ମହାନଦୀରେ ସମ୍ପର୍କର ଟି-ସେତୁ : ୨୦ରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

71

ଭୁବନେଶ୍ୱର : ମହାନଦୀରେ ଯୋଡି ହେଲା ଆଉ ଏକ ସମ୍ପର୍କର ସେତୁ । ଆସନ୍ତା ୨୦ରେ ଲୋକାର୍ପିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ବାଙ୍କୀ-ବୈଦେଶ୍ୱର ଠାରୁ ବଡମ୍ବା ଗୋପିନାଥପୁରକୁ ସଂଯୋଗ ହୋଇଥିବା ଟି-ସେତୁ । ଏହି ସେତୁଟି ନିର୍ମାଣ ହେବା ଫଳରେ ଭୁବନେଶ୍ୱର-ପୁରୀ-ଖୋର୍ଦ୍ଧା-ନୟାଗଡବ୍ରହ୍ମପୁର ସହିତ ଢେଙ୍କାନାଳ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାକୁ ଯୋଗାଯୋଗ ସହଜ ହେବ । କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱର ନିକଟ ମହାନଦୀ ମଧ୍ୟଭାଗରେ ତିଆରି ହୋଇଛି ଏହି ଟି-ସେତୁ । ଏହି ସେତୁଟିର ଲମ୍ବ ୩ କିଲୋମିଟର ୧୧୮ ମିଟର ହୋଇଥିବା ବେଳେ ପୋଲର ମଧ୍ୟ ଭାଗରୁ ସିଂହନାଥ ଶୈବପୀଠକୁ ଯୋଡାଯାଇଥିବାରୁ ଏହାକୁ ଟି-ସେତୁ ବୋଲି କୁହାଯାଉଛି । ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ୨୦୧୪ରେ ଏହି ସେତୁର ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିବା ବେଳେ କିଛି ବୈଷୟିକ ତ୍ରୁଟି କାରଣରୁ ଏହାର କାର୍ଯ୍ୟ ବିଳମ୍ବ ହୋଇଥିଲା । ଏବେ ସେତୁ ନିର୍ମାଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ôଚ ସାରିଥିବା ବେଳେ ମହାନଦୀରେ ଆଉ ଏକ ସମ୍ପର୍କର ସେତୁ ଯୋଡିହେଲା ବୋଲି ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି ।

ସେହିପରି କୋରାପୁଟ ଜିଲ୍ଲା ଲମତାପୁଟର ବ୍ଲକର ୫ ବିଚ୍ଛିନ୍ନାଞ୍ଚଳ ପଞ୍ଚାୟତବାସୀଙ୍କୁ କୋଲାବ ନଦୀ ବ୍ରିଜ ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘଦିନର ସମସ୍ୟା ଦୂର ହେବାକୁ ଯାଉଥିବାରୁ ଅଞ୍ଚଳବାସୀଙ୍କୁ ଖୁସି କହିଲେ ନସରେ । ପଞ୍ଚାୟତବାସୀଙ୍କ ପାଇଁ ବାଧକ ଥିଲା କୋଲାବ ନଦୀ । ଜୀବନ ଜୀବିକା ପାଇଁ ପ୍ରତିଦିନ ଏମାନଙ୍କୁ ବିପଦପୂର୍ଣ୍ଣ ଭାବେ ନଦୀ ପାର ହେବାକୁ ପଡୁଥିଲା । ନଦୀ ଉପରେ ଏବେ ହାଇଲେବଲ ବ୍ରିଜ୍ ନିର୍ମାଣ ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୁଃଖ ବୁଝିଛନ୍ତି ନବୀନ । ତିଆରି ହେବ ଲମତାପୁଟ କୋଲାବ ନଦୀ ବ୍ରିଜ୍ । ୫ ପଞ୍ଚାୟତବାସୀଙ୍କ ପାଇଁ ରାସ୍ତା ପାଲଟିବ ଲାଇଫ ଲାଇନ୍ । ଲମତାପୁର ବ୍ଲକର ମୁଖ୍ୟତଃ କୁମାରଗଞ୍ଜନା, ବନମାଳିପୁଟ, ଓମବେଲ ଓ ଟିକରପଡା ପଞ୍ଚାୟତର ଲୋକଙ୍କ ଦୁଖଃ ଥିଲା କୋଲାବ ନଦୀ । ଏହି ସମସ୍ତ ପଞ୍ଚାୟତରେ ପ୍ରାୟ ୨୦ ହଜାର ଲୋକେ ବସବାସ କରନ୍ତି । ହେଲେ ଜୀବନକୁ ପାଣି ଛଡାଇ ପ୍ରତିଦିନ ଏହି ନଦୀ ଦେଇ ଦେଶୀ ଡଙ୍ଗାରେ ଯାତାୟାତ କରନ୍ତି ଅଞ୍ଚଳବାସୀ । ବର୍ଷାଦିନେ ଏହି ଦୁଃଖ ଦ୍ୱିଗୁଣିତ ହୋଇଯାଏ । ସାପ୍ତହିକ ହାଟ ପାଇଁ ନଦୀ ପାର ନକଲେ ନଚଳେ । ଫଳରେ ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ବହୁବାର ଦାବି କରିଆସୁଥିଲେ ଲୋକେ । ମୁଖ୍ୟମନ୍ତ୍ରୀ ଏହି ବ୍ରିଜ ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି । ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଅଞ୍ଚଳବାସୀ । ଗତ ନଭେମ୍ବର ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା କହିଛନ୍ତି କୋରାପୁଟ ବିଧାୟକ ରଘୁରାମ ପଡାଲ । ସେପଟେ ବ୍ରିଜ୍ ନିର୍ମାଣ ପାଇଁ ୫୬ କୋଟି ୯୨ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ୯୦୦ ମିଟର ଦୀର୍ଘ ବ୍ରିଜ୍ ସାଙ୍ଗକୁ ଆପ୍ରୋଚ ରୋଡ ଆଉ ୯୦୦ ମିଟର କରାଯିବା ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ । ବ୍ରିଜ୍ ନିର୍ମାଣ ହେଲେ ଏହି ବିଛିନ୍ନାଞ୍ଚଳର ଜଳବନ୍ଦୀ ଗ୍ରାମଗୁଡିକୁ ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ ପାଇଁ ବେଶ ସୁବିଧା ହୋଇପାରିବ ।

Comments are closed.