କେନ୍ଦ୍ରାପଡ଼ାରେ ଦେଶର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ

66

-୧ଲକ୍ଷ କୋଟି ନିବେଶରେ ହେବ କାରଖାନା
-ବାର୍ଷିକ ୨୪ ମିଲିୟନ୍ ଟନ୍ ଉତ୍ପାଦନ କ୍ଷମତା
-୧୬ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି

ଭୁବନେଶ୍ୱର : କେନ୍ଦ୍ରାପଡାରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ ଷ୍ଟିଲ୍ ପ୍ଲାଣ୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ମୋଟ ୧,୦୨,୨୭୫ କୋଟିର ଟଙ୍କା ପୁଞ୍ଜିନିବେଶ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାଠାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଦ୍ୱାରା ପ୍ରସ୍ତାବିତ ସମନ୍ୱିତ ଷ୍ଟିଲ ପ୍ଲାଣ୍ଟକୁ ମଞ୍ଜୁରି ମିଳିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାର୍ଷିକ ୨୪ ମେଟ୍ରିକ ଟନ୍ ଉତ୍ପାଦନ କ୍ଷମତା ରଖୁଥିବା ଏହି ପ୍ଲାଣ୍ଟରେ ୧୬ ହଜାରରୁ ଅଧିକ ପ୍ରତ୍ୟକ୍ଷ ତଥା ପରୋକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିବ । ଏହି ବୃହତ୍ ପ୍ରକଳ୍ପଟି ସମଗ୍ର ଦେଶରେ ସର୍ବବୃହତ୍ ଇସ୍ପାତ କାରଖାନାର ମାନ୍ୟତା ହାସଲ କରିବ । କେନ୍ଦ୍ରାପଡ଼ାର ନିଜ ଉତ୍ପାଦନ କ୍ଷେତ୍ରରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରି ପରିବେଶ ଅନୁକୂଳ ଓ ବହୁବିଧ ବିଶେଷତାସମ୍ପନ୍ନ ଇସ୍ପାତ ଉତ୍ପାଦନ କରିବ ବୋଲି କୁହାଯାଇଛି । ଏହି ପ୍ଲାଣ୍ଟରୁ ବାର୍ଷିକ ୧୮.୭୫ ମେଟ୍ରିକ ଟନ୍ ସିମେଣ୍ଟ ଉତ୍ପାଦନ କରିବାର କ୍ଷମତାପ୍ରାପ୍ତ ହେବ ଯାହା କେବଳ ଏହି କାରଖାନାକୁ ଦେଶର ଅନ୍ୟତମ ସର୍ବବୃହତ୍ ସିମେଣ୍ଟ କାରଖାନାରେ ପରିଣତ ହେବାର ଗୌରବ ପ୍ରଦାନ କରିବ ନାହିଁ ବରଂ ଅଞ୍ଚଳର ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ । ଇସ୍ପାତ କମ୍ପେ୍ଲକ୍ସ ସହିତ କମ୍ପାନୀ ଅନୁପ୍ରବାହ ପ୍ରକଳ୍ପ ପାର୍କ ପ୍ରକଳ୍ପ ପ୍ରତିଷ୍ଠା କରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରିବ।

