ଆମେରିକାରେ ଟର୍ଣ୍ଣାଡୋର ଧ୍ୱଂସଲୀଳା

61

ନ୍ୟୁୟର୍କ : ଆମେରିକା ଇତିହାସରେ ଅନ୍ୟତମ ବଡ଼ ବିପର୍ଯ୍ୟ ସହ ଲଢ଼ୁଛି ଦେଶ । ଧ୍ୱସ୍ତବିଧ୍ୱଂସ ଅଞ୍ଚଳ ଭଳି ଦେଖାଯାଉଛି କେଣ୍ଟୁକି ରାଜ୍ୟ । ଯେଉଁ ରାଜ୍ୟ ଦେଇ ଟର୍ଣ୍ଣାଡୋ ଯାଇଛି ସବୁକିଛି ମାଟିରେ ମିଶାଇ ଦେଇଛି । ମୃତ୍ୟୁସଂଖ୍ୟା ୧୦୦ ଟପିଥିଲେ ହେଁ କେବଳ କେଣ୍ଟୁକିରେ ୭୦ଜଣଙ୍କ ଜୀବନ ନେଇଛି ଏହି ଘୂର୍ଣ୍ଣିଝଡ଼ । ଏହି ସଂଖ୍ୟା ଆହୁରି ବଢ଼ିପାରେ । ପ୍ରଭାବିତ ୬ ରାଜ୍ୟ ଲାଗି ଜରୁରି ସାହାଯ୍ୟ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ମେଫିଲ୍ଡ ସହର ମାଟିରେ ମିଶିଯାଇଛି । ଧ୍ୱଂସସ୍ତୂପ ପାଲଟିଛି କେଣ୍ଟୁକି । ସବୁକିଛି ଛାରଖାର କରିଦେଇଛି ଏହି ଟର୍ଣ୍ଣାଡୋ । ଘୂର୍ଣ୍ଣିଝଡ଼ରେ ଅନେକ କୋଠାବାଡି ମଧ୍ୟ ମାଟିରେ ଲୋଟିଯାଇଛି । ହଜାର ହଜାର ଲୋକେ ବାସହୀନ ହୋଇଯାଇଛନ୍ତି । ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡି ଯାଇଛି । ଲକ୍ଷାଧିକ ଲୋକ ଏବେ ଅନ୍ଧାରରେ । ଶୁକ୍ରବାର ରାତିରେ ମାଡି ଆସିଥିଲା ଏହି ଟର୍ଣ୍ଣାଡୋ । ସାଙ୍ଗରେ ଆଣିଥିଲା ପ୍ରଳୟ । ଦେଖୁ ଦେଖୁ ୭୦ରୁ ୧୦୦ ମାଇଲ୍ ଯାଏ ମାଡିଯାଇଥିଲା । ସାମ୍ନାରେ ଯାହା ପାଇଲା ତାକୁ ସାଙ୍ଗରେ ନେଇ ଚାଲିଗଲା । କେବଳ କେଣ୍ଟୁକିରେ ୭୦ଜଣଙ୍କ ମୃତ୍ୟୁ ହୋଇଛି । ଏହିସଂଖ୍ୟା ଆହୁରି ବଢ଼ିପାରେ । ଅଧିକାଂଶ ମୃତକ ଗୋଟିଏ ମହମବତୀ କାରଖାନାର କର୍ମଚାରୀ । ସେଠାରେ କାର୍ଯ୍ୟରତ ଥିଲେ ୧୧୦ଜଣ । ଟର୍ଣ୍ଣାଡୋରେ ଛାରଖାର ହୋଇଯାଇଥିଲା ସମ୍ପୂର୍ଣ୍ଣ କାରଖାନା । ସେଥିରୁ ୪୦ଜଣଙ୍କୁ ଉଦ୍ଧାର କରାଯାଇଛି । କେଣ୍ଟୁକି ସହ ୬ରାଜ୍ୟରେ ଟର୍ଣ୍ଣାଡୋର ପ୍ରଭାବ ଦେଖିବାକୁ ମିଳିଛି । ଝଡ଼ ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାରର ସହାୟତା ଦିଆଯିବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍ ଘୋଷଣା କରିଛନ୍ତି । ମେଫିଲ୍ଡ ସହରର ପୋଲିସ ଥାନା ଝଡ଼ରେ ସମ୍ପୂର୍ଣ୍ଣ ରୂପେ ଉଡ଼ିଯାଇଛି । ଏବେ ଲୋକଙ୍କ ପାଇଁ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି ।

Comments are closed.