା ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ଓ କ୍ୟାଡର ନିୟମରେ ପରିବର୍ତ୍ତନ ହେବା ସହିତ ପୂର୍ବରୁ ନିଯୁକ୍ତ କର୍ମଚାରୀମାନଙ୍କ ଦକ୍ଷତା ବିକାଶ ପାଇଁ ପଦକ୍ଷେପ ନିଆଯିବ ।

ସେହିପରି ରାଜ୍ୟର ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ପରିସରରେ ରହିଥିବା ଅଙ୍ଗନବାଡ଼ିଗୁଡ଼ିକର ପରିଚାଳନା ଦାୟିତ୍ୱ ସମ୍ପୃକ୍ତ ସ୍କୁଲଗୁଡ଼ିକୁ ହସ୍ତାନ୍ତର କରାଯିବ । ଅଙ୍ଗନବାଡ଼ିଗୁଡ଼ିକ ପୂର୍ବଭଳି ଚାଲୁ ରହିଲେ ବି ପ୍ରଶାସନିକ କ୍ଷମତା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକ ହାତରେ ରହିବ । ତେବେ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ କମିଟି ଗଠନ ହୋଇଛି ।

Comments are closed.