କେନ୍ଦ୍ରାପଡ଼ାର ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ବିକଶିତ ଭିତ୍ତିଭୂମି ସୁବିଧା ଗମନାଗମନ ସହ ଅଞ୍ଚଳର ସାମଗ୍ରିକ ବିକାଶରେ ବେଶ ସହାୟକ ହେବ । ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହି କାରଖାନାରେ ଉତ୍ପାଦିତ ହେବାକୁ ଥିବା ଇସ୍ପାତ ବିଶ୍ୱ ମାନଚିତ୍ରରେ କେନ୍ଦ୍ରାପଡା ଏବଂ ଓଡ଼ିଶାର ସ୍ଥାନକୁ ସ୍ୱତନ୍ତ୍ର କରିପାରିବ । ଅନେକ ଅନ୍ତର୍ଜାତୀୟ ଉପକରଣ ଉତ୍ପାଦନକାରୀ ଏହି ବୃହତ ପ୍ରକଳ୍ପର ଅଂଶୀଦାର ହେବାକୁ ଥିବାରୁ ଏହା ରାଜ୍ୟରେ ଆହୁରି ଅନେକ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ । ଏହି ପ୍ରକଳ୍ପ ସହିତ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ସମଗ୍ର ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ କରିବ । ଏହି ବୃହତ ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାୟରେ ୭ ବର୍ଷରେ ସମ୍ପୂର୍ଣ୍ଣ ହେବ । ଏହି ବୃହତ ପୁଞ୍ଜି ବିନିଯୋଗ ସହିତ ଓଡ଼ିଶା ବିଗତ ୧୨ ମାସ ମଧ୍ୟରେ ୨.୭୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜିନିବେଶ ପ୍ରାପ୍ତ ହେବା ସହିତ ଅନ୍ୟୁନ ୭୭ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁନିଶ୍ଚିତ କରିବାର ଉପଲବ୍ଧି ହାସଲ କରିଛି । ଓଡ଼ିଶା ସମଗ୍ର ଦେଶରେ ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ ହିସାବରେ ଗୌରବ ମଣ୍ଡନ କରୁଛି । ଏହିପରି ବୃହତ ପ୍ରକଳ୍ପର ପ୍ରତିଷ୍ଠା ଦ୍ୱାରା ୨୦୩୦ ସୁଦ୍ଧା ରାଜ୍ୟ ବାର୍ଷିକ ୧୦୦ ମେଟ୍ରିକ ଟନ୍ ଇସ୍ପାତ ଉତ୍ପାଦନ କରିବାର କ୍ଷମତା ହାସଲ କରିପାରିବ ଓଡିଶା ।

୩୦ ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କୁ ନିଯୁକ୍ତି :

ବିଦ୍ୟୁତ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ । ୩୦ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବନିଯୁକ୍ତ ଇଞ୍ଜିନିୟରଙ୍କୁ ଏକ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଜରିଆରେ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ । ସେମାନଙ୍କୁ ଲୋକସେବା ଭବନରେ ନିଯୁକ୍ତି ପତ୍ର ମିଳିଛି । ୩୦ ଜଣଙ୍କ ନିଯୁକ୍ତି ପରେ ବିଦ୍ୟୁତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି । ନବ ନିଯୁକ୍ତ ଇଞ୍ଜିନିୟରମାନେ ଗ୍ରାମ୍ୟ ଉନ୍ନୟନ ପୂର୍ତ୍ତ ଓ ଶକ୍ତି ବିଭାଗରେ କାମ କରିବେ । ଓଡ଼ିଶା ବିଦ୍ୟୁତ ଉତ୍ପାଦନର ବଳକା ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ସାମଗ୍ରୀକ ବିକାଶରେ ଶକ୍ତି ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଏହାକୁ ପ୍ରାଥମିକତା ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶକ୍ତି ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ରାଜ୍ୟ ଭଲ କାମ କରୁଛି । ଆମ ଘରେ ଏଲ୍ଇଡି ଯୋଜନାରେ ପ୍ରାୟ ୪ କୋଟି ଏଲ୍ଇଡି ବଲ୍ ବିତରଣ ହେଲାଣି । ପ୍ରଶାସନରେ ୫-ଟି ମନ୍ତ୍ର ଆପଣେଇବାକୁ ଏବଂ ମୋ ସରକାର ମାଧ୍ୟମରେ ଲୋକଙ୍କୁ ସମ୍ମାନର ସହ ସେବା ଯୋଗାଇବାକୁ ନବ ନିଯୁକ୍ତ ଇଞ୍ଜିନିୟରଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ।

Comments are closed.