ନରୱାଣେ ସିଡିଏସ୍ କମିଟି ଅଧ୍ୟକ୍ଷ

50

ନୂଆଦିଲ୍ଲୀ : ତିନି ସେନାର ମୁଖ୍ୟଙ୍କୁ ନେଇ ଗଠିତ “ଚିଫ୍ ଅଫ୍ ଷ୍ଟାଫ୍ କମିଟି’ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ସେନାମୁଖ୍ୟ ଜେନେରାଲ୍ ଏମ୍.ଏମ୍. ନରୱାଣେ । ଡିସେମ୍ବର ୮ ତାରିଖରେ ଭାରତୀୟ ବାୟୁସେନା ହେଲିକପ୍ଟର୍ ଦୁର୍ଘଟଣାରେ “ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍’ ଜେନେରାଲ୍ ବିପିନ ରାୱତଙ୍କ ବିୟୋଗ ପରେ ଏହି ପଦବୀ ଖାଲି ପଡ଼ିଥିଲା । ତିନିସେନା ମୁଖ୍ୟଙ୍କ ମଧ୍ୟରୁ ସବୁଠୁ ବରିଷ୍ଠ ଥିବାରୁ ଜେନେରାଲ୍ ନରୱାଣେଙ୍କୁ ଏହି କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି ।
ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ ପଦବୀ ସୃଷ୍ଟି କରାଯିବା ପୂର୍ବରୁ ତିନିସେନାର ସବୁଠୁ ବରିଷ୍ଠ “ଚିଫ୍ସ୍ ଅଫ୍ ଷ୍ଟାଫ୍ କମିଟି’ର ଅଧ୍ୟକ୍ଷ ହେଉଥିଲେ । ଡିସେମ୍ବର ୨୦୧୯ରେ ଯେତେବେଳେ ସିଡିଏସ୍ ପଦବୀ ପାଇଁ ସରକାର ପ୍ରଥମେ ଜେନେରାଲ୍ ରାୱତଙ୍କ ନାମ ଘୋଷଣା କଲେ, ସେତେବେଳେ ସିଡିଏସ୍ ସହ ଚିଫ୍ସ ଅଫ୍ ଷ୍ଟାଫ୍ କମିଟିର ଅଧ୍ୟକ୍ଷ ପଦ ମଧ୍ୟ ଜେନେରାଲ୍ ବିପିନ ରାୱତଙ୍କ ନିକଟକୁ ଯାଇଥିଲା । ତେବେ ଏହାପୂର୍ବରୁ ସେନାର ତିନୋଟି ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ତିନି ସେନାରେ ମୁଖ୍ୟଙ୍କ କମିଟିର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ । ସେହି ସମୟରେ ତିନିଜଣ ମୁଖିଆଙ୍କ ମଧ୍ୟରେ ସିନିୟର ଏହି ପଦବୀରେ ରହିଆସୁଥିଲେ । ବର୍ତ୍ତମାନ ସିଡିଏସ୍ ପଦବୀ ଖାଲିଥିବାରୁ ପୁରୁଣା ପରମ୍ପରା ପୁନଃ ସ୍ଥାପିତ ହୋଇଛି, ଯାହାଫଳରେ ସେନା ମଧ୍ୟରେ ପାରସ୍ପରିକ ସମନ୍ୱୟ ରକ୍ଷା କରିବାରେ କୌଣସି ଅସୁବିଧା ହେବ ନାହିଁ ।

Comments are closed.