ଦେଶରେ ଶହେ ଟପିଲା ଓମିକ୍ରନ

61

-ଡେଲ୍ଟାକୁ ପଛରେ ପକାଇଦେଇପାରେ
-ସତର୍କ କଲା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ : ବିଶ୍ୱବ୍ୟାପୀ ଦ୍ରୁତଗତିରେ ମାଡ଼ିଚାଲିଛି ଓମିକ୍ରନ୍ । ଭାରତରେ ବି କାୟାବିସ୍ତାର କରୁଛି ଭୂତାଣୁ । ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର କରିଛି । ୧୧ ରାଜ୍ୟକୁ କବଳିତ କଲାଣି କରୋନାର ଏହି ନୂଆ ଭାରିଆଣ୍ଟ । ଯେଉଁଭଳି ଭାବେ ଓମିକ୍ରନ୍ ସଂକ୍ରମଣ ବଢ଼ିଚାଲିଛି ତାହା ଡେଲ୍ଟା ଭାରିଆଣ୍ଟ ସଂକ୍ରମଣକୁ ପଛରେ ପକାଇଦେବ ବୋଲି ସତର୍କ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ । ଦକ୍ଷିଣ ଆଫ୍ରିକା, ବ୍ରିଟେନ୍ ଆଦି ଦେଶରେ ସ୍ଥିତି ଅନୁଧ୍ୟାନ ପରେ ଏପରି ଅନୁମାନ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସମୟରେ ଅନାବଶ୍ୟକ ଯାତ୍ରା, ଗହଳିରେ ଏକାଠି ହେବାରୁ ବିରତ ରହିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛି କେନ୍ଦ୍ର । ଏଥିସହିତ ବିଶ୍ୱର ସ୍ଥିତି ଦେଖି ଆମକୁ ଆଗୁଆ ସତର୍କ ରହିବାକୁ ପଡ଼ିବ ବୋଲି ପରାମର୍ଶ ଦିଆଯାଇଛି । ରାଜଧାନୀ ଦିଲ୍ଳୀରେ ଆଉ ୧୦ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ଛନକା ବଢ଼ିଛି । ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ସମସ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ କହିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ବଢ଼ାଇଛି । ମୁମ୍ବାଇରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହୋଇଛି ।

ସେହିପରି ରାଜସ୍ଥାନ, କେରଳ, ଗୁଜରାଟ, କର୍ଣ୍ଣାଟକ, ତେଲେଙ୍ଗାନା, ପଶ୍ଚିମବଙ୍ଗ,ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ଚଣ୍ଡୀଗଡ଼ରେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବା ପରେ ସମଗ୍ର ଦେଶରେ ଉଦ୍ବେଗ ବଢ଼ିଛି । ବିଭିନ୍ନ ରାଜ୍ୟର ସ୍ଥିତି ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ଗୃହ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଗତ ୨୦ ଦିନ ଧରି ନୂଆ ମାମଲା ୧୦ହଜାରରୁ କମ୍ ରହିଛି । ଗତ ସପ୍ତାହ ମଧ୍ୟରେ ପଜିଟିଭିଟି ହାର ୦.୬୫ ପ୍ରତିଶତ ଥିଲା । କେବଳ କେରଳରେ ସକ୍ରିୟ ମାମଲାର ମୋଟ ସଂଖ୍ୟା ୪୦.୩୧ପ୍ରତିଶତ ରହିଛି । ଭାକ୍ସିନ୍କୁ ନେଇ ଶ୍ରୀଅଗ୍ରୱାଲ କହିଛନ୍ତି କରୋନାର ଓମିକ୍ରନ୍ ଭାରିଆଣ୍ଟ ବିରୋଧରେ ଭ୍ୟାକ୍ସିନ୍ ପ୍ରଭାବଶାଳୀ ହେଉନଥିବା ନେଇ ଏଯାଏ କୌଣସି ପ୍ରମାଣ ମିଳିନାହିଁ । ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରୁ ୨୨, ରାଜସ୍ଥାନରୁ ୧୭, କର୍ଣ୍ଣାଟକ ୮,ଗୁଜରାଟ ୫, କେରଳ ୫, ଆନ୍ଧ୍ରପ୍ରଦେଶ, ଚଣ୍ଡୀଗଡ଼ ଓ ପଶ୍ଚିମବଙ୍ଗରୁ ଗୋଟିଏ ଲେଖାଏଁ ମାମଲା ସାମ୍ନାକୁ ଆସିଛି ।

Comments are closed.