୨୦୧୦ ପରଠୁ ରାଜ୍ୟରେ ପ୍ରତିଷ୍ଠା ହୋଇଛି ୭୬ ବୃହତ୍ ଶିଳ୍ପ : ୪୬୩୭୧ ଜଣଙ୍କୁ ମିଳିଛି ନିଯୁକ୍ତି

71

ଭୁବନେଶ୍ୱର : ରାଜ୍ୟରେ କୃଷି ସହ ଶିଳ୍ପାୟନକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇ ଆସୁଥିବା ବେଳେ ଏହା ମାଧ୍ୟମରେ ଯୁବ ଗୋଷ୍ଠୀଙ୍କୁ ଅଧିକରୁ ଅଧିକ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି । ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ବିଦେଶୀ କମ୍ପାନୀମାନଙ୍କୁ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବାରେ ସଫଳ ହୋଇଛନ୍ତି । ୨୦୧୦ ମସିହା ପରଠାରୁ ରାଜ୍ୟ ଏକକ ବାତାୟନ ପ୍ରଣାଳୀ ମାଧ୍ୟମରେ ଅନୁମୋଦନ ପାଇଥିବା ତଥା ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଥିବା ଶିଳ୍ପ ସଂସ୍ଥାମାନଙ୍କ ମଧ୍ୟରୁ ଅଦ୍ୟାବଧି ୭୬ଟି ବୃହତ୍ ଶିଳ୍ପ ସ୍ଥାପନ ହୋଇ ଆଂଶିକ କିମ୍ବା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛନ୍ତି । ଏହା ମାଧ୍ୟମରେ ୬୭ ହଜାର ୩୬୦ କୋଟି ୭୦ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ରାଜ୍ୟକୁ ଆସିଥିବା ବେଳେ ୪୬ ହଜାର ୩୭୧ ଜଣଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏକ ଉତ୍ତରରୁ ଉପରୋକ୍ତ ତଥ୍ୟ ଜଣାପଡ଼ିଛି । ଏହି ୭୫ଟି ବୃହତ୍ ଶିଳ୍ପ ମଧ୍ୟରୁ ପୁଞ୍ଜିନିବେଶକାରୀମାନେ ଷ୍ଟିଲ ଏବଂ ପେଲେଟ କ୍ଷେତ୍ରରେ ସର୍ବାଧିକ ପୁଞ୍ଜିନିବେଶ କରିଛନ୍ତି । ଗତ ଅକ୍ଟୋବର ସୁଦ୍ଧା ଉପରୋକ୍ତ କ୍ଷେତ୍ରରେ ରାଜ୍ୟରେ ମୋଟ ୨୫ଟି ବୃହତ ଶିଳ୍ପ ପ୍ରତିଷ୍ଠା ହୋଇଥିବା ବେଳେ ସର୍ବାଧିକ ୨୨ ହଜାର ୭୪୨ କୋଟି ଟଙ୍କା ପୁଞ୍ଜିନିବେଶ କରାଯାଇଛି ।

ଏହି ଶିଳ୍ପ ମାଧ୍ୟମରେ ମୋଟ ୧୫ ହଜାର ୫୯୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଦ୍ୱିତୀୟ ସର୍ବାଧିକ ଭାବେ ଶକ୍ତି କ୍ଷେତ୍ରରେ ୮ଟି ଶିଳ୍ପ ପ୍ରତିଷ୍ଠା ହୋଇଥିବା ବେଳେ ଏଥିରେ ମୋଟ ୧୯ ହଜାର ୧୭୭ କୋଟି ଟଙ୍କା ପୁଞ୍ଜିନିବେଶ କରାଯାଇଛି ଏବଂ ୨୪୩୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହାବ୍ୟତୀତ ବିନିର୍ମାଣ, ରସାୟନ, ଖାଦ୍ୟ ପ୍ରକ୍ରିୟାକରଣ, ସିମେଣ୍ଟ ପରି କ୍ଷେତ୍ରରେ ସର୍ବାଧିକ ପୁଞ୍ଜିନିବେଶ ହୋଇଥିବା ଜଣାପଡ଼ିଛି । ତେବେ ଉପରୋକ୍ତ ଶିଳ୍ପ ମଧ୍ୟରୁ ୭ଟି ବୃହତ୍ ଶିଳ୍ପାନୁଷ୍ଠାନ ସେମାନଙ୍କ ଉତ୍ପାଦନ ବନ୍ଦ ରଖିଛନ୍ତି । ଏହି ଶିଳ୍ପ ସଂସ୍ଥାଗୁଡ଼ିକରେ ପ୍ରାୟ ୫୫୬୪ ଜଣଙ୍କୁ ନିଯୁକ୍ତି ପ୍ରଦାନ କ୍ଷମତା ରହିଥିବା ଜଣାପଡ଼ିଛି ।

Comments are closed.